25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି

ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି

ନ୍ୟୁୟର୍କ: ହିଜାବ ନ ପିନ୍ଧିବାରୁ ସାମ୍ବାଦିକାଙ୍କୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି । ଅନ୍ତର୍ଜାତୀୟ ଗଣମାଧ୍ୟମର ସାମ୍ବାଦିକାଙ୍କ ସହ ନିର୍ଦ୍ଧାରିତ ସାକ୍ଷାତକାରକୁ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ ରଦ୍ଧ କରିଦେଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆମେରିକୀୟ ମହିଳା ସାମ୍ବାଦିକା ହିଜାବ ପିନ୍ଧିବାକୁ ମନା କରିଥିଲେ, ତେଣୁ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତକାର ଦେଇନାହାନ୍ତି । ଗୋଟିଏ ପଟେ ହିଜାବକୁ ନେଇ ଇରାନରେ ବିକ୍ଷୋଭର ବହ୍ନି ଜଳୁଥିବା ବେଳେ ଏପରି ସ୍ଥଳେ ରାଷ୍ଟ୍ରପତିଙ୍କ ଏହି ବ୍ୟବହାର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଛି । ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ଗଣମାଧ୍ୟମ ସିଏନ୍‌ଏନ୍ ସହ ଇରାନ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଥିଲା ।

ରାଷ୍ଟ୍ରପତିଙ୍କ ସାକ୍ଷାତକାର ନେବାକୁ ଥିବା ଚ୍ୟାନେଲର ଜଣାଶୁଣା ଆଙ୍କର କ୍ରିଷ୍ଟିଅନ ଆମନପୋରଙ୍କୁ ଏହାପୂର୍ବରୁ ହିଜାବ ପିନ୍ଧିବାକୁ କୁହାଯାଇଥିଲା । କିନ୍ତୁ ଆଙ୍କର ଜଣକ ଏଥିପାଇଁ ଅରାଜି ହୋଇଥିଲେ । ଯେଉଁ କାରଣରୁ ରାଷ୍ଟ୍ରପତି ଇବ୍ରାହିମ ରଇସୀ ସାକ୍ଷାତକାରକୁ ଅଚାନକ ରଦ୍ଦ କରିଦେଇଥିଲେ । ଏନେଇ ଆଙ୍କର କ୍ରିଷ୍ଟିଅନ ଆମୋନପୋର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ଖାଲି ଚେୟାର ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । କ୍ରିଷ୍ଟିଅନ କହିଛନ୍ତି ଯେ, ସାକ୍ଷାତକାର ପାଇଁ ତାଙ୍କୁ ହେଡସ୍କାର୍ପ ବା ହିଜାବ ପିନ୍ଧିବାକୁ ସର୍ତ୍ତ ରଖାଯାଇଥିଲା ।

କିନ୍ତୁ ସେ ହେଡସ୍କାର୍ପ ପିନ୍ଧିବାକୁ ମନା କରିଦେଇଥିଲେ । ଯେଉଁ କାରଣରୁ ଇରାନ ରାଷ୍ଟ୍ରପତି ମଧ୍ୟ ତାଙ୍କ ସହ ସାକ୍ଷାତକାରକୁ ରଦ୍ଦ କରିଦେଇଥିଲେ । ତେବେ ଇରାନରେ ଚାଲିଥିବା ହିଜାବ ବିବାଦ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ ଚର୍ଚ୍ଚା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଆଙ୍କର କହିଛନ୍ତି । ହିଜାବ ନ ପିନ୍ଧିବା ଯୋଗୁଁ ପୋଲିସ ବର୍ବରତାରେ ଇରାନର ୨୨ ବର୍ଷୀୟା ମହିଳା ମହିସା ଆମିନୀଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ସାରା ଦେଶରେ ବିକ୍ଷୋଭ ନିଆଁ ଜଳୁଛି । ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ କରି ଧାର୍ମିକ ରୀତିନୀତି ଲଦି ଦିଆଯାଉଥିବାରୁ ଏହା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାକର୍ମୀ ଗୁଳିମାଡ କରୁଛନ୍ତି । ଏହି ଗୁଳିମାଡରେ ୩୧ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଏସବୁ ସତ୍ତ୍ୱେ ମଧ୍ୟ ନ୍ୟୁଜ ଆଙ୍କର ହିଜାବ ନ ପିନ୍ଧିବାରୁ ରାଷ୍ଟ୍ରପତି ସାକ୍ଷାତକାର ନ ଦେବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking