38.1 C
Bhubaneswar
Friday, April 26, 2024
Homeଓଡିଶାକାର୍ଯ୍ୟକାରୀ ହେବ ୫-ଟି ନୀତି, ପୁରୀ ପୁଲିସର ନୂତନ ବ୍ୟବସ୍ଥା

କାର୍ଯ୍ୟକାରୀ ହେବ ୫-ଟି ନୀତି, ପୁରୀ ପୁଲିସର ନୂତନ ବ୍ୟବସ୍ଥା

ପୁରୀ : ଜନସାଧାରଣଙ୍କୁ ପୁଲିସ ସେବା ଯୋଗାଇ ଦେବାରେ ଅଧିକ ଉନ୍ନତି ପାଇଁ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୧ମାସ ମଧ୍ୟରେ ଜନସାଧାରଣଙ୍କ ସହ ଆଲୋଚନା ବେଳେ ପ୍ରକାଶିତ ମତାମତ, କରାଯାଇଥିବା ସର୍ଭେ, ଆମ ପୁଲିସ ଆଲୋଚନା ଓ ସାହି କମିଟି ବୈଠକର ମତାମତ ଅନୁଯାୟୀ ଜନସାଧାରଣଙ୍କ ସୁବିଧା ପାଇଁ ପୁଲିସ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ଫାଇଭଟି ନିୟମ ପାଳନ ପାଇଁ ପୁଲିସ ପକ୍ଷରୁ ଗ୍ରହଣ କରାଯାଉଛି ବିଭିନ୍ନ ପଦକ୍ଷେପ । ଏଣିକି କୌଣସି ଥାନାର ଆଇଆଇସିଙ୍କ ସହ ପ୍ରଥମ ସାକ୍ଷାତ ଆଲୋଚନା କରିବା ପାଇଁ ଲୋକମାନଙ୍କୁ ମାତ୍ର ସର୍ବାଧିକ ୨୦ମିନିଟ୍ ଅପେକ୍ଷା କରିବାକୁ ପଡ଼ିବ । ଫାଇଭଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ପୁରୀ ସହରରେ ଥିବା ଥାନାମାନଙ୍କରେ “ମାଟ୍ରିକ୍ସ ଏସ୍କାଲେସନ” ସିଷ୍ଟମର ପ୍ରବର୍ତ୍ତନ କରାଯିବ । ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ସହରରେ ଥିବା ଥାନାମାନଙ୍କରେ ଏହି ବ୍ୟବସ୍ଥା ପ୍ରବର୍ତ୍ତିତ ହେବ ।

ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ମତାମତ ଅନୁଯାୟୀ ପୁରୀ ଜିଲ୍ଲାର ସମସ୍ତ ଥାନାରେ ଏହି ବ୍ୟବସ୍ଥା ପ୍ରବର୍ତ୍ତନ କରାଯିବ । ଗତ ୧ମାସ ଧରି ପୁରୀ ସହର ସ୍ଥିତ ଥାନାମାନଙ୍କରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପ୍ରତ୍ୟହ ମୋଟ ୧୦୦ରୁ ୧୨୦ଜଣ ଅଭିଯୋଗକାରୀ ସମସ୍ତ ପୁଲିସ ଥାନାକୁ ଆସିଥାନ୍ତି । କୁମ୍ଭାରପଡ଼ା ଥାନାକୁ ସର୍ବାଧିକ ଅଭିଯୋଗକାରୀ ଆସୁଥିବା ବେଳେ ବାସେଳୀ ସାହି ଥାନାକୁ ଦୈନିକ ୨୫ଜଣ ଅଭିଯୋଗକାରୀ ଆସିଥାନ୍ତି । ଗୋଟିଏ କାରଣ ପାଇଁ ଏକାଧିକ ବ୍ୟକ୍ତି ଥାନାକୁ କୌଣସି କାର୍ଯ୍ୟ ପାଇଁ ଆସିଥିଲେ ସେମାନଙ୍କୁ ଜଣେ ବୋଲି ବିବେଚନା କରାଯାଇଥାଏ । ସେମାନେ ଯଥାଶୀଘ୍ର ଆଇଆଇସି, ଓଆଇସିଙ୍କ ସହ ଆଲୋଚନା କରିଥାନ୍ତି । ସେମାନଙ୍କ ଅଭିଯୋଗର ଯଥାଶୀଘ୍ର ପ୍ରତିକାର କରାଯାଇଥାଏ । ତେବେ ଅଳ୍ପ କେତେକ କ୍ଷେତ୍ରରେ ଅଭିଯୋଗକାରୀମାନଙ୍କୁ ୩୦ମିନିଟ୍‌ରୁ ଉର୍ଦ୍ଧ୍ୱ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବାର ଅଳ୍ପ କିଛି ଉଦାହରଣ ମିଳିଛି । ଏହାର କାରଣ ହେଲା ଆଇଆଇସି ଓ ଅନ୍ୟ ଅଧିକାରୀମାନେ ଆଇନ ଶୃଙ୍ଖଳା ଡ଼୍ୟୁଟିରେ ଯାଇଥାନ୍ତି କିମ୍ବା କୌଣସି ଚଢ଼ାଉ କାର୍ଯ୍ୟରେ ସଂଶ୍ଳିଷ୍ଟ ଥାନ୍ତି ।

ଏହା ସତ୍ତ୍ୱେ ଅଳ୍ପ କେତେକ କ୍ଷେତ୍ରରେ ଅଭିଯୋଗର ପ୍ରତିକାର ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଇଥାଏ । ଏଭଳି ସ୍ଥିତିରେ ପାଖ ଥାନାରୁ ତୁରନ୍ତ ଅଫିସରଙ୍କୁ ଡ଼କା ଯାଇଥାଏ । ଏହି ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ତତ୍ପର କରାଯିବା ଏବଂ ଥାନାରେ ଲୋକମାନଙ୍କ ପ୍ରତୀକ୍ଷା ସମୟକୁ ସର୍ବନିମ୍ନ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଉପଯୁକ୍ତ ତଦାରଖ ବ୍ୟବସ୍ଥା କରାଯିବା ଆବଶ୍ୟକ । ଅନେକ ଅଭିଯୋଗ କରିବାକୁ ଆସୁଥିବା ଲୋକମାନଙ୍କ ଅପେକ୍ଷାର ସମୟ ସର୍ବନିମ୍ନ କରାଯିବା ପାଇଁ ପୁରୀ ସହରରେ “ମାଟ୍ରିକ୍ସ ଏସ୍କାଲେସନ” ସିଷ୍ଟମ ପ୍ରଚଳନ କରାଯାଉଛି । ଏହି କ୍ରମରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଅଭିଯୋଗର ପ୍ରତିକାର ପାଇଁ ଆଇଆଇସି  ସେକେଣ୍ଡ ଅଫିସର ତୁରନ୍ତ ଉଦ୍ୟମ କରିବେ । ଅଭିଯୋଗକାରୀଙ୍କ ଅପେକ୍ଷାର ସମୟ ସର୍ବାଧିକ ୨୦ମିନିଟ୍ ହେବ । ଏହି ୨୦ମିନିଟ୍ ମଧ୍ୟରେ ଆଇଆଇସି କିମ୍ବା ଓଆଇସି ଅଭିଯୋଗକାରୀଙ୍କୁ ସାକ୍ଷାତ କରି ତାଙ୍କ ଅଭିଯୋଗର ପ୍ରତିକାର ପ୍ରକ୍ରିୟା ଆରମ୍ଭ କରିବେ ।

ଏତଲା ରୁଜୁ ହେଉ କିମ୍ବା ଅନ୍ୟ ଯେ କୌଣସି କାର୍ଯ୍ୟ ହେଉ ଏହି ପଦ୍ଧତି ଅନୁସ୍ରୁତ ହେବ । ଲୋକମାନଙ୍କ ଆପତ୍ତି ଅଭିଯୋଗର ଯଥାବିଧି ପ୍ରତିକାର କରାଯିବ ଏବଂ କଡ଼ାକଡ଼ି ଭାବେ ଆଇନ ଅନୁଯାୟୀ ଏହି କାର୍ଯ୍ୟ କରାଯିବ । ଯେକୌଣସି ମତେ ୨୦ମିନିଟ୍ ମଧ୍ୟରେ ଅଭିଯୋଗକାରୀଙ୍କ ଅଭିଯୋଗର ପ୍ରତିକାର ପାଇଁ ଉଦ୍ୟମ ଆରମ୍ଭ କରାଯିବ । ଆଇଆଇସି କୌଣସି ଆଇନଶୃଙ୍ଖଳା ଡ଼୍ୟୁଟିରେ ଯାଇଥିଲେ ସେକେଣ୍ଡ ଅଫିସର ଓ ଡ଼ିସିଓ ଅଭିଯୋଗକାରୀଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବେ । ତୁରନ୍ତ ଏ ସମ୍ପର୍କରେ ଆଇଆଇସି ଓ ଏସଡ଼ିପିଓଙ୍କୁ ଅବଗତ କରାଯିବ । ଯଦି ୨୦ମିନିଟ୍ ଅପେକ୍ଷାର ସମୟ ମଧ୍ୟରେ ଆଇଆଇସି ଓଆଇସି କିମ୍ବା ଡ଼ିସିଓ କୌଣସି କାରଣରୁ ଅଭିଯୋଗକାରୀଙ୍କ ସହ ଆଲୋଚନା ନ କରନ୍ତି ତେବେ ସମ୍ପୃକ୍ତ ଥାନାର ଅଭ୍ୟର୍ଥନା କେନ୍ଦ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରି ସିଟି ଡ଼ିଏସପିଙ୍କୁ ଜଣାଇବେ । ଅଭିଯୋଗକାରୀ ମଧ୍ୟ ତୁରନ୍ତ ଟେଲିଫୋନ ଯୋଗେ ସିଟି ଡ଼ିଏସପିଙ୍କ ସହ ଯୋଗାଯୋଗ କରିପାରିବେ । ସମସ୍ତ ଥାନାରେ ସମସ୍ତ ପୁଲିସ ଅଧିକାରୀମାନଙ୍କ ଫୋନ ନମ୍ବର ପ୍ରଦର୍ଶିତ ହେଉଛି ।

ସିଟି ଡ଼ିଏସପି ଖବର ପାଇବା କ୍ଷଣି ଟେଲିଫୋନରେ ଅଭିଯୋଗାରୀଙ୍କ ସହ ଯୋଗାଯୋଗ କରିବେ ଏବଂ ଅନ୍ୟ ଯେକୌଣସି ଥାନାର ଆଇଆଇସିଙ୍କ ସହ ଅଭିଯୋଗକାରୀଙ୍କ ଆଲୋଚନାକୁ ସୁନିଶ୍ଚିତ କରାଇବେ । ଅଭିଯୋଗକୁ ଭିତ୍ତି କରି ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ଯଦି କୌଣସି କାରଣରୁ ଅପେକ୍ଷାର ସମୟ ୪୦ମିନିଟ୍ ପାର କରିଯାଏ ଏବଂ କେହି କୌଣସି କାରଣରୁ ଅଭିଯୋଗକାରୀଙ୍କ ସହ ଆଲୋଚନା କରିନଥାନ୍ତି । ତେବେ ତୁରନ୍ତ ଆରକ୍ଷୀ ଅଧିକ୍ଷକ ଏଥିରେ ହସ୍ତକ୍ଷେପ କରିବେ ଏବଂ ଅଭିଯୋଗର ପ୍ରତିକାର ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking