28.1 C
Bhubaneswar
Saturday, April 27, 2024
Homeଖେଳଡିସେମ୍ବର ୧୬ରେ ଆଇପିଏଲ୍ ଅକ୍ସନ୍‌!

ଡିସେମ୍ବର ୧୬ରେ ଆଇପିଏଲ୍ ଅକ୍ସନ୍‌!

ନୂଆଦିଲ୍ଲୀ : ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ବେଳେ ଏଥିସକାଶେ ଅକ୍ସନ୍ ଆସନ୍ତା ଡିସେମ୍ବର ୧୬ ତାରିଖରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ନିକଟରେ ଫ୍ରାଞ୍ଚାଇଜିମାନଙ୍କ ସହ ହୋଇଥିବା ଏକ ଅନୌପଚାରିକ ଆଲୋଚନାରେ ବିସିସିଆଇ ପକ୍ଷରୁ ଏପରି ସଙ୍କେତ ଦିଆଯାଇଛି । ତେବେ ଅକ୍ସନ୍ କେଉଁଠାରେ ଅନୁଷ୍ଠିତ ହେବ, ସେନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନ ଥିବା ଜଣାପଡ଼ିଛି । ସେହିପରି ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଆସନ୍ତା ବର୍ଷ କେତେ ତାରିଖରେ ଆରମ୍ଭ ହେବ, ସେନେଇ ମଧ୍ୟ କୌଣସି ଆଲୋଚନା ହୋଇନାହିଁ । କିନ୍ତୁ ଏହା ସମ୍ଭବତଃ ମାର୍ଚ୍ଚ ମାସର ଅନ୍ତିମ ସପ୍ତାହରେ ଆରମ୍ଭ ହେବ ଓ ପୁରୁଣା ଫର୍ମାଟ୍ ହୋମ୍ ଓ ଆୱେ ପଦ୍ଧତିରେ ଏହି ସଂସ୍କରଣ ଖେଳାଯିବ ବୋଲି ଏକ ନିର୍ଦ୍ଦିଷ୍ଟ କ୍ରୀଡ଼ାଭିତ୍ତିକ ୱେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଅନୁସାରେ, ଗତ ବର୍ଷ ତୁଳନାରେ ଏଥର ଫ୍ରାଞ୍ଚାଇଜିମାନଙ୍କୁ ୫ କୋଟି ଟଙ୍କାର ଅତିରିକ୍ତ ପର୍ସ ମିଳିବ । ଅର୍ଥାତ୍ ପ୍ରତି ଫ୍ରାଞ୍ଚାଇଜି ହେବାକୁ ଥିବା ମିନି ଅକ୍ସନ୍‌ରେ ୯୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ।

ଏଥିରେ ଖେଳାଳିଙ୍କୁ ବଦଳ କରିବା କିମ୍ବା ରିଲିଜ୍ କରିବା ଖର୍ଚ୍ଚ ମଧ୍ୟ ସାମିଲ୍ ରହିବ । ସେହିପରି ୨୦୨୩ ଆଇପିଏଲ୍‌ରେ ମ୍ୟାଚ୍‌ଗୁଡ଼ିକ ହୋମ୍ ଓ ଆୱେ ଫର୍ମାଟ୍‌ରେ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରାଜ୍ୟ ଆସୋସିଏସନ୍‌କୁ ଲେଖିଥିା ଚିଠିରେ ଉଲ୍ଲେଖ କରିଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି । କୋଭିଡ୍ ସଂକ୍ରମଣ କାରଣରୁ ଆଇପିଏଲ୍‌ର ଗତ ୩ଟି ସଂସ୍କରଣ ନିର୍ଦ୍ଦିଷ୍ଟ ଭେନ୍ୟୁରେ ସୀମିତ ରହିଥିଲା । ୨୦୨୦ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ୟୁଏଇରେ ଅନୁଷ୍ଠିତ ହୋଇଥିବା ବେଳେ ୨୦୨୧ ସଂସ୍କରଣର କିଛି ଭାଗ ଭାରତରେ ଓ ପରେ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ସେହିପରି ଗତ ସଂସ୍କରଣର ଲିଗ୍ ମ୍ୟାଚ୍‌ଗୁଡ଼ିକ ପୁଣେ ଓ ମୁମ୍ବାଇରେ ଖେଳାଯାଇଥିଲା । ଏହାଛଡ଼ା ଆସନ୍ତା ବର୍ଷ ପ୍ରଥମ ମହିଳା ଆଇପିଏଲ୍ ଆୟୋଜନ ହେବାର ସମ୍ଭାବନା ଥିବା ବେଳେ ଏହା ବର୍ଷର ପ୍ରଥମ ଭାଗରେ ଆରମ୍ଭ ହେବା ନେଇ ଉକ୍ତ ରିପୋର୍ଟରେ ସମ୍ଭାବନା ପ୍ରକଟ କରାଯାଇଛି । ଅବଶ୍ୟ ଆସନ୍ତା ଅକ୍ଟୋବର ୧୮ ତାରିଖରେ ହେବାକୁ ଥିବା ବିସିସିଆଇ ଏଜିଏମ୍‌ରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking