ନୂଆଦିଲ୍ଲୀ: ପାର୍ଟ ଟାଇମ ଚାକିରି ନାଁରେ ଲୋକମାନଙ୍କୁ ଠକୁଥିବା କମ୍ପାନୀ ଭିରୁଦ୍ଧରେ ଆକ୍ସନ ନେଇଛି ଇଡି । ଏମିତି ଠକେଇ କରୁଥିବା ମୋଟ ୧୨ଟି ସ୍ଥାନରେ ଏବେ ଚଢାଉ କରିଛି । ଏଥିସହ ୫.୮୫ କୋଟି ଟଙ୍କା ଜବତ କରିଛି ଇଡି । ତେବେ ଏହି ଫର୍ଜି କମ୍ପାନୀ ଚୀନର କିଛି ଲୋକ ଚଳାଉଥିବା ବେଳେ ଭାରତୀୟମାନଙ୍କୁ ଧୋକା ଦେଉଥିଲେ । ଏଜେନ୍ସି ଅନୁସାରେ, କିପ ସେୟାର ନାମକ ଏକ ମୋବାଇଲ ଆପ୍ଲିକେସନ ପ୍ଲେଷ୍ଟୋରରେ ଉପଲବ୍ଧ ରହିଥିଲା ।
ରେଜିଷ୍ଟ୍ରେସନ ନାଁରେ ଲୋକମାନଙ୍କ ପାଖରୁ ଟଙ୍କା ନେଇ ସେଲିବ୍ରିଟିଙ୍କ ଭିଡିଓକୁ ଲାଇକ କରି ସୋସିଆଲ ମିଡିଆରେ ଏହାକୁ ଅପଲୋଡ କରିବା ପାଇଁ କହୁଥିଲେ । ତେବେ ପ୍ରତି ଭିଡିଓରେ ତାଙ୍କୁ ୨୦ ଟଙ୍କାର ପ୍ରତିଶ୍ରୁତି ଦିଆଯାଉତିଲା, ଯାହା କିପ ସେୟାରର ଆପର ୱାଲେଟକୁ ଆସିଥାଏ । ଏହାବ୍ୟତୀତ ଏହି ଆପ ଜରିଆରେ ଇନଭେଷ୍ଟ କରିବା ପାଇଁ ମଧ୍ୟ ଲୋକମାନଙ୍କୁ କୁହାଯାଉଥିଲା ।
ତେବେ କିଛି ଦିନ ପର୍ଯ୍ୟନ୍ତ ଲୋକଙ୍କ ଟଙ୍କା ଏକାଠି କରିବା ପରେ ପ୍ଲେଷ୍ଟୋରରୁ ଆପକୁ ହଟାଇ ଦେଇଥିଲା କମ୍ପାନୀ । ତେବେ ଏହାପରେ କମ୍ପାନୀକୁ ଚୀନ ଚଳାଉଥିବା ନେଇ ସୂଚନା ମିଳିଥିଲା । ବେଙ୍ଗଲୁରୁରେ ଏ ନେଇ ଅଭିଯୋଗ ହେବା ପରେ ଇଡି ମନି ଲଣ୍ଡ୍ରିଙ୍ଗ ମାମଲା ରୁଜୁ କରି ଚଢାଉ କରିଥିଲା ଏବଂ ୫.୮୫ କୋଟି ଟଙ୍କା ଜବତ କରିଛି ଇଡି । ଏଥିସହ ୯୨ ଆରୋପୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବା ବେଳେ ଏଥିରୁ ୬ ଜଣ ଚୀନ ଏବଂ ତାଇବାନର ଥିବା ଜଣାଯାଇଛି ।