28.1 C
Bhubaneswar
Saturday, April 27, 2024
Homeଓଡିଶାଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ, ଜମିଦାର ଏବେ ଦିନ ମଜୁରିଆ

ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ, ଜମିଦାର ଏବେ ଦିନ ମଜୁରିଆ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟା ଦୀର୍ଘ ୪୦ ବର୍ଷ ହେଲାଣି ସମାଧାନ ହୋଇପାରୁନାହିଁ । ବିଗତ ଦିନର ଜମିଦାର ଏବେ ଦିନମଜୁରିଆ ଓ ଦାଦନ ସାଜିଛି । ଦିନେ ଯାହା ଘରେ ଶହ ଶହ ମୂଲିଆ କାମ କରୁଥିଲେ ବର୍ତ୍ତମାନ ସେ ନିଜେ ଅନ୍ୟ ଘରେ ମୂଲିଆ ପାଲଟିଛନ୍ତି । ଏହା ହେଉଛି ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କ ଦୁଃଖ । ଏଭଳି ଜଣେ ବିସ୍ଥାପିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ସହର ଫଟାଗୁଡାର ଗ୍ରାମର ବ୍ରଜ ସୁନ୍ଦର ବିଷୋୟୀ । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପାଇଁ ୧୭୫ ଏକର ଜମି ନିଜ ପୈତୃକ ସମ୍ପତ୍ତି ହରାଇ ସେ ବାବଦକୁ ଉପଯୁକ୍ତ କ୍ଷତିପୂରଣ ନ ପାଇ ବର୍ତ୍ତମାନ ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ପୁଅମାନେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଛନ୍ତି ।
ଦେହରେ ପୁରୁଣା ବସ୍ତ୍ର । ହାତରେ କୋଦାଳ ଧରି ଜମିରେ ମୂଲିଆ ସାଜି କାମ କରିବା ସହ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଚାଳ ଛପର ଘର ଓ କାଠ ଚୁଲିରେ ରୋଷେଇ ଛଡ଼ା ଅନ୍ୟ କିଛି ନାହିଁ ।  ବ୍ରଜ ସୁନ୍ଦର ବିଷୋୟୀ । ବୟସ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ । ନିଜ ସ୍ତ୍ରୀଙ୍କ ସହିତ ଶ୍ରମିକ ସାଜିଥିବା ବ୍ରଜଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ କିନ୍ତୁ ବାସ୍ତବ ସ୍ଥିତି ଥିଲା ଠିକ୍ ଓଲଟା । ବ୍ରଜଙ୍କ ପୈତୃକ ସମ୍ପତ୍ତି ଥିଲା ୧୭୫ ଏକରରୁ ଊର୍ଦ୍ଧ୍ୱ ଜମି । ତେନ୍ତୁଳିଖୁଣ୍ଟି ବ୍ଲକ ମୁଣ୍ଡିଗୁମ୍ମା ଗ୍ରାମରେ ୯୩ ଏକର, ମୁଣ୍ଡାଗୁଡ଼ାରେ ୫ .୮୧ ଏକର ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଆମ୍ବଗୁଡା ଗ୍ରାମରେ ଥିଲା ୮୦ ଏକର ଜମି । ଦୈନିକ ଶହ ଶହ ମୂଲିଆ ଜମିରେ ମୂଲ ଲାଗୁଥିଲେ । ଧାନ ଚାଉଳରେ ଘର ପୂରି ଉଠୁଥିଲା । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ କିନ୍ତୁ ବଦଳାଇଦେଲା ବ୍ରଜଙ୍କ ପରିବାରର ଚିତ୍ର । ଭାଗ୍ୟାକାଶରେ ଘୋଟିଆସିଥିଲା ଅଜଣା ଅନ୍ଧକାର । ସବୁ ହରାଇବା ପରେ ଚାଳ ଛପର ଦଦରା ଘର ପାଲଟିଛି ସାହା ଭରସା । ଦିନେ ଯାହାଙ୍କ ଘରେ ଧାନ ଚାଉଳରେ ପୂରି ଉଠୁଥିଲା ବର୍ତ୍ତମାନ ତାଙ୍କୁ ସରକାରଙ୍କ ପ୍ରଦତ୍ତ ପିଡିଏସ୍ ଚାଉଳ ପାଇଁ ଲଗାଇବାକୁ ପଡୁଛି ଲମ୍ବା ଲାଇନ୍ । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ଘୋଷଣା ପରେ ୧୯୮୬ ମସିହାରେ ଜମି ହରାଇଥିବାରୁ ମୁଣ୍ଡିଗୁମ୍ମା ଗ୍ରାମରେ ଥିବା ୯୩.୨୭ ଏକର ଜମି ଓ ମୁଣ୍ଡାଗୁଡ଼ାରେ ଥିବା ୫.୮୧ ଏକର ଜମି ପାଇଁ ୧ ଲକ୍ଷ ୪୧ ହଜାର ୩୮୭ ଟଙ୍କା ୬୦ ପଇସା, ଏହାସହ ଆମ୍ବଗୁଡା ଗ୍ରାମରେ ଥିବା ୮୦ ଏକର ଜମି ପାଇଁ ୬୪ ହଜାର ୮୬୧ ଟଙ୍କା ୮୦ ପଇସା କ୍ଷତିପୂରଣ ମିଳିଥିବା ବ୍ରଜ କହିଛନ୍ତି । କିନ୍ତୁ ଆମ୍ବଗୁଡ଼ାରେ ବିଷୋୟୀ ପରିବାରର ୨୧ ଏକର ଜମି ଅଧିଗ୍ରହଣ କରାଯାଇ ସେ ବାବଦକୁ ୬୪ ହଜାର ୮୬୧ ଟଙ୍କା ୮୦ ପଇସା ପ୍ରଦାନ କରାଯାଇଥିବା ରେକର୍ଡରେ ଦର୍ଶାଯାଇଛି । ତେବେ ୧୭୫ ଏକର ଜମି ହରାଇ ପ୍ରତିବଦଳରେ ପାଇଥିବା ଏହି କ୍ଷତିପୂରଣ ଟଙ୍କା ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ ଥିଲା ବୋଲି ବ୍ରଜ କହିଛନ୍ତି । ଏହାସହ ସ୍ଥାନାନ୍ତର ହୋଇଥିବା ଫଟାଗୁଡା ଗ୍ରାମରେ ଘର କରିବା ଓ ଜମି କିଛି ଅର୍ଥ ପ୍ରଦାନ କରାଯାଇଥିବା ବ୍ରଜ ପ୍ରକାଶ କରିଛନ୍ତି । ଇନ୍ଦ୍ରାବତୀ ପ୍ରକଳ୍ପ ସର୍ବହରା କରିଦେଇଥିବା ସେଅଭିଯୋଗ କରିଛନ୍ତି । ବୟସର ଅପରାହ୍ନରେ ପେଟ ପାଇଁ ଦାନା ଯୋଗାଡ଼ିବାରେ ବ୍ୟସ୍ତ ଥିବାବେଳେ ପୁଅମାନେ ବାହାର ରାଜ୍ୟ ଦାଦନ ଖଟିବାକୁ ଯାଇଛନ୍ତି । ବିସ୍ଥାପିତ ପରିବାରଙ୍କୁ ଉପଯୁକ୍ତ ଥଇଥାନ ଓ ଅନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସୁଦ୍ଧା କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି ବ୍ରଜ । ବହୁତ ଦାବି ଓ ଆନ୍ଦୋଳନ ପରେ ଗତବର୍ଷ ସରକାରଙ୍କ ତରଫରୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି । ସରକାରଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସ କରି ସକଳ ସମ୍ପତ୍ତି ତ୍ୟାଗ କରି ଫଟାଗୁଡ଼ାକୁ ଆସିଛନ୍ତି । କିନ୍ତୁ ପ୍ରକଳ୍ପ ନିର୍ମାଣ ସମୟରେ ସରକାର ଦେଇଥିବା ନିଜ ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଯଦି ଆଗାମୀ ଦିନରେ ସରକାର ବିସ୍ଥାପିତଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନିମନ୍ତେ ପଦକ୍ଷେପ ନ ନିଅନ୍ତି ତେବେ ବିସ୍ଥାପିତ ପରିବାର ଲୋକେ ନଦୀକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking