ଭୁବନେଶ୍ୱର: ଓଡ଼ିଶାରେ ପୁଣି ବର୍ଷା। ଆସୁଛି ଲଘୁଚାପ। ଆଜିଠୁ ବଢ଼ିବ ପରିମାଣ। ପ୍ରବଳ ଗରମ ଓ ଗୁଳୁଗୁଳି ପରେ ରାଜ୍ୟରେ ପାଣିପାଗ ବଦଳିବାକୁ ଯାଉଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ସମୁଦ୍ରରୁ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ଆସୁଛି। ପାଣିପାଗ ମଡେଲ୍ର ଆକଳନ ଅନୁସାରେ, ଆଜି ନହେଲେ କାଲି ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ। ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଏବଂ ମଧ୍ୟ ଭାରତ ଆଡ଼କୁ ଯାଇପାରେ । ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ। ପରେ ଲଘୁଚାପ ନିକଟତର ହେବା ସହ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ବଢ଼ିପାରେ ବର୍ଷାର ପରିମାଣ । ଏହାପରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ବି ପ୍ରଭାବିତ କରିପାରେ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ। କିନ୍ତୁ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।










