ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଦେଶର ୭ଟି ହାଇ-ଡେନ୍ସିଟି ରେଳ କୋରିଡୋରକୁ ଫୋର୍-ଲେନ୍ (ଚାରି ଟ୍ରାକ୍) କରିବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।ଏହି ଯୋଜନା ଅଧୀନରେ ମୁମ୍ବାଇ-ହାଓ୍ୱଡ଼ା ରୁଟ୍ର ଖଡ଼ଗପୁରରୁ ଝାରସୁଗୁଡ଼ା ମଧ୍ୟରେ ୩୬୭ କିଲୋମିଟର ଦୀର୍ଘ ୪ର୍ଥ ରେଳ ଲାଇନ୍ ନିର୍ମାଣ କରାଯିବ, ଯାହା ପାଇଁ ୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଅରକୋନମ୍ରୁ ରେଣିଗୁଣ୍ଟା ପର୍ଯ୍ୟନ୍ତ ୭୭ କିଲୋମିଟର ଦୀର୍ଘ ୩ୟ ଓ ୪ର୍ଥ ଲାଇନ୍ ପାଇଁ ୧,୯୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ୫ଟି ରାଜ୍ୟର ୧୪ଟି ଜିଲ୍ଲାରେ ୬୫୬ କିଲୋମିଟର ନୂଆ ରେଳ ନେଟୱାର୍କ ଯୋଡ଼ିହେବ। ଏହାଦ୍ୱାରା ୪,୭୯୦ଟି ଗ୍ରାମର ପ୍ରାୟ ୫୬ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ।










