28.1 C
Bhubaneswar
Saturday, May 11, 2024
Homeବ୍ରେକୀଙ୍ଗଦୁର୍ନୀତିର ଗନ୍ତାଘର ପାଲଟିଛି କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ

ଦୁର୍ନୀତିର ଗନ୍ତାଘର ପାଲଟିଛି କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ

ମୟୂରଭଞ୍ଜ: ମନମୁଖୀ କାର୍ଯ୍ୟ ପାଇଁ ଏବେ ଚର୍ଚ୍ଚାରେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଏହାର ଅଧ୍ୟକ୍ଷ ଆଉ ପରିଚାଳନା କମିଟି। ୨୫ବର୍ଷର ପୁରୁଣା ବିଲଡିଙ୍ଗ ଉପରେ ନିର୍ମାଣ ହେଉଛି ନୂଆ ବିଲଡିଂ। ତେବେ ପୁରୁଣା ବିଲଡିଂଟିର ସ୍ଥାୟୀତ୍ୱ ଏବଂ ସାମର୍ଥ୍ୟକୁ ଯାଞ୍ଚ କରାଯାଇଛି କି ନା ତାହା ଏବେ ବଡ଼ ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି। ସେହିପରି ପୁରୁଣା ବିଲଡିଂଟି କେତେ ଲୋଡ଼ ସମ୍ଭାଳିବାର ସାମର୍ଥ୍ୟ ରଖୁଛି ଏବଂ ବର୍ତ୍ତମାନ କେତେ ସୁରକ୍ଷିତ ତାର ଯାଞ୍ଚ କରାଯାଇଛି କି ? ଯଦି କରାଯାଇଛି କୋଉ ବିଭାଗ ଦ୍ଵାରା ଯାଞ୍ଚ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯଦି କରାଯାଇ ନାହିଁ କାହିଁକି କାରାଯାଇ ନାହିଁ ନ କରିବା ପଛରେ କାହାର କୋଉ ସ୍ୱାର୍ଥ ରହିଛି ତଦନ୍ତ ସାପେକ୍ଷ। ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ପରିଚାଳନା କମିଟିର ଏଭଳି ମନମୁଖୀ ପଦକ୍ଷେପ ଯୋଗୁଁ ପୁରୁଣା ଓ ନୂଆ ବିଲଡିଂ ଛାତତଳେ ନିଃସନ୍ଦେହରେ ବସି ଅଧ୍ୟୟନରତ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।
ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବହୁ ପୁରାତନ ସ୍କୁଲ କଲେଜ ମଧ୍ୟରୁ ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଠାରେ ଥିବା ସ୍ୱଂୟ ଶାସିତ ମହାବିଦ୍ୟାଳୟ ଅନ୍ୟତମ । ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ଏହି କଲେଜରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଛାତ୍ରଛାତ୍ରୀ ପାଠପଢି ସରକାରୀ ବେସରକାରୀ ସ୍ତରରେ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏଇ ମହାବିଦ୍ୟାଳୟ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ଖ୍ୟାତି ଲାଭ କରିଥିବା ବେଳେ ଏବେକିନ୍ତୁ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳୁଛି।ତେବେ ଆସନ୍ତୁ ଦେଖୁବା ଏହାର ବାସ୍ତବଚିତ୍ର।

ମହାବିଦ୍ୟାଳୟର କିଛି ନ୍ୟସ୍ତସାର୍ଥ କର୍ମଚାରୀଙ୍କ ପାଇଁ କରଞ୍ଜିଆ ସଂୟଶାସିତ ମହାବିଦ୍ୟାଳୟ ସମ୍ପୁର୍ଣ୍ଣ ବଦନାମ ହେବାରେ ଲାଗିଛି ।ଏଠାରେ ପୂର୍ବଭଳି ପାଠପଢା ହେଉନଥିବା ବେଳେ କର୍ମଚାରୀ ମାନେ ମୂଳ ଦାୟିତ୍ବରୁ ଅହରିଯାଇ ଠିକାଦାରୀ କରିବାରେ ବ୍ୟସ୍ତ। ଏଇ ମହାବିଦ୍ୟାଳୟରେ ୨୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପାଠପଢ଼ୁ ଥିବା ବେଳେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ହଷ୍ଟେଲ ମାନଙ୍କର ଅବସ୍ଥା ଯାହା ହେଲାଣି ନ କହିବା ଭଲ। ହଷ୍ଟେଲର ଅବସ୍ଥା ଯାହା ଛାତ୍ରଛାତ୍ରୀ ରହିବା ପାଇଁ ଏବେ ଓରାଜି ହେଲେଣି ।

୨୦୧୫ ମସିହାରେ ନାକ କମିଟି କରଞ୍ଜିଆ ମହାବିଦ୍ୟାଳୟକୁ ସଂୟଶାସିତ ମହାବିଦ୍ୟାଳୟ ଘୋଷଣା କରିବା ପରେ ମହାବିଦ୍ୟାଳୟରେ ପାଠପଢା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଦୀର୍ଘ ୪/୫ ବର୍ଷ ହେବ ମହାବିଦ୍ୟାଳୟକୁ କୌଣସି ଅଧିକାରୀ କିମ୍ବା ବିଭାଗୀୟ ମନ୍ତ୍ରୀ ସେପରି ଦୃଷ୍ଟି ଦେଉନଥିବାରୁ ଏବେ ଏହା ବିଜୁ ଜନତା ଦଳର ପାର୍ଟି ଅଫିସ ହେବାକୁ ବସିଲାଣି ବୋଲି ଆଲୋଚନା ହେଉଛି। ସ୍ୱୟଂଶାସିତ ଘୋଷଣା ପରେ କୋଟି କୋଟି ଟଙ୍କାର ଅନୁଦାନ ବିଭିନ୍ନ ବିଭାଗ ପକ୍ଷରୁ ଏଇ ମହାବିଦ୍ୟାଳୟକୁ ପ୍ରଦାନ କରାଯାଇ ଆସୁଛି,ହେଲେ ପରିତାପର ବିଷୟ ନିର୍ମାଣ ନାମରେ ଏସବୁ ଟଙ୍କା ପାଣିରେ ଧୋଇ ହୋଇଯାଉଛି ।

ମହାବିଦ୍ୟାଳୟରେ ପାର୍କ ନିର୍ମାଣ ହେଉ କିମ୍ବା କୋଠା ,ଖେଳ ପଡିଆ ଉନ୍ନତି କରଣ ହେଉ କିମ୍ବା ଇନଡୋର ଷ୍ଟାଡିୟମ ଏସବୁ ନିର୍ମାଣ କାର୍ଯ୍ୟ ବିନା କୌଣସି ଟେଣ୍ଡରରେ ହେଉଥିବାରୁ କୋଟି କୋଟି ଟଙ୍କାର ହେରାଫେରି ହେଉଛି। ସ୍କୁଲ କଲେଜ ଭଳି ଏକ ପବିତ୍ର ମନ୍ଦିରକୁ କାର୍ଯ୍ୟରତ କିଛି ମୁଷ୍ଟିମେୟ କର୍ମଚାରୀ ସବୁ ନୀତିନିୟମକୁ ପଛରେ ପକାଇ ଏବେ ଠିକାଦାରୀ ସଂସ୍ଥାରେ ପରିଣତ କରିଦେଇଛନ୍ତି।

କରଞ୍ଜିଆ ଏକ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ଅଞ୍ଚଳ ହୋଇଥିବା ବେଳେ ଏଠାକାର ଲୋକମାନେ ବହୁ ଅସୁବିଧା ଅନାଟନ ମଧ୍ୟରେ ଜୀବନ ଅତିବାହିତ କରୁଥିବା ସତ୍ତ୍ୱେ ପେଟକୁମାରି ସଞ୍ଚିତ ଅର୍ଥ ଖର୍ଚ୍ଚକରି ନିଜନିଜର ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରି ସୁନ୍ଦର ଶୃଙ୍ଖଳିତ ଭବିଷ୍ୟତ ଗଠନ ନିମନ୍ତେ କଲେଜ ପଠାଉଛନ୍ତି । ହେଲେ କିଛି ନ୍ୟସ୍ତସାର୍ଥଙ୍କ ପାଇଁ ଆଜି ପୁରା ମହାବିଦ୍ୟାଳୟ ବଦନାମ ହେବାରେ ଲାଗିଛି ।
ମହାବିଦ୍ୟାଳୟରେ ଫି ବୃଦ୍ଧି କଥା ହେଉ କିମ୍ବା ମହାବିଦ୍ୟାଳୟର ଅନ୍ୟ କୌଣସି ବି କାର୍ଯ୍ୟ ସମ୍ପାଦନ ହବାର ଥିବ ତେବେ ଜନୈକ ବିଜେଡି କର୍ମୀଙ୍କ ଇସାରା ନ ଆସିବା ପର୍ଯ୍ୟନ୍ତ କିଛି ମଧ୍ୟ ହେଉନାହିଁ ଏହି ମହାବିଦ୍ୟାଳୟରେ । ଏହାକୁ ବାଦଦେଲେ ବର୍ତ୍ତମାନ ଆଉ ଏକ ବିବାଦ ମୁଣ୍ଡ ଟେକିଛି,ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ଥିବା ଏକ କୋଠାକୁ ନେଇ। ଉକ୍ତ କୋଠାଟି ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଆଜକୁ ୨୫ ବର୍ଷରୁ ଅଧିକ ପୁରୁଣା କୋଠାଉପରେ ବେଆଇନ ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ କାର୍ଯ୍ୟ କୌଣସି ବିଭାଗ ଦ୍ଵାରା ଅନୁମୋଦନ ହୋଇନଥିବା ବେଳେ ଏଠାରେ ଦେଖାରେଖା ସାଙ୍ଗକୁ ତଦାରଖକରି ବୈଷୟିକ ପରାମର୍ଶ ଦେବା ପାଇଁ ମଧ୍ୟ କୌଣସି ବିଭାଗର ଜଣେବି ଯନ୍ତ୍ରୀ ନିଯୁକ୍ତ ହୋଇନାହାନ୍ତି ଏସବୁ ନିର୍ମାଣ କାର୍ଯ୍ୟ ଜଣେ ବିଜୁ ଜନତା ଦଳର କର୍ମୀ କରୁଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ତାଙ୍କୁ ପୁରା ସମର୍ଥନ କରିଛନ୍ତି । ଏପରି ବେଆଇନ ନିର୍ମାଣରେ କାହାର ବି ଅନୁମତି ନେଇନଥିବା ବେଳେ କିପରି ଭାବରେ ଏକ ବିପଦ ସଂକୁଳ ପୁରୁଣା କୋଠା ଉପରେ ଆଉ ଏକ ଛାତ ନିର୍ମାଣ କରୁଛନ୍ତି ?? ଏହା କାହା ସ୍ୱାର୍ଥରେ ? ବର୍ତ୍ତମାନ କଲେଜ ପରିଚାଳନା କମିଟି ନ ଥିବା ବେଳେ କାହା ନିର୍ଦ୍ଦେଶରେ ଏଇ ବେଆଇନ ନିର୍ମାଣ ।

ବର୍ତ୍ତମାନ ବର୍ଷା ଋତୁଥିବାରୁ ବର୍ଷା ହେଲେ ଅନେକ ଶ୍ରେଣୀ ଗୃହରେ ପାଣି ଗଳୁଥିବା ବେଳେ ,ଲାଇବ୍ରେରୀ ଏବଂ ଅଫିସ ରୁମମାନଙ୍କ କଥା ନ କହିବା ଭଲ। ଉକ୍ତ ରୁମ ଗୁଡାକରେ ପାଣିପଡି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହବା ସହିତ ଉଈ ଧରିଲାଣି। ତଥାପି ଏଥିପ୍ରତି କାହାରି ନଜର ପଡୁନି। ଅନ୍ୟପଟେ ମହାବିଦ୍ୟାଳୟର ଉନ୍ନତି କରଣ ନାମରେ ସ୍ୱଂୟଶାସିତ ହେବା ଦିନରୁ ୮/୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନୁଦାନ ଖର୍ଚ୍ଚ କରି ସାରିଲେଣି। ସେହିପରି ମହାବିଦ୍ୟାଳୟରେ ନେଉଥିବା ଉନ୍ନତିକରଣ ଫି ମଧ୍ୟ ଖର୍ଚ୍ଚ କରି ସାରିଲେଣି ତଥାପି ମହାବିଦ୍ୟାଳୟ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଛାତ୍ରଛାତ୍ରୀ ଏଠାରୁ ଆଖି ଫେରାଇ ନେଉଥିବା ଦେଖିବାକୁ ମିଳିଛି ।ପୂର୍ବରୁ ମହାବିଦ୍ୟାଳୟରେ ଉନ୍ନତି କରଣ ଫି ବାବଦକୁ ୩୦୦/୫୦୦ ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ତାହା ପାଞ୍ଚ ଗୁଣା ବଢି ସାରିଲାଣି ତଥାପି ମହାବିଦ୍ୟାଳୟର କୌଣସି ଉନ୍ନତି ପରିଲକ୍ଷିତ ହେଉନି ।କାରଣ ଯାହା ବି ଉନ୍ନତି କରଣ କାର୍ଯ୍ୟ ହେଉଛି ସେ ସବୁ କାର୍ଯ୍ୟ କଲେଜ ଅଧ୍ୟକ୍ଷ ଏବଂ ଜଣେ ବିଜୁ ଜନତା ଦଳର କର୍ମୀ କରୁଥିବାରୁ ନିର୍ମାଣ ନାମରେ ସବୁଟଙ୍କା ହରିଲୁଟ ହୋଇ ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଦେବେ ଦେଖିବା ପାଇଁ ବାକି ରହିଲା ଏତେସବୁ ଘଟଣା ପରେ ଉଚ୍ଚଶିକ୍ଷା ବିଭାଗ ହେଉକି ଜିଲ୍ଲା ପ୍ରଶାସନ ଆଗକୁ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛି ନା ଏପରି ଦୁର୍ନୀତିଖୋର ଅଧ୍ୟକ୍ଷଙ୍କୁ ସରକାର ଘଣ୍ଟ ଘଡାଉଛନ୍ତି ତାହା ଦେଖିବା ପାଇଁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking