26.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ଏବେବି କୋଟି କୋଟି ଟଙ୍କା ମୂଲ୍ୟର ଦୁର୍ମୁଲ୍ୟ ରତ୍ନପଥର ଚୋରାଚାଲାଣ?

ରାଜ୍ୟରେ ଏବେବି କୋଟି କୋଟି ଟଙ୍କା ମୂଲ୍ୟର ଦୁର୍ମୁଲ୍ୟ ରତ୍ନପଥର ଚୋରାଚାଲାଣ?

ଭୁବନେଶ୍ୱର : ରାଜ୍ୟରେ ଏବେବି କୋଟି କୋଟି ଟଙ୍କା ମୂଲ୍ୟର ଦୁର୍ମୁଲ୍ୟ ରତ୍ନପଥର ଦେଶ ବିଦେଶକୁ ଚୋରାଚାଲାଣ ହେଉଛି । ଏହାର ମୂଲ୍ୟ ଆକଳନ କରିବା ସମ୍ଭବ ହୋଇ ନ ଥିଲେ ହେଁ ଆନୁମାନିକ ଭାବେ ବାର୍ଷିକ ପ୍ରାୟ ୪୦୦ କୋଟି ଟଙ୍କାର ଅଧିକ ବୋଲି କୁହାଯାଉଛି। ଏନେଇ ଗଠିତ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ କେବଳ ନାମକୁ ମାତ୍ର ରହିଛି । କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଚଢ଼ାଉ ବି ନିୟମିତ ଭାବେ ହେଉ ନଥିବା ଅଭିଯୋଗ ହୋଇଛି । ହେଲେ ଶୁଣିଲେ ଆଶ୍ଟର୍ଯ୍ୟ ହେବେ ଯେ’ ଓଡ଼ିଶା ସରକାରଙ୍କ ଖଣି ବିଭାଗ ପକ୍ଷରୁ ଚିହ୍ନଟ ୧୪ ରତ୍ନପଥର ଖଣିରୁ ମାତ୍ର ଗୋଟିଏ ଖଣି ଚାଲୁ ଅବସ୍ଥାରେ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।  ଓଡ଼ିଶା ଓ ତା’ର ପଡ଼ୋଶୀ ରାଜ୍ୟର କେଉଁ ଜିଲ୍ଲାରେ କେତେ ପରିମାଣରେ ରତ୍ନପଥର ଗଚ୍ଛିତ ରହିଛି? ୧୯୭୮ରୁ ୧୯୮୧ ମଧ୍ୟରେ ପ୍ରଥମ ସର୍ଭେ ହୋଇଥିଲା ।

ପରେ ନବେ ଦଶକର ପ୍ରଥମାର୍ଦ୍ଧରେ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା, ଅବିଭକ୍ତ ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ସରକାର ମିଳିତ ହୋଇ ଭୂତାତ୍ତ୍ୱିକ ସର୍ଭେ କରିଥିଲେ । ସର୍ଭେରୁ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବିସ୍ତୃତ ଇଲାକାରେ ରତ୍ନପଥର ଗଚ୍ଛିତ ଥିବା ଜଣାପଡ଼ିଥିଲା । ସେତେବେଳେ ଛତିଶଗଡ଼ର ରାୟପୁର ଓ ବସ୍ତର ଜିଲ୍ଲାରୁ ଓଡ଼ିଶା ଦେଇ ଆନ୍ଧ୍ର ପ୍ରଦେଶ ଯାଏ ରତ୍ନପଥର ଇଲାକା ବ୍ୟାପୃତ ହୋଇଥିବା ଚିହ୍ନଟ ହେଲା । ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକରେ ରତ୍ନପଥରର ଗଚ୍ଛିତ ପରିମାଣ ଅଧିକ ଥିବା ଜଣାପଡ଼ିବା ପରେ ତତ୍କାଳୀନ ରାଜ୍ୟ ସରକାର ୧୯୮୯ରେ ରାଜ୍ୟ ଖଣିନିଗମ(ଓଏମସି) ଏବଂ ରାଜ୍ୟ ବାହାରର କେତେଜଣ ଘରୋଇ ରତ୍ନପଥର ବ୍ୟବସାୟୀଙ୍କ ମିଳିତ ଉଦ୍ୟମରେ ‘ଓଡ଼ିିଶା ଜେମ୍ସ କର୍ପୋରେସନ’ ଗଠନ କରାଯାଇଥିଲା ।

ଏହାର କାର୍ଯ୍ୟ ଥିଲା ମୂଲ୍ୟବାନ ରତ୍ନପଥର କଟିଙ୍ଗ୍‌, ପଲିସ କରିବା ସଙ୍ଗେ ସଙ୍ଗେ ବିକ୍ରିର ବ୍ୟବସ୍ଥା କରିବ । ଭବାନୀପାଟଣାରେ ଜେମ୍ସ କରପୋରେସନର ପରିଚାଳନା ଦାୟିତ୍ୱରେ ଥିବା ଖଣିନିଗମର ଉଚ୍ଚ ଅଫିସର, ଘରୋଇ ଉଦ୍ୟୋଗୀ ଏବଂ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏହି ୟୁନିଟ୍ ବନ୍ଦ୍ ହୋଇଯାଇଛି । ପୁଣି ୨୦୦୦ରୁ ୨୦୦୪ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ଭୂତାତ୍ତ୍ୱିକ ସର୍ଭେ କରାଇଥିଲେ । ସର୍ଭେ ପରେ ତତ୍କାଳୀନ ବାଚସ୍ପତିଙ୍କ ନର୍ଦ୍ଦେଶକ୍ରମେ ସେତେବେଳର ବିଧାନସଭାରେ ବିଧାୟକ ବାଳଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା ଏକ ଗୃହ କମିଟି । ଉକ୍ତ କମିଟି ରାଜ୍ୟ ସରକାରଙ୍କୁ ପ୍ରକୃତ ତଥ୍ୟ ଦେବା ସହ ରତ୍ନପଥର ଚୋରାଚାଲାଣ ରୋକିବା ପାଇଁ କିଛି ଜରୁରୀ ପରାମର୍ଶ ଦେଇଥିଲେ । ହେଲେ ଦୀର୍ଘ ବର୍ଷ ପରେ ବି ସରକାର କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ପୂର୍ବରୁ ବି କୌଣସି ସରକାର କିଛି ବି ଠୋସ୍ ପଦକ୍ଷେପ ନେଇନାହାନ୍ତି ।

ସେଥିପାଇଁ ରାଜ୍ୟରୁ ତିରିଶ ବର୍ଷ ଭିତରେ ପ୍ରାୟ ତିରଶ ହଜାର କୋଟିରୁ ଅଧିକ ଟଙ୍କାର ରତ୍ନପଥର ଚୋରା ଚାଲାଣ ହୋଇଥିବା ଆକଳନ କରାଯାଇଛି । ଓଡ଼ିଶାର ମହାନଦୀ ଅବବାହିକା ତଥା ବିଭିନ୍ନ ଜିଲ୍ଲାର ପାହାଡ଼ ଓ ମାଟିତଳେ ଦୂର୍ମୁଲ୍ୟ ରତ୍ନପଥର ଗଚ୍ଛିତ ରହିଛି। ସେଗୁଡ଼ିକ ମଧ୍ୟରେ ରୁବି, ପାନ୍ନା, ନୀଲାମ, କାକାନିଲମ୍‌, ଗାର୍ନେଟ୍‌, କ୍ୟାଟସଆଇ, କ୍ୱାର୍ଟଜ୍‌, ମୁନଷ୍ଟୋନ୍‌, ମୋଗ୍ନେଲାଇଟ୍‌, ଇଲ୍‌ନେନାଇଟ୍‌, ଆଲେକ୍‌ଜାଣ୍ଡାର ଷ୍ଟୋନ ଭଳି ଭିନ୍ନ କିସମର ରତ୍ନପଥର ଉପଲବ୍ଧ ହେଉଛି । ରତ୍ନପଥରଗୁଡ଼ିକ ପାହାଡ଼ ଓ ମାଟିତଳେ ଥିବାରୁ ସାଧାରଣ ଲୋକେ ଜାଣିବା ସମ୍ଭବ ନୁହେଁ । ତେଣୁ ମାଫିଆଙ୍କ ପକ୍ଷରେ ମୋରମ୍ ବା ମାଟି ଉଠାଇବା ଆଳରେ ଚୋରି କରିବା ସହଜ ହୋଇଥାଏ । ଏଥିପାଇଁ ଏକ ବଡ଼ ର‌୍ୟାକେଟ୍ ସକ୍ରିୟ ରହିଛି । ଏଥିରେ ରାଜ୍ୟ ତଥା ଜିଲ୍ଲାସ୍ତରର ତଳରୁ ଉପର ଯାଏ ସପୃକ୍ତ ଥିବା ଅଭିଯୋଗ ହୋଇଛି । ରାଜ୍ୟରୁ ପ୍ରତିବର୍ଷ ୪ ଶହ କୋଟିର ଉର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଚୋରାଚାଲା ହେଉଛି ।

ବିଶେଷକରି ରାଜ୍ୟର ମାଲକାନଗିରି, ନବରଙ୍ଗପୁର, କୋରାପୁଟ୍‌, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରୁ ରତ୍ନପଥର ଖଣି ଥିବା ଜଣାପଡ଼ିଥିବାରୁ ମାଫିଆଙ୍କ ନଜର ଏସବୁ ଜିଲ୍ଲା ଉପରେ ରହିଛି । ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ହେଉଛି ରତ୍ନପଥର ହବ୍ । ସାରା ରାଜ୍ୟରୁ ସଂଗୃହୀତ ରତ୍ନପଥର କଣ୍ଟାବାଞ୍ଜି ଦେଇ ଦେଶର ବିଭିନ୍ନ ସ୍ଥାନ ଅର୍ଥାତ ମୁମ୍ବାଇ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଚେନ୍ନାଇ ଏବଂ କଲିକତା ଆଦି ସହରବୁ ରତ୍ନପଥର ଚାଲାଣ ହୁଏ । ରାଜସ୍ଥାନର ଜୟପୁର ଏବଂ ନେପାଳକୁ ବି ପଥର ଚୋରା ଚାଲାଣ ହୋଇଥାଏ । ହେଲେ ଅଧପନ୍ତରିଆ ଧରପଗଡ଼ ହୁଏ । ମାଫିଆଙ୍କ ଉପରେ କିଛି ପ୍ରଭାବ ପଡ଼ି ନଥାଏ ।  କିଛି ମାସ ପୂର୍ବରୁ କ୍ରାଇମ୍ ବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ାଓ କରିଥିଲେ । ଜୁନାଗଡ଼ ଅଞ୍ଚଳର ପଲାସ୍ ଗ୍ରାମର ସୁଜିତ୍ ମେହେର ଘର ଉପରେ ଚଢ଼ାଉବେଳେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୩ କ୍ୱିଣ୍ଟାଲ୍ ୨.୧୮ କେଜି ରୁବି ଓ ପନ୍ନା ଭଳି ମୂଲ୍ୟବାନ ରତ୍ନପଥର ଜବତ୍ ହୋଇଥିଲା ।

ସେହିପରି ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ୨ ଜଣ ରତ୍ନପଥର ମ।।ଫିଆଙ୍କୁ ଛତିଶଗଡ ପୋଲିସ ଧରିଥିଲା । ଏମାନେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ରତ୍ନ ପଥର ରାଜ୍ୟ ବାହାରକୁ ଚାଲାଣ କରୁଥିବାବେଳେ ଜବତ୍ ହୋଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ସରକାର ଏସବୁ ଜିଲ୍ଲାରେ ଥିବା ରତ୍ନପଥର ଖଣି ବନ୍ଦ୍ ହୋଇଯାଇଛି ବୋଲି ଦର୍ଶାଇଛନ୍ତି ।  ଜଣେ ଅଧିକାରୀ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ଗୁରୁତ୍ୱ ଦେଇ ରତ୍ନପଥର ଖନନ ଓ ଚୋରା ଚାଲାଣ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତାହାଲେ ରାଜ୍ୟକୁ ଅଧିକ ପରିମାଣରେ ରଜସ୍ୱ ଆସିପାରନ୍ତା । ଆକଳନ ଅନୁସାରେ ବିଭିନ୍ନ ଜିଲ୍ଲାରୁ ଦୈନିକ ପ୍ରାୟ ୧ କୋଟି ଟଙ୍କାର ରତ୍ନ ପଥର ଉପଲବ୍ଧ ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking