32.1 C
Bhubaneswar
Saturday, May 4, 2024
Homeଓଡିଶାଶିଶୁଙ୍କ ଭବିଷ୍ୟତ ଅନ୍ଧାରକରୁଛି ଲକ୍‌ଡାଉନ୍‌

ଶିଶୁଙ୍କ ଭବିଷ୍ୟତ ଅନ୍ଧାରକରୁଛି ଲକ୍‌ଡାଉନ୍‌

ନବରଙ୍ଗପୁର : ଲକ୍‌ଡାଉନ୍ ସମୟରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରୁଛି ଲକ୍‌ଡାଉନ୍ । ନବରଙ୍ଗପୁର ଜିଲ୍ଲାରେ ଅନ୍‌ଲାଇନ୍ କ୍ଲାସ ବାହାନାରେ ଅଧିକାଂଶ ଶିଶୁ ମୋବାଇଲ ବ୍ୟବହାର କରୁଛନ୍ତି । ଲକ୍‌ଡାଉନ୍ ଯୋଗୁ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘରେ ଏକପ୍ରକାର ତାଲାବନ୍ଦୀ ହୋଇ ରହୁଛନ୍ତି । ଫଳରେ ଖେଳକୁଦ ଭୁଲିଗଲେଣି କୋମଳମତି ପିଲାମାନେ ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯେତେ ଉନ୍ନତ ହେଉଛି ସେତେ ଅଧିକ ସଂଖ୍ୟାରେ କମ୍ପ୍ୟୁଟର ଗେମ୍‌ର ଚାହିଦା ବଢ଼ିବାରେ ଲାଗିଛି । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଏବେ ସମସ୍ତେ ମୋବାଇଲ ଗେମ୍‌ରେ ପାଗଳ । ଦିନ ଥିଲା ପିଲାମାନେ ସ୍କୁଲରୁ ଫେରି ବହି ବସ୍ତାନୀ ରଖି ବାହାରକୁ ଯାଇ ଖେଳୁଥିଲେ । ଏବେ ଶାରୀରିକ ଖେଳକୁଦ ପ୍ରାୟତଃ ଦେଖାଯାଉନାହିଁ । ଗାଁ ଦାଣ୍ଡରେ ଯେଉଁ କବାଡ଼ି, ବାଟିଖେଳ, କେଳିବାଡି, ଲୁଚକାଳି, ଛୁ ଛୁଆଣି, ଗୁଡ଼ିଉଡ଼ା, କ୍ୟାରମ ଭଳି ଅନେକ ପ୍ରକାର ଖେଳ ଆଜିର ପିଢ଼ିରେ ଆଉ ଦେଖାଯାଉନି । ଏମିତି ଏକ ଖେଳ ଥିଲା ବୋଲି ଆଜିର ଶିଶୁ ଜାଣିନାହାନ୍ତି । ଏହି ଖେଳଗୁଡ଼ିକ ଧୀରେ ଧୀରେ ଲୋପ ପାଇଯାଉଛି । ବିଭିନ୍ନ ପର୍ବପର୍ବାଣୀ ୠତୁ ଅନୁଯାୟୀ ଖେଳକୁଦ ମଧ୍ୟ ଆଉ ନାହିଁ । ଝିଅମାନଙ୍କ ପଟୁଲି କପଡା, ପୁଚି ଖେଳ ଆଜିର ଝିଅମାନେ ଶୁଣିନଥିବେ । ପିଲାଙ୍କ ମନ ଓ ମୋବାଇଲ ନିଶା ଘାରିଲାଣି । ନବରଙ୍ଗପୁର ସହରର ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିଜ ବାପାମାଆଙ୍କୁ ୨୦ ହଜାର ଟଙ୍କିଆ ମୋବାଇଲ ମାଗିଲେ । ବାପାମାଆ ନ ଦେବାରୁ ଭୋକଉପାସରେ ରହିଥିବା ଶୁଣିବାକୁ ମିଳିଛି । ଏ ସମ୍ପର୍କରେ ଅନୁବାଦିକା ତଥା ଅଧ୍ୟାପିକା ନିହାରୀକା ମଲ୍ଲିକ କୁହନ୍ତି କରୋନା ମହାମାରି ଯେ କେବଳ ଲୋକମାନଙ୍କ ଜୀବନ ଓ ସ୍ୱାସ୍ଥ୍ୟକୁ ବିପର୍ଯ୍ୟସ୍ତ କରିଛି ତାହା ନୁହେଁ, ଏହା ଶିଶୁ ଓ କିଶୋରମାନଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଛି । ସେମାନେ ଯେପରି ନିଜ ଶୈଶବକୁ ହରାଇବସିଛନ୍ତି । ବାହାରକୁ ନ ବାହାରିବାର କଟକଣା, ଖେଳପଡ଼ିଆ ଓ ପାର୍କ ଇତ୍ୟାଦି ଉପରେ କଟକଣା ଫଳରେ ଏହି ନିରୀହ ପିଲାମାନେ ଏବେ ଗୃହବନ୍ଦୀ ଜୀବନ କାଟୁଛନ୍ତି । ଫଳସ୍ୱରୂପ ପଢ଼ାପଢ଼ି ସମୟ ପରେ ସେମାନେ ଅଧିକାଂଶ ସମୟ ଏବେ ମୋବାଇଲରେ ଦେଉଛନ୍ତି । ବାହାରେ ବିଭିନ୍ନ ପ୍ରକାରର ଖେଳ ଶାରୀରିକ ତଥା ମାନସିକ ବିକାଶରେ ସହାୟକ ହୋଇଥାଏ । ଏଥିରୁ ସେମାନେ ନିବୃତ୍ତ ରହିବା କାରଣରୁ ଦୃଷ୍ଟିଶକ୍ତି କମିବା, ମୁଣ୍ଡବିନ୍ଧା ତଥା ମୋଟାପଣ ଆଦି ସମସ୍ୟା ମଧ୍ୟ ଦେଖାଦେଲାଣି ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର କହିଛନ୍ତି ଯେ, କରୋନା କଟକଣା ଯୋଗୁ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ସ୍କୁଲ କଲେଜ ବନ୍ଦ ରହିଛି । କଟକଣା ଯୋଗୁ ପିଲାମାନେ ବାହାରକୁ ବାହାରି ପାରୁନାହାଁନ୍ତି । ପିଲାମାନେ ଘରେରହି ମୋବାଇଲରେ ଲାଗିରହୁଥିବା ଯୋଗୁ ଏହାର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ କୁପ୍ରଭାବ ପଡୁଛି । ମୋବାଇଲ ଫୋନରେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ମିଛ ଓ ଆପତ୍ତିଜନକ ତଥ୍ୟ ଆସୁଥିବା ଯୋଗୁ ପିଲାମାନଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡୁଛି । ଏହାଠାରୁ ଦୂରେଇ ରହିବାକୁ ସେ କହିଛନ୍ତି । ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସୁମନ୍ତ କୁମାର କୁଣ୍ଡୁ କହିଛନ୍ତି ଯେ, ଛାତ୍ରଛାତ୍ରୀ ବେଶୀ ସମୟ ମୋବାଇଲ୍‌ରେ ଧ୍ୟାନ ଦେବା ଯୋଗୁ ଫ୍ରିଫାୟାର, ପପଜି ଗେମ ବର୍ତ୍ତମାନ ସେମାନଙ୍କୁ ଦିଗହରା କରିସାରିଛି । କିଛି ରାଜ୍ୟରେ ଏହି ଗେମ୍‌କୁ ନିଷିଦ୍ଧ କରାଯାଇଥିବା ବେଳେ ଆମ ଅଞ୍ଚଳରେ ପିଲା ଏହି ଗେମ୍‌ରେ ପୂରା ସମୟ ମାତିଛନ୍ତ । ଆମ ସମୟରେ ସ୍କୁଲରୁ ଫେରି ସାଙ୍ଗମାନଙ୍କ ସହ ପଡ଼ିଆରେ ବିଭିନ୍ନ ଶାରୀରିକ ଖେଳ ଖେଳୁଥିଲୁ । ସାଙ୍ଗମାନଙ୍କ ସହ ଯେଉଁ ଭାଇଚାରା ଥିଲା ତାହା ଆଉ ନାହିଁ । ସୋସିଆଲ ମିଡିଆ ଏହାର ସ୍ଥାନ ନେଇଯାଇଛି ।
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ପାରୀ କହିଛନ୍ତି ଯେ, ବିଜ୍ଞାନ ଯୁଗରେ ଆମେ ନିଜକୁ ପ୍ରଗତିଶୀଳ ଭାବିବା ଭୁଲ । ଯନ୍ତ୍ର ଦ୍ୱାରା କାମ କରି ସମୟ ସିନା ବଞ୍ଚାଇପାରୁଛୁ । କିନ୍ତୁ ଆୟୁଷ କମ୍ କରି ଚାଲିଛୁ । ପୂର୍ବରୁ ଗାଁ ଦାଣ୍ଡରେ ପିଲାମାନେ ପୁଚି, ରୁମାଲ ଚୋରି ଆଦି ଖେଳ ଖେଳୁଥିଲେ । କିନ୍ତୁ ଆଜିର ଶୈଶବ ମୋବାଇଲ, କମ୍ପ୍ୟୁଟର ପାଖେ ବନ୍ଧାପଡ଼ିଛି । ଯାହା ତାଙ୍କ ମସ୍ତିଷ୍କ ଓ ଶରୀର ଉପରେ ପ୍ରଭାବ ପକାଉଛି । ସମାଜସେବୀ କ୍ଷେମରାଜ ବାଘ କହିଛନ୍ତି ଯେ, ଚନ୍ଦାହାଣ୍ଡି ବ୍ଲକରେ ୧୩୫ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ରହିଥିବା ବେଳେ ମାତ୍ର ହାତଗଣତି ୧୦-୧୫ ଟି ବିଦ୍ୟାଳୟରେ ଖେଳପଡ଼ିଆ ଅଛି । ପିଲାଙ୍କ ଖେଳିବାକୁ ଆଗ୍ରହ ଥିଲେ ମଧ୍ୟ ଖେଳିପାରୁନାହାନ୍ତି । କ୍ରିକେଟ ଖେଳରେ ବେଶି ପୁରସ୍କାର ରହୁଥିବାରୁ ସେଥିପ୍ରତି ପିଲାଙ୍କ ଆଗ୍ରହ ରହୁଛି ବୋଲି କହିଛନ୍ତି । ଏ ସମ୍ପର୍କରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ କିଶୋର କୁମାର ଖମାରି କହିଛନ୍ତି ଯେ, ପାରମ୍ପରିକ ଖେଳ ଏବେ ଲୁପ୍ତ ପ୍ରାୟ । ଫଳରେ ସାମାଜିକ ସନ୍ତୁଳନ ଏବେ ବିଗିଡ଼ିଯାଉଛି । ଗୋଟିଏ ସାହିର ପିଲାମାନେ ପରସ୍ପରକୁ ଚିହ୍ନିପାରୁନାହାଁନ୍ତି । ଯୁବ ପିଢ଼ି ମାନସିକ ଅବସାଦର ଶିକାର ହେଉଛନ୍ତି । ଯାହା ସୁସ୍ଥ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking