29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମହାରାଷ୍ଟ୍ର ରାଜନୀତି: ୧୧ ଦିନ ପରେ ମୁମ୍ବାଇ ଫେରିଲେ ବିଦ୍ରୋହୀ

ମହାରାଷ୍ଟ୍ର ରାଜନୀତି: ୧୧ ଦିନ ପରେ ମୁମ୍ବାଇ ଫେରିଲେ ବିଦ୍ରୋହୀ

ମୁମ୍ବାଇ : ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସହ ମୁମ୍ବାଇ ଫେରିଛନ୍ତି । ୧୧ ଦିନ ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଘଟିଛି । ସମସ୍ତ ବିଦ୍ରୋହୀ ବିଧାୟକ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସହ ମୁମ୍ବାଇର ହୋଟେଲ୍ ତାଜ୍ ପ୍ରେସିଡେନ୍ସି ପହଞ୍ଚିଛନ୍ତି । ସେଠାରେ ବିଜେପି ଏବଂ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସଂଯୁକ୍ତ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରାଯିବ । ସୂତ୍ର ଅନୁସାରେ ବିଧାୟକମାନେ ଗୋଟିଏ ଦିନ ହୋଟେଲ୍‌ରେ ରହିବେ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସ୍ ବିଧାୟକଙ୍କୁ ଭେଟିବା ପାଇଁ ହୋଟେଲ୍‌ରେ ପହଞ୍ଚିଛନ୍ତି ।

ଇତିମଧ୍ୟରେ ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ପାଇଁ ଶିବସେନା ପକ୍ଷରୁ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଛି । ଶିବସେନା ମୁଖ୍ୟ ହ୍ୱିପ୍ ସୁନୀଲ ପ୍ରଭୁ ପାର୍ଟିର ବିଧାୟକମାନଙ୍କୁ ଜୁଲାଇ ୩ ଓ ୪ ତାରିଖରେ ବିଧାନସଭାରେ ଉପସ୍ଥିତ ରହିବାକୁ କହିଛନ୍ତି । ସୂଚନାଯୋଗ୍ୟ ରବିବାର (୩ ତାରିଖ) ବିଧାନସଭା ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଶିବସେନା ବିଧାୟକ ରାଜନ ସାଲ୍‌ଭି ମହାବିକାଶ ଅଘାଡ଼ି ପକ୍ଷରୁ ମିଳିତ ବାଚସ୍ପିତ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମେଣ୍ଟର ଅନ୍ୟତମ ସଦସ୍ୟ କଂଗ୍ରେସ ଏବଂ ଏନ୍‌ସିପି ପକ୍ଷରୁ ମଧ୍ୟ ନିଜ ନିଜର ବିଧାୟକଙ୍କୁ ଆସନ୍ତାକାଲି ବିଧାନସଭାରେ ଉପସ୍ଥିତ ରହିବାକୁ କୁହାଯାଇଛି ।
ସିନ୍ଧେଙ୍କ ବିରୋଧରେ ଉଦ୍ଧବଙ୍କ ଆକ୍ସନ୍‌
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ଶନିବାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସିନ୍ଧେଙ୍କୁ ଠାକ୍‌ରେ ଶିବସେନା ନେତା ପଦରୁ ହଟାଇ ଦେଇଛନ୍ତି । ଏ ନେଇ ଠାକ୍‌ରେଙ୍କ ପକ୍ଷରୁ ପତ୍ର ଜାରି କରାଯାଇଛି । ପତ୍ରରେ ଠାକ୍‌ରେ ସିନ୍ଧେଙ୍କ ବିରୋଧରେ ପାର୍ଟି ବିରୋଧୀ ଗତିବିଧିରେ ସାମିଲ ହେବା ଏବଂ ପାର୍ଟି ଭାଙ୍ଗିବାକୁ ଉଦ୍ୟମ କରିଥିବା ଅଭିଯୋଗ ଲଗାଇଛନ୍ତି । ସୂଚନାଯୋଗ୍ୟ, ବାଲାସାହେବ ଠାକ୍‌ରେ ଶିବସେନାରେ ଥିବାବେଳେ ଶିବସେନା ପ୍ରମୁଖ ପଦବୀ ବ୍ୟତୀତ ‘ଶିବସେନା ନେତା’ ପଦବୀର ସୃଜନ କରିଥିଲେ । ପାର୍ଟିରେ ଶିବସେନା ପ୍ରମୁଖଙ୍କ ପଦ ସବୁଠୁ ବଡ଼ ହୋଇଥିବା ବେଳେ ଶିବସେନା ନେତା ପାର୍ଟିର ନୀତି ନିର୍ଦ୍ଧାରଣରେ ଭାଗ ନେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking