40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ : ମୁମ୍ବାଇ ହାଇକୋର୍ଟ

ସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ : ମୁମ୍ବାଇ ହାଇକୋର୍ଟ

ମୁମ୍ବାଇ : ବାହାଘର ପରେ ପତ୍ନୀଙ୍କ ଇଚ୍ଛା ବିନା ଶାରୀରିକ ସମ୍ବନ୍ଧ ସ୍ଥାପନ ନେଇ ବିଗତ ୭ ଦିନ ମଧ୍ୟରେ ଦେଶର ଦୁଇ ଅଦାଲତ୍‌ରେ ଦୁଇ ଭିନ୍ନ ଭିନ୍ନ ଫଇସଲା ଆସିଛି । ମାରିଟିଆଲ୍ ରେପ୍ କ୍ରୂରତା ଓ ଏହା ତଲାକର ଆଧାର ହୋଇପାରେ ବୋଲି କେରଳ ଉଚ୍ଚନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଥିବା ବେଳେ ବାହାଘର ପରେ ପତ୍ନୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ ଏଥିପାଇଁ ସ୍ୱାମୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ମୁମ୍ବାଇର ଆଡିସନାଲ ସେସନ୍ସ ଜଜ୍ ସଂଜ୍ଞାଶ୍ରୀ ଜେ ଘରାଟ କହିଛନ୍ତି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ବଳପୂର୍ବକ ଶାରୀରିକ ସମ୍ପର୍କ ଅଭିଯୋଗ ଆଣିଥିଲେ । ଏହାର ଶୁଣାଣି କରିବା ବେଳେ ବିଚାରପତି ସଂଜ୍ଞାଶ୍ରୀ ଏପରି ବୟାନ ଦେବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସ୍ୱାମୀ ହୋଇଥିବାରୁ ସେ ଶାରୀରିକ ସମ୍ପର୍କ ରଖି କୌଣସି ବେଆଇନ କାମ କରିଛନ୍ତି ବୋଲି କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ମହିଳା ଜଣଙ୍କ ୨୦୨୦ ନଭେମ୍ବର ୨୨ ତାରିଖରେ ବିବାହ କରିଥିଲେ । ସେ ପୋଲିସକୁ କହିଛନ୍ତି ଯେ ବାହାଘର ପରେ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକ ତାଙ୍କ ଉପରେ ଅନେକ ପ୍ରକାରର କଟକଣା ଲଗାଇଥିଲେ । ସେମାନେ ତାଙ୍କୁ ମାଡ଼ ମାରିବା ସହ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ । ବାହାଘରର ମାସକ ପରେ ତାଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲେ । ଜାନୁଆରୀ ୨ ତାରିଖରେ ଦମ୍ପତି ମୁମ୍ବାଇ ନିକଟ ମହାବଳେଶ୍ୱର ଯାଇଥିଲେ ।

ଏଠାରେ ମଧ୍ୟ ସ୍ୱାମୀ ଜଣଙ୍କ ବଳପୂର୍ବକ ତାଙ୍କ ସହ ସେକ୍ସ କରିଥିଲେ । ଏହି ଘଟଣା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇପଡ଼ିବା ସହ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତର ପରୀକ୍ଷା କରିବା ପରେ ମହିଳାଙ୍କର ଅଣ୍ଟା ତଳ ଅଂଶ ପାରାଲିସିସ୍ ହୋଇଯାଇଥିବା କହିଥିଲେ । ଏହାପରେ ମୁମ୍ବାଇ ପୋଲିସରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରିଥିଲେ । ଶୁଣାଣି ବେଳେ ସ୍ୱାମୀ ଓ ତାଙ୍କ ପରିବାର ଲୋକ ମିଥ୍ୟା କେସ୍‌ରେ ସେମାନଙ୍କୁ ଫସାଇବାକୁ ଉଦ୍ୟମ ହେଉଥିବା କହିଥିଲେ। ଏଥିସହ ସେମାନେ କେବେ ବି ଯୌତୁକ ଦାବି କରିନଥିବା କୋର୍ଟଙ୍କୁ ଅବଗତ କରାଇଥିଲେ ।

ତେବେ ବିଚାରପତି ସଂଜ୍ଞାଶ୍ରୀ କହିଛନ୍ତି ଯେ ମହିଳା ଜଣଙ୍କ ଶାଶୂ ଓ ସ୍ୱାମୀଙ୍କ ବିରୋଧରେ ଯୌତୁକ ଅଭିଯୋଗ ଆଣିଛନ୍ତି । ହେଲେ ସେମାନେ କେତେ ଟଙ୍କା ମାଗିଥିଲେ ସେକଥା ସେ କହିପାରୁ ନାହାନ୍ତି । ସେହିପରି ବଳପୂର୍ବକ ଶାରୀରିକ ସମ୍ପର୍କକୁ ବେଆଇନ ଦର୍ଶାଇବାର କୌଣସି ଆଇନଗତ ଦିଗ ନାହିଁ । ଯୁବାବସ୍ଥାରେ ମହିଳା ଜଣଙ୍କ ପାରାଲିସିସ୍‌ର ସମ୍ମୁଖୀନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କିନ୍ତୁ ତାଙ୍କ ସ୍ୱାମୀ କିମ୍ବା ଶାଶୂ ଘର ଲୋକଙ୍କୁ ଏଥିପାଇଁ ଦାୟୀ କରାଯାଇ ପାରିବ ନାହିଁ । ଅଭିଯୁକ୍ତଙ୍କୁ ଥାନା ହାଜତରେ ଜେରା କରିବାର କୌଣସି କାରଣ ନାହିଁ । ଅଭିଯୁକ୍ତ ଜଣଙ୍କ ପୂର୍ବରୁ ହିଁ ପୋଲିସକୁ ତଦନ୍ତରେ ସବୁ ପ୍ରକାରର ସହଯୋଗ କରୁଛନ୍ତି ବୋଲି ଜଜ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking