26.1 C
Bhubaneswar
Wednesday, May 8, 2024
Homeଓଡିଶାହତ୍ୟା ସନ୍ଦେହରେ, ଜୁଇରୁ ଉଠାଇନେଲେ ଶବ

ହତ୍ୟା ସନ୍ଦେହରେ, ଜୁଇରୁ ଉଠାଇନେଲେ ଶବ

ଭୁବନେଶ୍ୱର : ଜୁଇରେ କାଠ ଖଞ୍ଜାଯାଇଥିଲା । ମୁଖାଗ୍ନି ଦେବାକୁ ପ୍ରସ୍ତୁତି ସରିଥିଲା । କିଛି ସମୟ ପରେ ଜଳିଥାନ୍ତା ନିଆଁ । ହେଲେ ପହଞ୍ଚିଗଲା ପୋଲିସ । ହତ୍ୟା ସନ୍ଦେହରେ ଜୁଇରୁ ଉଠାଇଆଣିଲେ ଶବ । ବ୍ୟବଚ୍ଛେଦ ପରେ ଜଣାପଡ଼ିଲା ମୃତ୍ୟୁ ବାର୍ଦ୍ଧକ୍ୟଜନିତ । ଏଭଳି ଘଟଣା ଶନିବାର ରାଜଧାନୀର ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ତଳସାହିରେ ନୃସିଂହ ଚରଣ ମଲିଆ(୮୩) ନାମକ ଜଣେ ବୃଦ୍ଧ ରହୁଥିଲେ । ସେ ଅବିବାହିତ ଥିବାବେଳେ ତାଙ୍କ ଭଣଜାକୁ ପୁଅକରି ପାଖରେ ରଖିଥିଲେ । ଦୀର୍ଘଦିନ ହେବ ସେ ରୋଗାଗ୍ରସ୍ତ ଥିଲେ । ଶନିବାର ସକାଳେ ତାଙ୍କର ଅକସ୍ମାକ ମୃତ୍ୟୁ ଘଟିଥିଲା ।

ଏହାପରେ ତାଙ୍କ ଭଣଜା ଶେଷକର୍ମ କରିବା ପାଇଁ ମୃତଦେହକୁ ମଶାଣି ନେଇଥିଲେ । ମଶାଣି ଯାଇ ଜୁଇ ସଜଡ଼ାଯିବା ସହ ସମସ୍ତ ପ୍ରସ୍ତୁତି ସରିଥିଲା । ଏମିତିକି ମୃତଦେହ ଜୁଇ ଉପରେ ରଖାଯାଇଥିଲା । ଏତିକିବେଳେ ମୃତକ ନୃସିଂହଙ୍କ ପୁତୁରା ପୁଲିସ ନିକଟରେ ପହଞ୍ଚି ଦାଦାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଏହାଶୁଣି ପୁଲିସ ତାଙ୍କୁ ଲିଖିତ ଅଭିଯୋଗ କରିବାକୁ କହିଥିଲେ ବି ସେ ମନା କରିଥିଲେ । ଏହାପରେ ପୁଲିସ ମଶାଣିକୁ ଯାଇ ଜୁଇରୁ ଶବକୁ ଉଠାଇ ନେଇଥିଲା । ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ସରିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ବୃଦ୍ଧଙ୍କୁ ହତ୍ୟା କରାଯାଇନାହିଁ ।

ତାଙ୍କର ସାଧାରଣ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୁତୁରାର ଏଭଳି ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରିବାରୁ ଜାଣିବାକୁ ପାଇଛି ଯେ, ସମ୍ପୃକ୍ତ ପୁତୁରା ଦୀର୍ଘ ୩୦ବର୍ଷ ହେବ ନୃସିଂହଙ୍କ ସହ କଥାବାର୍ତ୍ତା ହେଉନାହାନ୍ତି । ଏମିତିକି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଦୁହେଁ ଅଲଗା ରହୁଥିଲେ । ନୃସିଂହଙ୍କ ପରେ ତାଙ୍କ ଭଣଜା ସମସ୍ତ ସମ୍ପତ୍ତିର ମାଲିକ ହେବ । ଏହା ଚିନ୍ତା କରି ନୃସିଂହଙ୍କ ପୁତୁରା ଏକ ଷଡ଼ଯନ୍ତ୍ର ରଚିଥିଲେ । ଦାଦାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ, ପୁଲିସ ଭଣଜାକୁ ଗିରଫ କରିବ ବୋଲି ସେ ଭାବିନେଇଥିଲେ । ହେଲେ ତଦନ୍ତ ପରେ ଏସବୁ ରହସ୍ୟ ଉନ୍ମୋଚନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking