26.1 C
Bhubaneswar
Tuesday, October 3, 2023
Homeଖେଳଡବ୍‌ଲ୍ୟୁଟିସି ଚାମ୍ପିଅନ୍‌କୁ ମିଳିବ ୧.୬ ନିୟୁତ ଆମେରିକୀୟ ଡଲାର୍‌

ଡବ୍‌ଲ୍ୟୁଟିସି ଚାମ୍ପିଅନ୍‌କୁ ମିଳିବ ୧.୬ ନିୟୁତ ଆମେରିକୀୟ ଡଲାର୍‌

ଦୁବାଇ: ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଦି ଓଭାଲ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ର ଚାମ୍ପିଅନ୍ ଟିମ୍‌କୁ ୧.୬ ନିୟୁତ ଆମେରିକୀୟ ଡଲାର୍ ପୁରସ୍କାର ରାଶି ମିଳିବ ବୋଲି ଶୁକ୍ରବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ରନର୍ସଅପ୍ ଟିମ୍ ୮ ଲକ୍ଷ ଆମେରିକୀୟ ଡଲାର୍‌ର ପୁରସ୍କାର ରାଶି ପାଇବ ବୋଲି ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି । ଆହୁରି ତୃତୀୟ ସ୍ଥାନରେ ଥିବା ସାଉଥ୍ ଆଫ୍ରିକା ଟିମ୍‌କୁ ସାଢ଼େ ୪ ଲକ୍ଷ ଆମେରିକୀୟ ଡଲାର୍ ପୁରସ୍କାର ରାଶି ପ୍ରଦାନ କରାଯିବ ।

ତା’ଛଡ଼ା ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର୍‌, ପଞ୍ଚମରେ ଥିବା ଶ୍ରୀଲଙ୍କାକୁ ୨ ଲକ୍ଷ ଆମେରିକୀୟ ଡଲାର୍ ଏବଂ ଷଷ୍ଠରୁ ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ, ୱେଷ୍ଟ୍‌ଇଣ୍ଡିଜ୍ ଓ ବାଂଲାଦେଶ ଟିମ୍‌କୁ ୧ ଲକ୍ଷ ଆମେରିକୀୟ ଡଲାର୍ ଲେଖାଏଁ ପୁରସ୍କାର ଆକାରରେ ମିଳିବ ବୋଲି ଆଇସିସି ସ୍ପଷ୍ଟ କରିଛି । ଏହି ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ସଂସ୍କରଣ ପାଇଁ ଘୋଷିତ ପୁରସ୍କାର ରାଶି ଗତ ୨୦୧୯-୨୧ରେ ଖେଳାଯାଇଥିବା ପ୍ରଥମ ସଂସ୍କରଣ ସହ ସମାନ ରହିଛି । ମୋଟ ପୁରସ୍କାର ରାଶି ପରିମାଣ ୩.୮ ନିୟୁତ ଆମେରିକୀୟ ଥିବା ବେଳେ ଚାମ୍ପିଅନ୍ ଟିମ୍‌କୁ ଡବ୍‌ଲ୍ୟୁଟିସି ଗଦା ମଧ୍ୟ ମିଳିବ । ଦୁଇ ବର୍ଷ ତଳେ ଇଂଲଣ୍ଡର ସାଉଥାମ୍ପଟନ୍‌ଠାରେ ଖେଳାଯାଇଥିବା ପ୍ରଥମ ସଂସ୍କରଣର ଫାଇନାଲ୍‌ରେ ଭାରତକୁ ପରାସ୍ତ କରି କେନ୍ ୱିଲିଅମ୍‌ସନ୍‌ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ୍ ଚାମ୍ପିଅନ୍ ହେବା ସହ ଏହି ଗଦା ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking