32.1 C
Bhubaneswar
Friday, April 26, 2024
Homeଓଡିଶା୨୫ ବର୍ଷ ହେଲା ରାସ୍ତାକଡ଼ରେ ଜୀବନ

୨୫ ବର୍ଷ ହେଲା ରାସ୍ତାକଡ଼ରେ ଜୀବନ

ଫୁଲବାଣୀ : କଚା ଘର ରହିବ ନାହିଁ । ସମସ୍ତଙ୍କୁ ମିଳିବ ପକ୍କା ଘର । ସରକାରଙ୍କର ଏହି ଘୋଷଣା ସତେ ଯେପରି ପ୍ରତିଶ୍ରୁତିରେ ରହିଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଞ୍ଚି ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତର ରାଗପଦର ଗ୍ରାମରେ ।

ଗ୍ରାମର ରାସ୍ତା କଡ଼ରେ ଥିବା ଏକ ଅନାବାଦି ଜାଗାରେ ଝାଟିମାଟିରେ ତିଆରି କାନ୍ଥ ଓ ଭଙ୍ଗା ଦଦରା ଟିଣ ଛପର ଘର କରି ଆଜକୁ ୨୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ବସବାସ କରୁଛନ୍ତି ଗୋଟିଏ ପରିବାରର ୮ ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳିକା । ଏହି ପରିବାରର ନିଜର ଯାଗା ଖଣ୍ଡେ ନାହିଁ । ସରକାରଙ୍କ ତରଫରୁ ମିଳିଛି ରାସନକାର୍ଡ଼, ଜବ୍ କାର୍ଡ଼ ଓ ସ୍ୱଚ୍ଛ ଭାରତ ମିଶନ ତରଫରୁ ବାପ-ପୁଅଙ୍କ ନାମରେ ୨ଟି ପାଇଖାନା । ତେବେ ଯେଉଁ ୨ଟି ପାଇଖାନା ମିଳିଛି ତାହା ଆଜି ପର୍ଯ୍ୟନ୍ତ ଅସପୂର୍ଣ୍ଣ ହୋଇରହିଛି । ପାଇଖାନାର କୁଣ୍ଡ କିମ୍ବା ଟାଙ୍କି ନାହିଁ । ପାଇଖାନା ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାକୁ ବ୍ୟବହାର ଉପଯୋଗ୍ୟ ହୋଇପାରି ନାହିଁ । କିନ୍ତୁ ତଦନ୍ତରୁ ଜଣାଯାଇଛି  ଉକ୍ତ ପାଇଖାନା ନିର୍ମାଣ କରିଥିବା ଠିକାଦାର ବିଲ୍ କରି ଟଙ୍କା ନେଇ ସାରିଲେଣି । ପରିବାର କହିଲେ ଘରର ମୁରବି ବିରଞ୍ôଚ ଦେହୁରୀ (୬୩)  ଓ ସ୍ତ୍ରୀ ବାସନ୍ତୀ ଦେହୁରୀ, ପୁଅ ମଣ୍ଟୁ ଦେହୁରୀ (୨୭), ବୋହୂ ପଦ୍ମିନୀ ଦେହୁରୀ (୨୫) ଏବଂ ମଣ୍ଟୁଙ୍କ ତିନି ନାବାଳିକା ଝିଅ । ଏଥି ସହିତ ବିରଞ୍ଚି ଦେହୁରୀଙ୍କ ଭଉଣୀ ସୁଭାସିନୀ ଜାନୀ (୬୦)  ମଧ୍ୟ ଏଠାରେ ରୁହନ୍ତି । ବିରଞ୍ଚି ଓ ତାଙ୍କ ସ୍ତ୍ରୀ ବାସନ୍ତୀଙ୍କ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା । କିନ୍ତୁ ବିରଞ୍ଚିଙ୍କ ସୁଭାସିନୀଙ୍କୁ ୬୦ ବର୍ଷ ହୋଇଥିଲେ ମଧ୍ୟ ଆଧାରକାର୍ଡ଼ ନଥିବା ଯୋଗୁଁ ସରକାରଙ୍କର କୌଣସି ସୁବିଧାରେ ସେ ସାମିଲ୍ ହୋଇପାରିନାହାନ୍ତି । ଭଙ୍ଗା ଦଦରା ଘରେ ଖରା, ବର୍ଷା ଓ ଶୀତ ସବୁ ସମୟରେ ବହୁ କଷ୍ଟରେ ପରିବାରର ୮ ସଦସ୍ୟ ଜୀବନ ବିତାଉନ୍ତି ।

ସେମାନେ ଦୀର୍ଘ ବର୍ଷଧରି ଅନୁଗୁଳ ଜିଲ୍ଲା କୁଶଳା ବ୍ଲକର ରାଇଝରଣ ଗ୍ରାମରୁ ଆସି କନ୍ଧମାଳ ଜିଲ୍ଲାରେ ଗାଁ ଗାଁ ବୁଲି ଭିକ୍ଷା କରି ଚଳୁଥିଲେ। ଗତ ୨୫ ବର୍ଷ ତଳେ ଖଜୁରିପଡ଼ା ବ୍ଲକ ପିରିକୁଡ଼ି ଗ୍ରାମ ପଞ୍ଚାୟତର ରାଗାପଦର ଗ୍ରାମରେ ପହଁଚିଥିଲେ । ଗ୍ରାମବାସୀ ସେମାନଙ୍କର ଦୁଃଖକଷ୍ଟ ଦେଖି ଗ୍ରାମର ରହିବା ପାଇଁ ଦେଇଥିଲେ ସୁଯୋଗ । ଗ୍ରାମର ଯେଉଁମାନଙ୍କର ଗାଈଗୋରୁ ଥିଲା ତାହାକୁ ସେମାନେ ଚରାଇବା ସହ ସେ ବାବଦରେ କିଛି ଟଙ୍କା ସହିତ ଧାନ, ଚାଉଳ ସହିତ ଘର କରି ରହିବା ପାଇଁ ଯାଗା ଖଣ୍ଡେ ମଧ୍ୟ ଦେଇଥିଲେ । ତେବେ ବର୍ଷ ବର୍ଷ ଧରି  ଏହି ପରିବାର ରାସ୍ତାକଡ଼ରେ ଏକ ଭଙ୍ଗାଝାଟିମାଟି ଘରେ ଜୀବନ ବିତାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହଯୋଗର ହାତ ବଢାଯାଇ ନାହିଁ । ସରକାରଙ୍କ ଘୋଷଣା ପ୍ରକାରେ ଭୁୂମିହୀନଙ୍କୁ ଜମି ଯୋଗାଇ ଦେବାର ଯେଉଁ ନିୟମ ରହିଛି ତାହା ମଧ୍ୟ ଏହି ପରିବାର ପାଖରେ ପହଁଞ୍ଚି ନାହିଁ । ପୂର୍ବରୁ ଅନେକଥର ଖଜୁରିପଡ଼ା ବିଡିଓ ଓ ତହସିଲଦାରଙ୍କ ନିକଟରେ ଘରେ ଓ ଯାଗା ପାଇଁ ନିବେଦନ କରିଛନ୍ତି, କିନ୍ତୁ ତାହା ସଫଳ ହୋଇନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ପରିବାରର ମୁରବି । ଏଭଳି ସ୍ଥଳେ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ପୁଣିଥରେ ନିବେଦନ କରିଛନ୍ତି ପରିବାର । ଏନେଇ ତହସିଲ୍‌ଦାର ସ୍ୱପ୍ନିତା ନାୟକଙ୍କୁ ପଚାରିବାରେ, ଯଦି ସେ ଭୂମିହୀନ ହୋଇଥିବେ ତାହାହେଲେ ତଦନ୍ତ କରାଯାଇ ତାଙ୍କୁ ତୁରନ୍ତ ଜମି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଡିଓଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking