38.1 C
Bhubaneswar
Friday, April 26, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ମୋଇନ୍‌ଙ୍କ ୯୩ ରନ୍‌ର ଇନିଂସ୍ ବେକାର, ପ୍ଲେଅଫ୍‌ରେ ରାଜସ୍ଥାନ

ଆଇପିଏଲ୍‌-୧୫: ମୋଇନ୍‌ଙ୍କ ୯୩ ରନ୍‌ର ଇନିଂସ୍ ବେକାର, ପ୍ଲେଅଫ୍‌ରେ ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ୬୮ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ୫ ୱିକେଟ୍‌ରେ ବିଜୟୀ ହୋଇ ରାଜସ୍ଥାନ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି । ଫଳସ୍ୱରୂପ ଶେଷ ଦଳ ଭାବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ କିଏ ଯୋଗ୍ୟତା ହାସଲ କରିବ, ତାହା ରବିବାର ଚୂଡ଼ାନ୍ତ ହେବ । କାରଣ ପଏଣ୍ଟ୍ ଟେବଲ୍‌ରେ ଚତୁର୍ଥ ସ୍ଥାନରେ ଥିବା ଆର୍‌ସିବି ଓ ପଞ୍ଚମରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଶୁକ୍ରବାର ମୁକାବିଲା ହେବ । ତା’ର ଶେଷ ଲିଗ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର୍ କିଙ୍ଗ୍‌ସ ୬ ୱିକେଟ୍ ବିନିମୟରେ ୧୫୦ ରନ୍ କରିଥିଲା । ଦଳର ତାରକା ଖେଳାଳି ମୋଇନ୍ ଅଲୀ ମାତ୍ର ୫୭ଟି ବଲ୍‌ରେ ୧୩ଟି ଚୌକା ଓ ୩ଟି ଛକା ସହ ୯୩ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ ହେଁ ରାଜସ୍ଥାନ ୫ ୱିକେଟ୍‌ରେ ୧୫୧ ରନ୍ କରିବା ପରେ ଶେଷରେ ତାହା ବେକାର ସାବ୍ୟସ୍ତ ହୋଇଛି ।

ଓପନର ଋତୁରାଜ ଗାଏକ୍ୱାଡ୍ ମାତ୍ର ୨ ରନ୍ କରି ଆଉଟ୍ ହେବା ପରେ ମୋଇନ୍ ଓ ଅନ୍ୟତମ ଓପନର ଡେଭନ୍ କୋନ୍‌ୱେ ୮୩ ରନ୍ ଯୋଡ଼ିଥିଲେ । ଏହି ଯୋଡ଼ି ମଧ୍ୟରୁ ମୋଇନ୍ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୯ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । କୋନ୍‌ୱେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୬ ରନ୍ କରି ଆଉଟ୍ ହେବା ପରେ ଚେନ୍ନାଇ ସଅଳ ଏନ୍‌. ଜଗଦୀଶନ୍ (୧) ଓ ଅମ୍ବାତି ରାୟୁଡୁ (୩)ଙ୍କ ୱିକେଟ୍ ହରାଇଥିଲା । ମୋଇନ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ପଞ୍ଚମ ୱିକେଟ୍‌ରେ ୫୧ ରନ୍ ଯୋଡ଼ିଥିଲେ । ଧୋନି ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୬ ରନ୍ କରିଥିବା ବେଳେ ମୋଇନ୍ ଶତକ ଆଡ଼କୁ ଅଗ୍ରସର ହେଉଥିଲେ ହେଁ ଓବେଦ୍ ମ୍ୟାକ୍‌କୟ ତାଙ୍କ ପଥ ଓଗାଳିଥିଲେ । ରାଜସ୍ଥାନ ପକ୍ଷରୁ ମ୍ୟାକ୍‌କୟ ଓ ୟୁଜବେନ୍ଦ୍ର ଚହଲ୍ ୨ଟି ଲେଖାଏଁ ଏବଂ ଟ୍ରେଣ୍ଟ୍ ବୋଲ୍ଟ ଓ ରବିଚନ୍ଦ୍ରନ୍ ଅଶ୍ୱିନୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ରାଜସ୍ଥାନ ଓପନର ଯଶସ୍ୱୀ ଜୈସ୍ୱାଲ୍ ତାଙ୍କ ଯୋଡ଼ିଦାର ଜୋସ୍ ବଟଲର୍ (୨)ଙ୍କୁ ସଅଳ ହରାଇଥିଲେ । କିନ୍ତୁ ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ରେ ସେ ୬୫ ରନ୍‌ର ଭାଗୀଦାରୀ କରିଥିଲେ । ଅଧିନାୟକ ସାମ୍‌ସନ୍ ୨ଟି ଚୌକା ସହ ୧୫ ରନ୍ କରି ଆଉଟ୍ ହେବା ପରେ ଦେବଦତ୍ତ ପାଡିକଲ୍ ୩ ଓ ଶିମରୋନ୍ ହେଟମେୟର୍ ୬ ରନ୍ କରି ବିଦାୟ ନେଇଥିଲେ । କିନ୍ତୁ ଅଶ୍ୱିନ୍ ଓ ରିୟାନ୍ ପରାଗ୍ ଅବିଭାଜିତ ୩୯ ରନ୍ ଯୋଡ଼ି ୧୯.୪ ଓଭର୍‌ରେ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଅଶ୍ୱିନ୍ ୨ଟି ଚୌକା ଓ ୩ଟି ଛକା ସହ ୪୦ ଏବଂ ପରାଗ୍ ଗୋଟିଏ ଚୌକା ସହ ୧୦ ରନ୍ କରିଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଚେନ୍ନାଇ ସୁପର୍ କିଙ୍ଗ୍‌ସ-୧୫୦/୬, ୨୦ ଓଭର୍ (ମୋଇନ୍ ଅଲୀ-୯୩, ମହେନ୍ଦ୍ର ସିଂହ ଧୋନି-୨୬, ଓବେଦ୍ ମ୍ୟାକ୍‌କୟ-୨୦/୨, ୟୁଜବେନ୍ଦ୍ର ଚହଲ୍‌-୨୬/୨); ରାଜସ୍ଥାନ ରୟାଲ୍ସ-୧୫୧/୫ ୧୯.୪ ଓଭର୍ (ଯଶସ୍ୱୀ ଜୈସ୍ୱାଲ୍‌-୫୯, ରବିଚନ୍ଦ୍ରନ୍ ଅଶ୍ୱିନ୍‌-୪୦³, ପ୍ରଶାନ୍ତ ସୋଲାଙ୍କି-୨୦/୨, ମିଚେଲ୍ ସାଣ୍ଟନର୍‌-୧୫/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking