32.1 C
Bhubaneswar
Friday, April 26, 2024
Homeଦଶମ ପରୀକ୍ଷା-୨୦୨୨ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କପି କରି ଧରାପଡି ୨୩ ଏମପି

ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କପି କରି ଧରାପଡି ୨୩ ଏମପି

କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ଦେଇଥିଲେ । ୨୩ଜଣ ଛାତ୍ରଛାତ୍ରୀ କପି କରି ଧରାପଡ ମାଲ ପ୍ରାକ୍ଟିସ (ଏମପି) ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଜଣ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ରେଗୁଲାର ଛାତ୍ରଛାତ୍ରୀ ହୋଇଥିବାବେଳେ ଅନ୍ୟ ୩ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ରହିଛନ୍ତି । ଆସନ୍ତା ମେ ୨ ତାରିଖ ଦ୍ୱିତୀୟ ଦିନରେ ଗଣିତ ବିଷୟରେ ପରୀକ୍ଷା ହେବ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ଓ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଯାଇଛି । କୋଭିଡ ନିୟମ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ସିଟିଂ ଆରେଞ୍ଜମେଣ୍ଟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବୋର୍ଡ ନୂତନ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା କରାଯାଉଛି । ଗତବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାୟନ ହୋଇଥିଲା । ଏହାକୁ ନେଇ ବିଭିନ୍ନ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । ଏଥର ଅଫଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା ହେଉଛି । ଚଳିତଥର ରାଜ୍ୟରେ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତନ୍ମଧ୍ୟରୁ ରେଗୁଲାର ବର୍ଗର ୫ ଲକ୍ଷ ୭୧ ହଜାର ୯୦୯ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ ହଜାର ୩୭୮ଜଣ ଏବଂ ସଂସ୍କୃତ ମଧ୍ୟମାରେ ୪ ହଜାର ୪୪୩ଜଣ ଛାତ୍ରଛତ୍ରୀ ରହିଛନ୍ତି ।

ପରୀକ୍ଷଚୁ ସୁପରିଚାଳନା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କପି ରୋକିବାକୁ ମୋଟ ୯୩ଟି ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି । ସେଥିମଧ୍ୟରୁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ୩୮ଟି ସ୍କ୍ୱାର୍ଡ ଏବଂ ଜିଲ୍ଲାସ୍ତରରେ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ରହିଛନ୍ତି । ପ୍ରକାଶ ଥାଉକି, ଶୁକ୍ରବାର ସକାଳ ୭ଟାରୁ ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆସିଥିଲା । ଛାତ୍ରଛାତ୍ରୀମାନେ ମଧ୍ୟ ୪୫ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଶେଷ ହୋଇଥିଲା । କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡର ବ୍ୟବସ୍ଥା ହୋଇଛି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ହେଇଛି । ପ୍ରଥମ ଦିନ ସକାଳ ୭ଟାରୁ ଏବଂ ଅନ୍ୟ ଦିନ ୭ଟା ୧୫ରୁ ଖୋଲିବ ପରୀକ୍ଷା କେନ୍ଦ୍ର ।

ପିଲାଙ୍କୁ ପରୀକ୍ଷା ଆରମ୍ଭର ୧୫ ମିନିଟ ପୂର୍ବରୁ ଅର୍ଥାତ ସକାଳ ୭ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ । ମାଟ୍ରିକଙ୍କ ପାର୍ଟ-୧ ପରୀକ୍ଷା ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ ଏବଂ ପାର୍ଟ-୨ ପରୀକ୍ଷା ୯ଟାରୁ ୧୦ଟା ପର୍ଯ୍ୟନ୍ତ ହେବ । କେବଳ ଗଣିତରେ ଛାତ୍ରଛାତ୍ରୀ ଅତିରିକ୍ତ ୧୫ ମିନିଟ ଅଧିକ ସମୟ ମିଳିବ । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡି ବାରଣ କରାଯାଇଛି । ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରିଟେଣ୍ଟେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସରିବାର ୨ ଘଣ୍ଟା ମଧ୍ୟରେ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା କେନ୍ଦ୍ର ଅଧିକ୍ଷକ ବୋର୍ଡ କାର୍ଯ୍ୟାଳୟକୁ ଅନଲାଇନରେ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking