40.1 C
Bhubaneswar
Thursday, April 25, 2024
Homeଖେଳଏଫ୍‌ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍‌; ଅନ୍ତିମ ମିନିଟ୍ ଗୋଲ୍‌ରେ ହାରିଲା ଭାରତ

ଏଫ୍‌ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍‌; ଅନ୍ତିମ ମିନିଟ୍ ଗୋଲ୍‌ରେ ହାରିଲା ଭାରତ

ଲଣ୍ଡନ: ଚଳିତ ଏଫ୍‌ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ୨୦୨୨-୨୩ରେ ଶୁକ୍ରବାରଠାରୁ ଭାରତର ୟୁରୋପ ଚରଣ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ଦଳ ଅଲିମ୍ପିକ୍ ଚାମ୍ପିଅନ୍ ବେଲଜିୟମ୍‌ଠାରୁ ୧-୨ରେ ପରାସ୍ତ ହୋଇଛି । ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ମ୍ୟାଚ୍‌ର ଅନ୍ତିମ ମିନିଟ୍ ପର୍ଯ୍ୟନ୍ତ ବରାବର ସ୍ଥିତିରେ ଥିଲେ । କିନ୍ତୁ ଅନ୍ତିମ ମିନିଟ୍‌ରେ ଭାରତର ରକ୍ଷଣ ବିଭାଗର ଖେଳାଳିମାନେ ତ୍ରୁଟି କରିବା ଫଳରେ ବେଲଜିୟମ୍ ଏକାଧିକ ପେନାଲ୍‌ଟି କର୍ଣ୍ଣର୍ ପାଇଥିଲା । ଏଥିରୁ ଗୋଟିଏ ପେନାଲ୍‌ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରି ନେଲସନ୍ ଓନାନା ବେଲଜିୟମ୍‌କୁ ବିଜୟୀ କରାଇଥିଲେ । ଭାରତୀୟ ଦଳର ଭେଟେରାନ୍ ଗୋଲକିପର୍ ପିଆର୍ ଶ୍ରୀଜେଶ ପ୍ରଥମେ ଶଟ୍‌କୁ ରୋକିଥିଲେ ମଧ୍ୟ ଓନାନା ରିବାଉଣ୍ଡ୍‌ରୁ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ । ପୂର୍ବରୁ ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ପଞ୍ଚମ ମିନିଟ୍‌ରେ ଭାରତ ପାଇଁ ହାର୍ଦ୍ଦିକ ସିଂହ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ । କିନ୍ତୁ ତାଙ୍କ ଶଟ୍‌କୁ ବେଲଜିୟମ୍ ଗୋଲ୍‌କିପର୍ ଲୋଇକ୍ ଭାନ୍ ଡୋରେନ୍ ରୋକିଦେବା ଫଳରେ ଭାରତର ଅଗ୍ରଣୀ ସୁଯୋଗ ହାତଛଡ଼ା ହୋଇଥିଲା ।

ଏହି କ୍ୱାର୍ଟର୍‌ର ଅନ୍ତିମ ଭାଗରେ ବେଲଜିୟମ୍‌କୁ ଏକ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା । ତେବେ ଭାରତର ରକ୍ଷଣପନ୍ଥୀ ଖେଳାଳିମାନେ ଏହାକୁ ଅକାମୀ କରିଦେଇଥିଲେ । ଫଳସ୍ୱରୂପ ପ୍ରଥମ ୧୫ ମିନିଟ୍‌ର ଖେଳ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର୍ ପ୍ରାରମ୍ଭରେ ବିଶ୍ୱର ଦୁଇ ନମ୍ବର ଦଳ ବେଲଜିୟମ୍ ଅଗ୍ରଣୀ ଲାଭ କରିଥିଲା । ମ୍ୟାଚ୍‌ର ଅଷ୍ଟାଦଶ ମିନିଟ୍‌ରେ ଥିବିଉ ଷ୍ଟୋକ୍‌ବ୍ରୋକ୍ସଙ୍କ ପେନାଲ୍‌ଟି କର୍ଣ୍ଣର୍‌ରୁ ଅର୍ଜିତ ଗୋଲ୍ ମାଧ୍ୟମରେ ବେଲଜିୟମ୍ ଭାରତ ଉପରେ ଚାପ ସୃଷ୍ଟି କରିବାର ସକ୍ଷମ ହୋଇଥିଲା । କିନ୍ତୁ ମାତ୍ର ୭ ମିନିଟ୍ ପରେ ଭାରତ ସ୍ଥିତି ବରାବର କରିଥିଲା । ଦଳକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ରୁ ମନଦୀପ ସିଂହ ଏହି ଗୋଲ୍‌ଟି ସ୍କୋର୍ କରିଥିଲେ । ବେଲଜିୟମ୍‌ର ଲୋଇକ୍ ଲୁପେର୍ଟ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏଥିସହ ଭାରତର ନୂଆ କୋଚ୍ କ୍ରେଗ୍ ଫୁଲଟନ୍ ତାଙ୍କର ପ୍ରଥମ ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିଛନ୍ତି । ପ୍ରତିଯୋଗିତାରେ ଭାରତ ଶନିବାର ତା’ର ଦ୍ୱିତୀୟ ମ୍ୟାଚ୍ ଆୟୋଜକ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking