29.1 C
Bhubaneswar
Saturday, April 27, 2024
Homeଓଡିଶାମଧ୍ୟାହ୍ନ ଭୋଜନ ରାଜନୀତି: କାହିଁକି ଡାକିଲେ ନି କଂଗ୍ରେସକୁ

ମଧ୍ୟାହ୍ନ ଭୋଜନ ରାଜନୀତି: କାହିଁକି ଡାକିଲେ ନି କଂଗ୍ରେସକୁ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମଧ୍ୟାହ୍ନ ଭୋଜନ’ ରାଜନୀତି ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷ କରି କଂଗ୍ରେସକୁ ବାଦ ଦେବା ନେଇ ଅନେକ ପ୍ରଶ୍ନବାଚୀ ଦେଖାଦେଇଛି । ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକକୁ ଯୋଗଦେବାକୁ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନବୀନ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ ରାମେଶ୍ୱର ଓରାଓଁ ପରିଷଦରେ ଯୋଗଦେବା ପାଇଁ ଆସିଥିଲେ । ହେଲେ ନବୀନ ତାଙ୍କୁ ମଧ୍ୟାହ୍ନ ଭୋଜନକୁ ଆମନ୍ତ୍ରଣ କରି ନଥିବା କୁହାଯାଉଛି । ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସର ମିଳିତ ସରକାର ଚାଲିଛି । ଆଉ ରାମେଶ୍ୱର ଓରାମ ହେଉଛନ୍ତି କଂଗ୍ରେସର । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଷଦ ବୈଠକରେ ଯୋଗ ଦେଇ ନ ଥିଲେ କି ସଦସ୍ୟ ମଧ୍ୟ ନ ଥିଲେ । ହେଲେ ତାଙ୍କୁ ନବୀନ ନିମନ୍ତ୍ରଣ କରିଥିଲେ । ଧର୍ମେନ୍ଦ୍ରଙ୍କୁ ନବୀନ ପୂର୍ବରୁ କେବେବି ନବୀନ ନିବାସ ଡାକି ଆପ୍ୟାୟିତ କରି ନ ଥିଲେ । ବରଂ ଅନେକ ବାର ପରୋକ୍ଷରେ ହତାଦର କରିବାକୁ ପଛାଇ ନ ଥିଲେ । ଅରୁଣ ଜେଟଲି ଯେତେବେଳେ ଅର୍ଥମନ୍ତ୍ରୀ ଥିଲେ ଧର୍ମେନ୍ଦ୍ରଙ୍କ ସହ ସେ ଓଡ଼ିଶା ଆସିଥିଲେ । ନବୀନ ଜେଟଲିଙ୍କୁ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଡାକିଥିଲେ । ସେତେବେଳେ ଧର୍ମେନ୍ଦ୍ରଙ୍କୁ ଡାକି ନ ଥିଲେ । ସେହିପରି ନୀତିନ ଗଡ଼କରିଙ୍କୁ ଏକା ଡାକିଥିଲେ, ଧର୍ମେନ୍ଦ୍ରଙ୍କୁ ବାଦ ଦେଇଥିଲେ । ଏବେ ହଠାତ ଧର୍ମେନ୍ଦ୍ରଙ୍କୁ ଡାକିବା ପଛରେ ନିଶ୍ଚୟ ରହସ୍ୟ ରହିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
କିଛି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ନବୀନଙ୍କ ଏହି ମଧ୍ୟାହ୍ନ ଭୋଜନ ଦେବା ପଛରେ ବଡ଼ ରାଜନୀତି ରହିଛି । ଶାହଙ୍କୁ ଖୁସି କରିବା ପାଇଁ ଜେଏମ୍‌ଏମ୍‌ଙ୍କୁ ବାଦ ଦେଇଥିବା କଥା କିଛି ମତ ରଖୁଛନ୍ତି । କିନ୍ତୁ ଶାହଙ୍କ କଟୋର ବିରୋଧୀ ମମତା ବାନାର୍ଜୀଙ୍କୁ ଯେତେବେଳେ ନବୀନ ଡାକିପାରିଲେ ଜେଏମଏମଙ୍କୁ ଡାକିବାରେ ଅସୁବିଧା କେଉଁଠିଥିଲା ବୋଲି ପ୍ରଶ୍ନ ଉଠୁଛି । ମମତା ନିଜେ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ଭିତରକୁ ଶାହଙ୍କୁ ପୁରାଇ ଦେବେନାହିଁ । ଉଭୟଙ୍କ ଭିତରେ ତିକ୍ତତା ଯେତେ ଗଭୀର ସେପରି ଜେଏମଏ ସାଙ୍ଗରେ ନାହିଁ । ହେଲେ ଏ କ୍ଷେତ୍ରରେ କୁହାଯାଉଛି ଏହା ପଛର ଭିନ୍ନ ରାଜନୀତି ରହିଛି । ମୂଳ କାରଣ ହେଉଛି କଂଗ୍ରେସ । ସିଏଏକୁ ନେଇ ସମଗ୍ର ଦେଶରେ ଯେଉଁ ହିଂସା ଦେଖାଦେଇଥିଲା ଏବଂ ନିକଟରେ ଦିଲ୍ଲୀରେ ହିଂସାଘଟି ଯେପରି ୪୧ ଜଣଙ୍କ ଜୀବନ ଗଲା ସେଥିପାଇଁ ବିଜେପି ମୁଖ୍ୟତଃ କଂଗ୍ରେସକୁ ଦାୟୀ କରୁଛି । ସଂଖ୍ୟାଲଘୁ ମିସଲିମମାନଙ୍କର ନାଗରିକତା ଚାଲିଯିବ ଏପରି ଏକ ଭୁଲ ବାର୍ତ୍ତା କଂଗ୍ରେସ ପ୍ରଚାର କରି ହିଂସାକୁ ପ୍ରଶ୍ରୟ ଦେଇଥିବା କଥା ଶାହ କହୁଛନ୍ତି । ଏଣୁ କଂଗ୍ରେସ ମନ୍ତ୍ରୀଙ୍କୁ ଡାକିଲେ କାଳେ ଶାହ ଖରାପ ଭାବିପାରନ୍ତି ସେଥିପାଇଁ ନବୀନ ଡାକି ନ ଥିବା କୁହାଯାଉଛି । ଶାହଙ୍କ ଭଳି ସେ ମଧ୍ୟ କଂଗ୍ରେସକୁ ବିରୋଧ କରନ୍ତି ଏଭଳି ଏକ ଧାରଣା ଦେବା ପାଇଁ ନବୀନଙ୍କ ଏହି ଚାଲ ବୋଲି କୁହାଯାଉଛି ।
ମମତା ବାନାର୍ଜୀ ବିଜେପିର କଟୋର ବିରୋଧୀ ହୋଇଥିଲେ ବି କଂଗ୍ରେସ ସହ ହାତ ମିଳାଇ ନାହାଁନ୍ତି । ସିଏଏ ଘଟଣାରେ କଂଗ୍ରେସ ବିରୋଧୀମାନଙ୍କୁ ଯେଉଁ ଏକାଠି କରିବାକୁ ଉଦ୍ୟମ କରିଥିଲା ସେଥିରେ ମମତାଙ୍କ ଦଳ ଟିଏମସି ସାମିଲ ହେଲାନାହିଁ । ସିଏଏକୁ ମମତା ବିରୋଧ କରୁଛନ୍ତି, ହେଲେ କଂଗ୍ରେସ ସହ ସାମିଲ ହୋଇ ବିରୋଧ କରିବାରେ ମନା କରି ଦେଇଛନ୍ତି । କଂଗ୍ରେସ ଡାକିଥିବା ବୈଠକକୁ ମମତା ଯାଇ ନ ଥିଲେ କି ପ୍ରତିନିଧି ପଠାଇ ନ ଥିଲେ । ସେ ଏକାକି ବିରୋଧ କରିବେ ବୋଲି କହିଥିଲେ ।
ଏକଥାକୁ ନବୀନ ଭଲଭାବେ ଅନୁଭବ କରିଛନ୍ତି । ବର୍ତ୍ତମାନ ସିଏଏ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । କଂଗ୍ରେସ ପାଇଁ ବିଜେପି ଆଜି ଦେଶରେ ବଦନାମ ହୋଇଛି । ସେଥିପାଇଁ ଉଭୟ ଶାହ ଓ ପ୍ରଧାନମନ୍ତ୍ରୀ ଏବଂ ବିଜେପତି ନେତାମାନେ କଂଗ୍ରେସକୁ ମୁଖ୍ୟତଃ ଦାୟୀ କରିବାରେ ଲାଗିଛନ୍ତି । ଏଣୁ ଜେଏମଏମଙ୍କୁ ଡାକିଲେ କଂଗ୍ରେସକୁ ସମର୍ଥନ କଲାଭଳି ହୋଇପାରେ । ସେଥିପାଇଁ ନବୀନ ଜେଏମଏମଙ୍କୁ ଦୂରେଇ ରଖିଲେ ବୋଲି କୁହାଯାଉଛି । ମଧ୍ୟାହ୍ନ ଭୋଜନ ମାଧ୍ୟମରେ ଶାହଙ୍କୁ ସନ୍ତୁଷ୍ଟ କରି ନବୀନ ବଡ଼ଧରଣର ରାଜନୀତିକ ଗୋଟି ଚାଳନା କରିଥିବା କଥା ତାଙ୍କ ଦଳର ନେତାମାନେ ମତ ରଖୁଛନ୍ତି । ହେଲେ ଭବିଷ୍ୟତ କହିବ ଏଥିରୁ ନବୀନ କଣ ଫାଇଦା ପାଉଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଶାହଙ୍କ ହାତରେ ରହିଥିବାରୁ ସିବିଆଇକୁ ସନ୍ତୁଷ୍ଟ କରି ରଖିବା ମୁଖ୍ୟ ଲକ୍ଷ୍ୟ ହୋଇଥିବା କଥା ବିରୋଧୀମାନେ କହୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking