29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବ୍ରିଟେନରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ, ବିଶ୍ୱକୁ ୧୦୦ କୋଟି କୋଭିଡ୍ ଟିକା ଦେବାକୁ ନିଷ୍ପତ୍ତି

ବ୍ରିଟେନରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ, ବିଶ୍ୱକୁ ୧୦୦ କୋଟି କୋଭିଡ୍ ଟିକା ଦେବାକୁ ନିଷ୍ପତ୍ତି

ଲଣ୍ଡନ : ଶୁକ୍ରବାରଠାରୁ ବ୍ରିଟେନର କାର୍ବିସ ବେ’ ସହରରେ ବିଶ୍ୱର ୭ଟି ଶିଳ୍ପୋନ୍ନତ ରାଷ୍ଟ୍ରକୁ ନେଇ ଗଠିତ ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ଜାପାନ, ଜର୍ମାନୀ ଓ କାନାଡାର ରାଷ୍ଟ୍ରମୁଖ୍ୟ ଯୋଗଦେଇଥିବାବେଳେ ଅତିଥିଭାବେ ୟୁରୋପୀୟ କମିଶନ ସଭାପତିଙ୍କୁ ଆମନ୍ତ୍ରଣ କରାଯାଇଛି । ପ୍ରଥମ ଦିନରେ କୋଭିଡ୍ ମହାମାରୀକୁ ନେଇ ବିଶ୍ୱରେ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶ୍ୱର ଅଧିକାଂଶ ଗରିବ ରାଷ୍ଟ୍ର ଟିକା କିଣି ସେମାନଙ୍କ ନାଗରିକଙ୍କୁ ଯୋଗାଇଦେବାକୁ ଅକ୍ଷମ ହୋଇଥିବାବେଳେ ଜି-୭  ସମ୍ମିଳନୀରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ।

ତେବେ ବିଶ୍ୱକୁ ୧୦୦ କୋଟି କୋଭିଡ୍ ଟିକା ଯୋଗାଇଦେବାକୁ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ଏକମତ ହୋଇଛନ୍ତି । ତଦନୁଯାୟୀ ଆମେରିକା ଏକୁଟିଆ ୫୦ କୋଟି ଟିକା ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ୧୦ କୋଟି ଟିକା ଦାନ କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଘୋଷଣା କରିଛନ୍ତି। ବର୍ତ୍ତମାନ ଆମେରିକା ନିକଟରେ ପ୍ରଚୁର ମାତ୍ରାରେ କୋଭିଡ୍ ଟିକା ଗଚ୍ଛିତ ରହିଛି ।

ନିଜ ଦେଶବାସୀଙ୍କ ପାଇଁ ଟିକାର ସେତେଟା ଆବଶ୍ୟକତା ନଥିବାରୁ ଆମେରିକା ଏହି ପରିମାଣର ସିଂହଭାଗ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛି । ଅବଶିଷ୍ଟ ପରିମାଣର ଟିକାକୁ ଅନ୍ୟ ସଦସ୍ୟ ରାଷ୍ଟ୍ର ଯୋଗାଇବେ ବୋଲି ଜଣାପଡିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି ଯେ ବ୍ରିଟେନ ଚଳିତବର୍ଷ ୫ କୋଟି ଓ ଆସନ୍ତାବର୍ଷ ଆଉ ୫ କୋଟି ଟିକା ଗରିବ ରାଷ୍ଟ୍ରଗୁଡିକୁ ପ୍ରଦାନ କରିବ । ୨୦୨୨ ସୁଦ୍ଧା ବିଶ୍ୱବାସୀ ଯେପରି ଟିକା ନେବାରେ ସକ୍ଷମ ହୁଅନ୍ତି, ତାହା ଜି-୭ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜନସନ କହିଛନ୍ତି । ଜନସନଙ୍କ ଏଭଳି ମନ୍ତବ୍ୟକୁ ଦୃଢ ସମର୍ଥନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ।

ଏହି ପ୍ରସଙ୍ଗରେ ସେ ଆମେରିକା ଓ ବିଟେନକୁ ଧନ୍ୟବାଦ ଜଣାଇଥିବାବେଳେ ଫ୍ରାନ୍ସ ୩ କୋଟି ଡୋଜ୍ ଦାନ କରିବ ବୋଲି ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱ ପାଇଁ କୋଭିଡ୍ ଏକ ଆହ୍ୱାନ ସୃଷ୍ଟି କରିଥିବାବେଳେ ବିକଶିତ ଓ ଶିଳ୍ପୋନ୍ନତ ରାଷ୍ଟ୍ରଭାବେ ଆମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ ମତପ୍ରକାଶ ପାଇଛି । ମୋଟ ଉପରେ କହିବାକୁ ଗଲେ ସମ୍ମିଳନୀର ପ୍ରଥମ ଦିନରେ ବିଶ୍ୱ ଟିକାକରଣ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ଏହାବ୍ୟତୀତ ବିଶ୍ୱ ଅର୍ଥନୀତିକୁ କ୍ରିୟାଶୀଳ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି । ଦ୍ୱିତୀୟ ଅଧିବେଶନରେ ଜି-୭ ରାଷ୍ଟ୍ରମୁଖ୍ୟମାନେ ବକିଙ୍ଗ୍‌ହାମ୍ ରାଜପ୍ରାସାଦରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking