28.9 C
Bhubaneswar
Sunday, May 5, 2024
Homeଓଡିଶାମହାନଦୀ ଜଳବିବାଦ: ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସଦସ୍ୟଙ୍କ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ ଓ...

ମହାନଦୀ ଜଳବିବାଦ: ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସଦସ୍ୟଙ୍କ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ ଓ କ୍ଷେତ୍ରପରିଦର୍ଶନ

କଟକ: ମହାନଦୀର ତଳମୁଣ୍ଡରେ ଉଦବେଗଜନକ ଭାବେ ଜଳସ୍ତର ହ୍ରାସ ପାଉଥିବାରୁ ଏଥିନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳବିବାଦ ଲାଗିରହଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏଏମ ଖାନୱିଲକର, ଜଷ୍ଟିସ୍ ଇନ୍ଦରମିତ କଉର କୋଚର, ଜଷ୍ଟିସ୍ ଏକେ ପାଠକ ଏବଂ ଅନ୍ୟ ସଦସ୍ୟମାନେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଜମି ଆକଳନକାରୀ ସଞ୍ଜୀବ ଅଗରୱାଲ ଓ ବିଜୟ କୁମାର ଦ୍ୱିବେଦୀ ଏହି ଟିମରେ ସାମିଲ ଥିଲେ ।

ଏହି ଟିମ ଭୁବନେଶ୍ୱରରୁ ବାହାରି ବାରଙ୍ଗ ଛକ ଦେଇ ତ୍ରିଶୁଳିଆ, ସାଇ ଇଣ୍ଟରନ୍ୟାସନାଲ ରାସ୍ତା ଦେଇ ମୁଣ୍ଡଳି ଠାରେ ପହଞ୍ଚିଥିଲେ । ସେଠାରେ ମହାନଦୀ ବ୍ରିଜ ସହିତ ପୁରୀ ମୁଖ୍ୟ କେନାଲକୁ ମଧ୍ୟ ଅନୁଧ୍ୟାନ କରିବା ପରେ ମୁଣ୍ଡଳି ବ୍ୟାରେଜ ଦେଇ ଆଠଗଡ଼ ଛକରେ ପହଞ୍ଚି ସାପୁଆନଦୀ ଓ ମହାନଦୀର ସଂଯୋଗସ୍ଥଳ ପରିଦର୍ଶନ କରିବା ସହ ବାବା ସର୍ପେଶ୍ୱରଙ୍କୁ ଦର୍ଶନ କରିଥିଲେ । ଏହାପରେ ଏହି ଟିମ ପିକକ୍ ଭ୍ୟାଲି ଓ ନରାଜ ଗ୍ରାମ ଦେଇ ୧୨ଟା ୩୦ ମିନିଟ ସମୟରେ ନରାଜ ବ୍ୟାରେଜ ଠାରେ ପହଞ୍ଚି ମହାନଦୀରୁ କାଠଯୋଡ଼ିର ଉତ୍ପତ୍ତି ସ୍ଥଳକୁ ଅନୁଧ୍ୟାନ କରିଥିଲେ । ତେବେ ନରାଜ ବ୍ୟାରେଜ ଠାରେ ୧୫ମିନଟ ରହଣୀ କରିବା ସହ କଟକର ପ୍ରମୋଦ କନଭେନସନରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ସେଠାରୁ ୩ଟା ୩୦ ମିନିଟ ସମୟରେ ରିଙ୍ଗରୋଡ଼ ଦେଇ ବାଲିଯାତ୍ରା ପଡ଼ିଆ ଓ ହାଡ଼ିଆପଠା ସ୍ଥିତି ଅନୁଧ୍ୟାନ କରିବା ସହ ମହାନଦୀ ବ୍ୟାରେଜର ଜଗତପୁର ବ୍ୟାରେଜ ଛକ ଠାରେ ରହି ମହାନଦୀର ସ୍ଥିତି ଅବଲୋକନ କରିବା ସହ ନିମପୁରବାସିନ୍ଦାଙ୍କ ଠାରୁ ଏକ ସ୍ମାରକପତ୍ର ଗ୍ରହଣ କରିଥିଲେ । ଏହାପରେ ବଟଛକ ଦେଇ ଆଇବି ରୋଡରେ ଚୌଦ୍ୱାରସ୍ଥିତ ବିରୂପା ବ୍ୟାରେଜ ନିକଟରେ ନଦୀର ଅବସ୍ଥା ଯାଞ୍ଚ କରିବା ସହ ଅପରାହ୍ନ ୪ଟା ୩୦ ସମୟରେ ଯୋବ୍ରାସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରି ଶିଖରପୁର ଦେଇ ୧୬ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱର ଫେରିଯାଇଥିଲେ ।

ସୂଚନାଯୋଗ୍ୟ ଯେ ଜଗତପୁର ଠାରେ ମହାନଦୀର ବ୍ୟାରେଜ ଶେଷ ମୁଣ୍ଡରେ ପହଞ୍ଚି ମହାନଦୀର ଅବବାହିକା ପରିଦର୍ଶନ କରିବା ସହ ବ୍ୟାରେଜରେ କେତେ ପରିମାଣରେ ଜଳ ସଞ୍ଚିତ ରହୁଛି ତାହା ଦେଖିଥିଲେ । ଏହି ସମୟରେ ଜଗତପୁର ଅଞ୍ଚଳର ନିମପୁର ବାସୀଙ୍କ ପକ୍ଷରୁ ଯୁବ ଆଇନଜୀବୀ ତଥା ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା ଓ କଟକ-ଚୌଦ୍ୱାର ବିକାଶ ପରିଷଦର ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ବିଶେଷ କରି ଏହି ବ୍ୟାରେଜ ଉପରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଓ ଯାଜପୁର ଜିଲ୍ଲାର କୃଷି ନିର୍ଭର କରିଥାଏ ।

ଖରାଦିନେ ନଦୀରେ ଜଳ ଅଭାବ ହେବା କାରଣରୁ କେନାଲ ମଧ୍ୟ ଶୁଖିଲା ପଡୁଥିବା ଯୋଗୁଁ ଖରାଦିନିଆ କୃଷି ବାଧାପ୍ରାପ୍ତ ହେବା ଏବଂ ଅଧିକାଂଶ ସମୟ ନଦୀ ଶୁଖିଲା ପଡିବା ଯୋଗୁଁ ନଦୀରେ ପଠା ସୃଷ୍ଟି ହେଉଥିବା ଅଭିଯୋଗରେ ଦର୍ଶାଯାଇଛି । ପୁନଶ୍ଚ ମହାନଦୀରେ ଜଳ ଅଭାବ ଯୋଗୁଁ ମାଛ ଧରି ଜୀବିକା ନିର୍ବାହ କରୁଥିବା ସମ୍ପ୍ରଦାୟ ମଧ୍ୟ ମାଛ ଅଭାବରୁ ନିଜର ବୃତ୍ତି ହରାଉଥିବା ନେଇ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ତେବେ ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା ହୋଇଥିବାରୁ ବିଶେଷ କରି ଖରା ଦିନେ ଛତିଶଗଡ଼ ଜଳ ଅବରୋଧ ନକରି ଓଡିଶାକୁ ତାର ନ୍ୟାର୍ଯ୍ୟ ଜଳ ଛାଡିବାକୁ ଦାବି କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରମୋଦ ସାହୁ, ଚିତ୍ତରଞ୍ଜନ ମହାନ୍ତି, ପ୍ରକାଶ ସ୍ୱାଇଁ, ସଚ୍ଚିଦାନନ୍ଦ ଶୁକ୍ଳ, ଲଷ୍ମୀଧର ଶରଣ, ତୀର୍ଥାନନ୍ଦ ପଣ୍ଡା, ରମେଶ ଶରଣ ପ୍ରମୁଖ ଉପସ୍ଥିତ ଥିଲେ ।

ଏତଦଭିନ୍ନ ଛତିଶଗଡ ରାଜ୍ୟର ଆଇନଜୀବୀ, ବିଶେଷଜ୍ଞ, ଛତିଶଗଡ଼ ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ, ମୁଖ୍ୟଯନ୍ତ୍ରୀ, ଦାୟିତ୍ୱ ସମ୍ପର୍ଣ୍ଣ ଅଧିକାରୀ ପ୍ରମୁଖ ଏକ ୨୦ଜଣିଆ ଦଳ ଏହି ଗସ୍ତ କ୍ରମରେ ଉପସ୍ଥିତ ଥିଲେ । ସେହିଭଳି ଓଡିଶାର ନ୍ୟାୟିକ ଦଳରେ ଆଡଭୋକେଟ ଜେନେରାଲ ଅଶୋକ କୁମାର, ବରିଷ୍ଠ ଆଇନଜୀବୀ ମୋହନ ଭି .କଟାର୍କୀ ଓ ଆଇନଜୀବୀମାନେ ଅନ୍ତର୍ଭୁକ୍ତ ଥିବାବେଳେ ଓଡିଶା ପକ୍ଷରୁ ବିଶେଷଜ୍ଞ ଦଳରେ ଯନ୍ତ୍ରୀ ହରମୋହନ ପ୍ରଧାନ, ରାଜେଶ କୁମାର, ରମେଶ କୁମାର ଗୁପ୍ତା, ଡଃ. ଦିବାକର ନାୟକ, ଗୁଲାବ ପ୍ରସାଦ, ଯନ୍ତ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ପରାମର୍ଶଦାତା ଡ. ଏ. ସୁଦର୍ଶନ ରାଓ, ଡ. ପ୍ରମୋଦ ଚନ୍ଦ୍ର ମିଶ୍ର, ଯନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ ଓ ଡ. ମନୋଜ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

ଏହି ଗ୍ରସ୍ତ ସମୟରେ ମୁଖ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଆନ୍ତଃ ରାଜ୍ୟ ଯନ୍ତ୍ରୀମୁଖ୍ୟ ଆଶୁତୋଷ ଦାସ, ମୁଖ୍ୟଯନ୍ତ୍ରୀ ମହାନଦୀ କାଠଯୋଡି ପ୍ରଣାଳୀ ସାଗର ମହାନ୍ତି, ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, କଟକ ପୁଲିସ ଡିସିପି ପିନାକ ମିଶ୍ର, କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ବାଞ୍ଚଳ ଇଂ. ପୂର୍ଣ୍ଣଚନ୍ଦ୍ର ରଥ ଏବଂ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, କେନ୍ଦ୍ରାଞ୍ଚଳ ବିଘ୍ନରାଜ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସାମୁଦ୍ରିକ ସଂଗ୍ରହାଳୟକୁ ଗସ୍ତ ସମୟରେ କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅନିଲ କୁମାର ସାମଲ ଶେଷ ଗସ୍ତକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବିଭାଗୀୟ ଅଧିକାରୀ, ପୁଲିସ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking