31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶ୩ ବର୍ଷର ପୁଅକୁ ଦିଆଗଲା ବିଶ୍ୱର ସବୁଠୁ ଦାମୀ ଇଞ୍ଜେକ୍‌ସନ, ୧୬ କୋଟି ଯୋଗାଡ଼କଲେ ହାଇଦ୍ରାବାଦ...

୩ ବର୍ଷର ପୁଅକୁ ଦିଆଗଲା ବିଶ୍ୱର ସବୁଠୁ ଦାମୀ ଇଞ୍ଜେକ୍‌ସନ, ୧୬ କୋଟି ଯୋଗାଡ଼କଲେ ହାଇଦ୍ରାବାଦ ଦମ୍ପତି

ହାଇଦ୍ରାବାଦ:  ଦୁରାରୋଗ୍ୟ ରୋଗରେ ପୀଡିତ ୩ ବର୍ଷର ଏକମାତ୍ର ପୁତ୍ର ସନ୍ତାନକୁ ବଞ୍ଚାଇବାକୁ ହାଇଦ୍ରାବାଦର ଗୋଟିଏ ଦମ୍ପତି ସାମାଜିକ ଗଣମାଧ୍ୟମ ଜରିଆରେ ୧୬ କୋଟି ଟଙ୍କା ଯୋଗାଡ କରିଥିବା ଜଣାପଡିଛି । ଗତ ବୁଧବାର ସିକନ୍ଦରାବାଦର ବିକ୍ରମପୁରୀସ୍ଥିତ ରେନ୍‌ବୋ ଚିଲଡ୍ରେନ୍‌ସ ହସ୍ପିଟାଲରେ ଏହି ଶିଶୁପୁତ୍ରକୁ ବିଶ୍ୱର ସବୁଠୁ ଦାମିକା ଇଞ୍ଜେକ୍‌ସନ ଦିଆଯାଇଛି । ଡାକ୍ତରୀ ଦଳ ଦୀର୍ଘ ୧୨ ଘଣ୍ଟା ନିରୀକ୍ଷଣ କରିବାପରେ ଶିଶୁପୁତ୍ରକୁ ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି । ଛତିଶଗଡ ନିବାସୀ ଯୋଗେଶ ଗୁପ୍ତା ହାଇଦ୍ରାବାଦର ଏକ ଫାର୍ମରେ ଚାକିରି କରୁଛନ୍ତି । ତିନିବର୍ଷର ଶିଶୁପୁତ୍ର ଆୟାଂଶ ଏକ ବିରଳ ରୋଗ ଏସ୍‌ଏମ୍‌ଏ (ସ୍ପାଇନାଲ ମସ୍କୁଲାର ଆଟ୍ରୋଫି)ରେ ଆକ୍ରାନ୍ତ ଥିବା ଜଣାପଡିବାପରେ ଯୋଗେଶ ଓ ତାଙ୍କ ପତ୍ନୀ ରୂପଲ ମୁଣ୍ଡରେ ହାତଦେଇବସିଲେ । ଡାକ୍ତର କହିଲେ ଏହି ରୋଗର ଚିକିତ୍ସା ପାଇଁ ଆମେରିକାର ନୋଭାର୍ତିସ କମ୍ପାନୀ ଦ୍ୱାରା ପ୍ରସ୍ତୁତ ‘ଜୋଲଜେନ୍‌ସମା’ ଇଞ୍ଜେକ୍‌ସନ ଦିଆଯିବା ଜରୁରୀ । ଏହା ବିଶ୍ୱର ସବୁଠୁ ଦାମୀ ଇଞ୍ଜେକ୍‌ସନ ହୋଇଥିବାବେଳେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୬ କୋଟି ଟଙ୍କା । ଗୁପ୍ତା ଦମ୍ପତିଙ୍କ ମୁଣ୍ଡରେ ଚଡକ ପଡିଲା ।

ତେବେ ହତାଶ ନହୋଇ ସେମାନେ ଚଳିତବର୍ଷ ଫେବୃଆରୀରେ ସାମାଜିକ ଗଣମାଧ୍ୟମରେ ଏକ ଅପିଲ ଜଣାଇଲେ । ମେ’ ୨୩ ସୁଦ୍ଧା ବଦାନ୍ୟ ବ୍ୟକ୍ତିମାନଙ୍କଠାରୁ ୧୬ କୋଟି ଆଦାୟ ହୋଇଗଲା । ୬୫ ହଜାର ଦାତାଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ତାଙ୍କର ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା, ବଲିଉଡ ତାରକା ଦିୟା ମିର୍ଜା, ଇମ୍ରାନ ହାସ୍‌ମୀ, ଜାଭେଦ ଜାଫ୍ରି, ରାଜକୁମାର ରାଓ, ଅର୍ଜୁନ କପୁର ଓ ସାରା ଅଲ୍ଳୀ ଖାନ୍ । ଜୁନ ୮ରେ ଆମେରିକାରୁ ଏହି ଇଂଜେକସନ ହାଇଦ୍ରାବାଦରେ ପହଞ୍ଚିଥିଲା ।

ମାନବିକତା ଦୃଷ୍ଟିରୁ ଭାରତ ସରକାର ଏହା ଉପରୁ ବହିଃଶୁଳ୍‌କ ଓ ଜିଏସ୍‌ଟି (ପ୍ରାୟ ୬ କୋଟି ଟଙ୍କା) ମଧ୍ୟ ଛାଡ କରିଦେଇଛନ୍ତି । ଚଳିତମାସ ୯ ତାରଖରେ ଶିଶୁପୁତ୍ରକୁ ଏହି ଇଞ୍ଜେକ୍‌ସନ ଦିଆଯାଇଥିଲା । ବର୍ତ୍ତମାନ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରମାନେ କହିଛନ୍ତି । ଜିନ୍ ସଂକ୍ରାନ୍ତ ଏହି ରୋଗର ଚିକିତ୍ସା ପାଇଁ ଏଭଳି ଇଞ୍ଜେକ୍‌ସନର ଗୋଟିଏ ଡୋଜ୍ (୬୦ ମିଲିଲିଟର) ଆବଶ୍ୟକ ହୋଇଥାଏ ।

ଆୟାଂଶକୁ ଇଞ୍ଜେକ୍‌ସନ ଦେବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା । ତେବେ ଆଗାମୀ ଦୁଇମାସ ତାକୁ ଅତ୍ୟନ୍ତ ଯତ୍ନ ସହକାରେ ରଖିବାକୁ ଡାକ୍ତରୀ ଦଳ ଗୁପ୍ତା ଦମ୍ପତିଙ୍କୁ କଡା ଚେତାବନୀ ଦେଇଛନ୍ତି । ଶରୀରରେ ପ୍ରତିଷେଧକ ଶକ୍ତି ଆଦୌ ନଥିବାରୁ ବାହ୍ୟ ସଂସ୍ପର୍ଶରେ ଆସିଲେ ସଂକ୍ରମଣର ଆଶଙ୍କା ରହିଥିବା ସେମାନେ କହିଛନ୍ତି । ଇଞ୍ଜେକ୍‌ସନ ନେବାପରେ ଆୟାଂଶର ଗୋଡହାତ ସମେତ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସ୍ୱାଭାବିକ୍‌ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking