27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପାୱାର ପ୍ଳାଣ୍ଟକୁ କୋଇଲା ଯୋଗାଣ ପାଇଁ ୬୫୭ ପାସେଞ୍ଜର୍ ଟ୍ରେନ ବାତିଲ

ପାୱାର ପ୍ଳାଣ୍ଟକୁ କୋଇଲା ଯୋଗାଣ ପାଇଁ ୬୫୭ ପାସେଞ୍ଜର୍ ଟ୍ରେନ ବାତିଲ

ନୂଆଦିଲ୍ଲୀ : ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବିଦ୍ୟୁତ୍‌ର ଚାହିଦା ବଢ଼ୁଥିବା ବେଳେ କୋଇଲା ଅଭାବରୁ ଏକ-ଚତୁର୍ଥାଂଶ ପାୱାର୍ ପ୍ଲାଣ୍ଟ୍ ବନ୍ଦ ହୋଇଯାଇଛି । ଫଳରେ ୧୬ଟି ରାଜ୍ୟରେ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଛି । ପାୱାର୍ ପ୍ଲାଣ୍ଟ୍‌ଗୁଡ଼ିକରେ ତୁରନ୍ତ କୋଇଲା ପହଞ୍ଚାଇବା ପାଇଁ ରେଳ ମନ୍ତ୍ରଣାଳୟ ଇତିମଧ୍ୟରେ ଏକ ବଡ଼ ପଦକ୍ଷେପ ନେଇଛି । କୋଇଲା ନେଇ ଯାଉଥିବା ମାଲଗାଡ଼ିଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ପାୱାର ପ୍ଳାଣ୍ଟଗୁଡ଼ିକରେ ପହଞ୍ଚାଇବା ନିମନ୍ତେ ରେଳବାଇ ୫୦୦ ମେଲ୍ ଓ ଏକ୍ସପ୍ରେସ୍ ସମେତ ମୋଟ ୬୫୭ ପାସେଞ୍ଜର୍ ଟ୍ରେନ୍ ଚଳାଚଳ ବାତିଲ କରିଛି । ଭାରତୀୟ ରେଳବାଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌରବକୃଷ୍ଣ ବନ୍‌ସନ୍‌ଙ୍କ କହିବା ଅନୁସାରେ, ପାସେଞ୍ଜର ଟ୍ରେନ୍ ବାତିଲ କରିବା ନିଷ୍ପତ୍ତି ଅସ୍ଥୀୟୀ ।

ସ୍ଥିତି ସୁଧୁରିବା ପରେ ଏହି ଟ୍ରେନ୍ ଚଳାଚଳ ପୁଣିଥରେ ଆରମ୍ଭ କରାଯିବ । ଏହି ନିଷ୍ପତ୍ତି ପରେ ରେଳବାଇ ନିଜ ଫ୍ଲିଟ୍‌ରେ ଏକ ଲକ୍ଷ ଅଧିକ ୱାଗନ୍ ସାମିଲ କରିବାକୁ ଯାଉଛି । ଏହା ବ୍ୟତୀତ ମାଲ୍ ଶୀଘ୍ର ପହଞ୍ଚାଇବା ପାଇଁ ରେଳବାଇ ଡେଡିକେଟେଡ୍ ଫ୍ରେଟ୍ କରିଡର୍ସ ମଧ୍ୟ ପ୍ରସ୍ତୁତ କରୁଛି । ଏହା ସହିତ ରେଳବାଇ ଦୈନିକ କୋଇଲା ର‌୍ୟାକ୍ ଲୋଡିଂ ୪୦୦ରୁ ଅଧିକ କରିଛି । ଏହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ । ବର୍ତ୍ତମାନର କୋଇଲା ଚାହିଦା ପୂରଣ କରିବା ପାଇଁ ରେଳବାଇ ପ୍ରତିଦିନ ୪୧୫ କୋଇଲା ର‌୍ୟାକ୍ ଲୋଡିଂ କରୁଛି । ପ୍ରତ୍ୟେକ କୋଇଲା ର‌୍ୟାକ୍‌ରେ ୩୫୦୦ ଟନ୍ କୋଇଲା ରହିଥାଏ ।

ଅନ୍ୟପକ୍ଷରେ କୋଇଲା ଅଭାବ ଯୋଗୁଁ ହେଉଥିବା ବିଦ୍ୟୁତ୍ କାଟ୍‌ର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି । କୋଇଲା ଅଭାବ ଯୋଗୁଁ ଦେଖା ଦେଇଥିବା ବିଦ୍ୟୁତ୍ ସଂକଟ ମଧ୍ୟରେ ଦିଲ୍ଲୀ ସରକାର ମେଟ୍ରୋ ଓ ହସ୍ପିଟାଲ୍ ସମେତ କେତେକ ଅତ୍ୟାବଶ୍ୟକ ସଂସ୍ଥାକୁ ବିଦ୍ୟୁତ୍ ଯୋଗାଇବାରେ ଅସମର୍ଥତା ଜଣାଇଛନ୍ତି । ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସ୍ଥିତି ଆକଳନ ନିମନ୍ତେ ଗୁରୁବାର ଏକ ଜରୁରିକାଳୀନ ବୈଠକ ଡକାଇଥିଲେ । ଏହା ସହିତ କେନ୍ଦ୍ରକୁ ପତ୍ର ଲେଖି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଉଥିବା ପାୱାର୍ ପ୍ଲାଣ୍ଟ୍‌ଗୁଡ଼ିକ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧ କରାଇବା ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରିଥିଲେ ।

ଦିଲ୍ଲୀର ପାୱାର ପ୍ଲାଣ୍ଟ୍‌ଗୁଡ଼ିକରେ ମାତ୍ର ଗୋଟିଏ ଦିନର କୋଇଲା ମହଜଦୁ ରହିଛି ବୋଲି ଜୈନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ୧୮ ପିଟ୍‌ହେଟ୍ ପ୍ଲାଣ୍ଟ୍‌ରେ ନିର୍ଦ୍ଧାରିତ ମାନକର ୭୫ ପ୍ରତିଶତ କୋଇଲା ରହିଥିବା ବେଳେ ଦୂର ଦୂରାନ୍ତ (ନନ୍‌-ପିଟ୍‌ହେଡ୍‌)ର ୧୪୭ ପାୱାର୍ ପ୍ଲାଣ୍ଟ୍‌ରେ ନିର୍ଦ୍ଧାରିତ ମାନକର ହାରିହାରି ୨୫% କୋଇଲା ଉପଲବ୍ଧ ହୋଇଥାଏ । ଯଦି ଏହି ପାୱାର ପ୍ଲାଣ୍ଟ୍‌କୁ ଶତପ୍ରତିଶତ ନିର୍ଦ୍ଧାରିତ ମାନକର କୋଇଲା ଷ୍ଟକ୍ ମିଳେ, ତେବେ ପିଟ୍‌ହେଡ ପ୍ଲାଣ୍ଟ ୧୭ ଦିନ ଏବଂ ନନ୍‌-ପିଟ୍‌ହେଟ୍ ପ୍ଲାଣ୍ଟ୍ ୨୬ ଦିନ ପର୍ଯ୍ୟନ୍ତ ଚାଲିପାରିବ । ଦେଶର ମୋଟ ୧୭୩ ପାୱାର୍ ପ୍ଲାଣ୍ଟ୍ ମଧ୍ୟରୁ ୧୦୬ ପ୍ଲାଣ୍ଟ୍‌ରେ କୋଇଲା ଶୂନ୍ୟରୁ ୨୫% ମଧ୍ୟରେ ରହିଛି । ପ୍ରକୃତରେ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ୍‌ଗୁଡ଼ିକ କୋଇଲାର ଷ୍ଟକ୍ ଅନୁସାରେ ବିଦ୍ୟୁତ୍ ଉତ୍ପାଦନ ସୂଚୀ ପ୍ରସ୍ତୁତ କରିଥାନ୍ତି । ପୂର୍ଣ୍ଣ ଷ୍ଟକ୍ ମିଳିଲେ ବିଦ୍ୟୁତ୍ ଉତ୍ପାଦନ ଶତପ୍ରତିଶତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking