28.1 C
Bhubaneswar
Saturday, April 27, 2024
Homeଆଇପିଏଲ୍ -2022ଅଶ୍ୱିନଙ୍କ ପ୍ରଥମ ଅର୍ଦ୍ଧଶତକ ବେକାର୍‌ : ଦିଲ୍ଲୀକୁ ଜିତାଇଲେ ୱାର୍ଣ୍ଣର୍‌, ମାର୍ଶ

ଅଶ୍ୱିନଙ୍କ ପ୍ରଥମ ଅର୍ଦ୍ଧଶତକ ବେକାର୍‌ : ଦିଲ୍ଲୀକୁ ଜିତାଇଲେ ୱାର୍ଣ୍ଣର୍‌, ମାର୍ଶ

ମୁମ୍ବାଇ: ବୁଧବାର ସ୍ଥାନୀୟ ଡିୱାଇ ପାଟିଲ୍ ଏକାଡେମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍‌ରେ ବିଜୟୀ ହୋଇଛି । ବ୍ୟାଟିଂ ପାଇ ପ୍ରଥମେ ରାଜସ୍ଥାନ ରୟାଲ୍ସ ରବିଚନ୍ଦ୍ରନ୍ ଅଶ୍ୱିନୀଙ୍କ ପ୍ରଥମ ଅର୍ଦ୍ଧଶତକ (୫୦) ଓ ଦେବଦତ୍ତ ପାଡିକଲଙ୍କ ୪୮ ରନ୍ ସହାୟତାରେ ୬ ୱିକେଟ୍ ବିନିମୟରେ ୧୬୦ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ୍ ୱାର୍ଣ୍ଣର୍ (୫୨³) ଓ ମିଚେଲ୍ ମାର୍ଶ (୮୯)ଙ୍କ ଜୋର୍‌ଦାର ବ୍ୟାଟିଂ ବଳରେ ଦୁଇ ୱିକେଟ୍ ବିନିମୟରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ମାର୍ଶଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଏହି ବିଜୟ ଫଳରେ ଦିଲ୍ଲୀର ପଏଣ୍ଟ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବା ବେଳେ ରାଜସ୍ଥାନ ପୂର୍ବପରି ପଏଣ୍ଟ୍ ଟେବଲ୍‌ର ତୃତୀୟ ସ୍ଥାନରେ ବଜାୟ ରହିଛି ।

୧୬୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ଦ୍ୱିତୀୟ ବଲ୍‌ରେ ହିଁ ଓପ୍ନର୍ ଶ୍ରୀକର୍ ଭରତଙ୍କ ୱିକେଟ୍ ହରାଇଥିଲା । ତେବେ ଡେଭିଡ୍ ୱାର୍ଣ୍ଣର୍ ଓ ମିଚେଲ୍ ମାର୍ଶ ଦ୍ୱିତୀୟ ଇନିଂସ୍ ପାଇଁ ୧୪୪ ରନ୍ ଯୋଡ଼ି ଟିମ୍‌ର ବିଜୟ ସୁନିଶ୍ଚିତ କରିଥିଲେ । ମାର୍ଶ ୬୨ ବଲ୍‌ରୁ ପାଞ୍ଚ ଚୌକା ଓ ସାତ ଛକା ସହାୟତାରେ ୮୯ ରନ୍ କରିଥିବା ବେଳେ ଚହଲ୍‌ଙ୍କ ବଲ୍‌ରେ କୁଲଦୀପ୍ ସେନ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ମିଶି ୱାର୍ଣ୍ଣର୍ ଟିମ୍‌କୁ ୧୮.୧ ଓଭର୍‌ରେ ଟିମ୍‌କୁ ବିଜୟୀ କରାଇଥିଲେ । ୱାର୍ଣ୍ଣର୍ ୪୧ ବଲ୍‌ରେ ପାଞ୍ଚ ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୫୨ ରନ୍ କରିଥିଲେ । ପନ୍ତ୍ ୪ଟି ବଲ୍‌ର ସମ୍ମୁଖୀନ ହୋଇ ଦୁଇଟି ଛକା ସହାୟତାରେ ୧୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ପୂର୍ବରୁ ଜୋଶ୍ ବଟ୍‌ଲର୍‌ଙ୍କ ରୂପରେ ରାଜସ୍ଥାନକୁ ପ୍ରଥମ ଧକ୍କା ଲାଗିଥିଲା । ସେ ମାତ୍ର ୭ ରନ୍ କରିଥିବା ବେଳେ ଚେତନ୍ ସାକାରିୟାଙ୍କ ଶିକାର ହୋଇଥିଲେ । ଏହାପରେ ଜଶସ୍ୱୀ ଜୈସ୍ୱାଲ୍ ଓ ଅଶ୍ୱିନ ଦ୍ୱିତୀୟ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ । ତେବେ ୧୯ ବଲ୍‌ରେ ୧୯ ରନ୍ କରିଥିବା ବେଳେ ଜୈସ୍ୱାଲ୍‌ଙ୍କୁ ଆଉଟ୍ କରି ମିଚେଲ୍ ମାର୍ଶ ଏହି ଯୋଡ଼ି ଭାଙ୍ଗିଥିଲେ । ଅଶ୍ୱିନ ଠିକ୍ ୫୦ ରନ୍ କରିଥିବା ବେଳେ ମିଚେଲ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୩୮ ବଲ୍‌ର ସମ୍ମୁଖୀନ ହୋଇ ସେ ଚାରିଟି ଚୌକା ଓ ଦୁଇଟି ଛକା ସହାୟତାରେ ଆଇପିଏଲ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସଞ୍ଜୁ ସାମ୍‌ସନ୍ ପାଞ୍ଚ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ ମଧ୍ୟ ଏହା କାମ ଦେଇନଥିଲା । ସେ ମାତ୍ର ୬ ରନ୍ କରି ନୋର୍ଜେଙ୍କ ବଲ୍‌ରେ ଠାକୁରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ରିଆନ୍ ପରାଗ ମଧ୍ୟ ବଡ଼ ଇନିଂସ୍ ଖେଳିପାରି ନଥିଲେ ଏବଂ ୫ ବଲ୍‌ରେ ମାତ୍ର ୯ ରନ୍ କରି ସାକାରିୟାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଦେବଦତ୍ତ ପାଡିକଲ୍ ମାତ୍ର ୨ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ସେ ୩୦ ବଲ୍‌ରୁ ଛଅ ଚୌକା ଓ ଦୁଇଟି ଛକା ସହାୟତାରେ ୪୮ ରନ୍ କରି ନୋର୍ଜେଙ୍କ ବଲ୍‌ରେ ବଦଳ ଖେଳାଳି ନାଗରକୋଟିଙ୍କୁ କ୍ୟାଚ୍ ଦେଇ ବସିଥିଲେ । ଭାନ୍ ଡର୍ ଡୁସେନ୍ ୧୨ ଓ ଟ୍ରେଣ୍ଟ୍ ବୋଲ୍ଟ ୩ ରନ୍ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ସାକାରିୟା, ମାର୍ଶ ଓ ନୋର୍ଜେ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ରାଜସ୍ଥାନ ରୟାଲ୍ସ- ୧୬୦/୬, ୨୦ ଓଭର୍ (ରବିନ୍ଦ୍ରନ୍ ଅଶ୍ୱିନ-୫୦, ଦେବଦତ୍ତ ପାଡିକଲ୍‌-୪୮, ସାକାରିୟା-୨/୨୩, ନୋର୍ଜେ-୨/୩୯, ମାର୍ଶ, ୨/୨୫) । ଦିଲ୍ଲୀ କ୍ୟାପିଟାଲ୍ସ-୧୬୧/୨, ୧୮.୧ ଓଭର୍ (ମିଚେଲ୍ ମାର୍ଶ-୮୯, ଡେଭିଡ୍ ୱାର୍ଣ୍ଣର୍‌-୫୨³, ବୋଲ୍ଟ-୧/୩୨, ୟୁଜବେନ୍ଦ୍ର ଚହଲ୍‌-୧/୪୩) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking