26.1 C
Bhubaneswar
Tuesday, May 7, 2024
Homeଖେଳମାଲେସିଆ ମାଷ୍ଟର୍ସ: ସେମିରେ ସିନ୍ଧୁ ଓ ପ୍ରଣୟ

ମାଲେସିଆ ମାଷ୍ଟର୍ସ: ସେମିରେ ସିନ୍ଧୁ ଓ ପ୍ରଣୟ

କୁଆଲାଲୁମ୍ପୁର୍ : ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ତାରକା ମହିଳା ଶଟଲର୍ ପିଭି ସିନ୍ଧୁ ଓ ପୁରୁଷ ସିଙ୍ଗଲ୍ସ ଖେଳାଳି ଏଚ୍‌ଏସ୍ ପ୍ରଣୟ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କିନ୍ତୁ ଅନ୍ୟତମ ପୁରୁଷ ସିଙ୍ଗଲ୍ସ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ପରାଜୟ ସହ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି । ସିନ୍ଧୁ ଏହି ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍‌ରେ ଶୁକ୍ରବାର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଚୀନ୍‌ର ୟି ମାନ୍ ଝାଙ୍ଗ୍‌ଙ୍କୁ ୨୧-୧୬, ୧୩-୨୧, ୨୨-୨୦ରେ ପରାସ୍ତ କରି ଅନ୍ତିମ ୪ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି । ଡବଲ୍ ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ଟୁର୍ଣ୍ଣାମେଣ୍ଟ୍‌ରେ ଷଷ୍ଠ ସିଡ୍‌ର ମାନ୍ୟତା ପାଇଥିଲେ ହେଁ ତାଙ୍କୁ ର‌୍ୟାଙ୍କ୍‌ରେ ଯଥେଷ୍ଟ ତଳେ ଥିବା ଝାଙ୍ଗ୍‌ଙ୍କ ବିପକ୍ଷରେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଥିଲା । କିନ୍ତୁ ଶେଷରେ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ତ୍ରୟୋଦଶ ସ୍ଥାନରେ ଥିବା ସିନ୍ଧୁ ଅଷ୍ଟାଦଶ ର‌୍ୟାଙ୍କ୍‌ର ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଥିଲେ ।

ଏଥିସହ ସିନ୍ଧୁ ଚଳିତ ବର୍ଷର ଅଲ୍ ଇଂଲଣ୍ଡ ଓପନ୍‌ରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଛନ୍ତି । ଗତ ବର୍ଷ ମାଲେସିଆ ମାଷ୍ଟର୍ସରେ ମଧ୍ୟ ଝାଙ୍ଗ୍‌ଙ୍କ ବିପକ୍ଷରେ ସିନ୍ଧୁ ବିଜୟୀ ହୋଇଥିଲେ । ସିନ୍ଧୁ ଶନିବାର ସେମିଫାଇନାଲ୍‌ରେ ବିଶ୍ୱର ୯ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟ୍‌ର ସପ୍ତମ ସିଡ୍ ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ଟୁନ୍‌ଜୁଙ୍ଗ୍‌ଙ୍କୁ ଭେଟିବେ । କାରଣ ଟୁନ୍‌ଜୁଙ୍ଗ୍ ତାଙ୍କ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଚୀନ୍‌ର ଦ୍ୱିତୀୟ ସିଡ୍ ଖେଳାଳି ୟି ଝି ୱାଙ୍ଗ୍‌ଙ୍କୁ ୨୧-୧୮, ୨୨-୨୦ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବା ସହ ସେମିରେ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଣୟ ତାଙ୍କ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଜାପାନର କେଣ୍ଟା ନିଶିମୋଟୋଙ୍କୁ ୨୫-୨୩, ୧୮-୨୧, ୨୧-୧୩ରେ ପରାସ୍ତ କରିଛନ୍ତି । ପ୍ରଣୟଙ୍କର ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ୫୭ ର‌୍ୟାଙ୍କ୍ ଖେଳାଳି କ୍ୱାଲିଫାୟର୍ କ୍ରିଷ୍ଟିଆନ୍ ଆଡିନାଟାଙ୍କ ସହ ମୁକାବିଲା ହେବ । କାରଣ ଆଡିନାଟା ତାଙ୍କ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଶ୍ରୀକାନ୍ତଙ୍କୁ ୧୬-୨୧, ୨୧-୧୬, ୨୧-୧୧ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍‌ଟି ୫୭ ମିନିଟ୍ ଧରି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking