28.1 C
Bhubaneswar
Saturday, April 27, 2024
Homeପନିପରିବା ଫଳ ଏବଂ ଫୁଲ ଚାଷ୫ ପରିବାରକୁ ଆହାର ଯୋଗାଉଛି ଫୁଲ ଚାଷ

୫ ପରିବାରକୁ ଆହାର ଯୋଗାଉଛି ଫୁଲ ଚାଷ

ସମ୍ୱଲପୁର: ଜୀବନରେ ବଞ୍ଚିବା ପାଇଁ ହେଲେ ସଂଘର୍ଷ କଲେ ହିଁ ସଫଳତା ମିଳେ । ସେହିପରି ପିଲା ଦିନରୁ ଫୁଲକୁ ଭଳ ପାଉଥିବା କୁଚିଣ୍ଡା ବ୍ଲକର ଅର୍ଡାବାହାଲ ଗ୍ରାମର କିଶୋର ପଟେଲ ଆଜି ନିଜସ୍ୱ ଉଦ୍ୟମରେ ଦୁଇ ଏକର ଜମିରେ ବିଭିନ୍ନ ପ୍ରକାର ଫୁଲ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଅଞ୍ଚଳରେ ଏକ ସଫଳ ଫୁଲ ଚାଷୀ ଭାବରେ ପରିଚୟ ପାଇଛନ୍ତି ।

ବଗିଚାରେ ଫୁଟିଛି ଗେଣ୍ଡୁ, ଡାଲିଆ, ଜିନିଆ, ସେବତୀ, ଗ୍ଲାଡିଓଲି, ରଜନୀ ଗନ୍ଧା ଓ ଗୋଲାପ ଭଳି ଭଳିକି ଭଳି ଫୁଲ । ଯେଉଁଆଡେ ଦେଖିବ ସୁନ୍ଦର ସୁନ୍ଦର ଫୁଲକୁ ଦେଖି ଆଖି ଲାଖିଯାଉଛି । ସେପଟେ ବଗିଚାରୁ ଚାଲିଛି ଫୁଲ ତୋଳା । ଏ ହେଉଛି କୁଚିଣ୍ଡା ଅଞ୍ଚଳର କିଶୋର ପଟେଲଙ୍କ ଫୁଲ କ୍ଷେତର ଦୃଶ୍ୟ । କିଶୋର ୧୦ ବର୍ଷ ତଳୁ ପ୍ରାୟ ୨ ଏକର ଜମିରେ ଫୁଲ ଚାଷ କରି ବେଶ୍ ଭଲ ରୋଜଗାର କରିପାରୁଛନ୍ତି । ତାଙ୍କର କୁଚିଣ୍ଡା ସହରରେ ଏକ ଫୁଲ ଦୋକାନ ମଧ୍ୟ ରହିଛି ।

ବିବାହର ବ୍ରତଘର ଓ ପୂଜା ପାର୍ବଣ ସମୟରେ ତାଙ୍କର ଫୁଲର ଚାହିଦା ରହିଥାଏ । କିଶୋର ଫୁଲ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହିତ ୫ଟି ପରିବାରକୁ ରୋଜଗାରକ୍ଷମ କରାଇପାରିଛନ୍ତି । ଫୁଲ ଚାଷୀ କିଶୋରଙ୍କ ପିଲା ଦିନରୁ ଫୁଲ ଉପରେ ଆକର୍ଷଣ ଥିଲା । ପନିପରିବା ଚାଷରୁ ସେତେଟା ଭଲ ଲାଭ ନମିଳିବାରୁ କିଶୋର ୧୦ ବର୍ଷ ତଳେ ଫୁଲ ଚାଷ କରିବା ଆରମ୍ଭ କରିଥିଲେ । ଫୁଲ ଚାଷରେ ତାଙ୍କୁ ବାପା ମାଆ ସହଯୋଗ କରିଥାନ୍ତି । କିଶୋରଙ୍କୁ ପ୍ରଶିକ୍ଷଣ ସହିତ ହଟିକଲଚର ବିଭାଗରୁ ଫୁଲ ଚାରା ଓ ସ୍ପିଙ୍କକିଲର ସବସିଡିରେ ମିଳୁଛି ।

ବିନା ଋଣରେ ନିଜର ଅଧ୍ୟବସାୟ ବଳରେ ଫୁଲ ଚାଷକରି ବେଶ୍ ଭଲ ରୋଜଗାର କରିପାରୁଛନ୍ତି କିଶୋର । ଆଜିର ଯୁବପୀଢ଼ି ଚାକିରି ପଛରେ ଧାଇଁ ବେକାର ବସିଥିବା ବେଳେ କିଶୋର ଫୁଲ ଚାଷ କରି ରୋଜଗାରକ୍ଷମ ହୋଇ ଆଜିର ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking