31.1 C
Bhubaneswar
Sunday, May 5, 2024
Homeଓଡିଶା୫୦ ବର୍ଷ ପରେ ଗାଁରେ ବସିଲା ବୈଠକ

୫୦ ବର୍ଷ ପରେ ଗାଁରେ ବସିଲା ବୈଠକ

କନ୍ଧମାଳ : ଦୀର୍ଘ ୫୦ ବର୍ଷ ପରେ ଗାଁରେ ବସିଲା ବୈଠକ । ଦୀର୍ଘଦିନ ଧରି ଲାଗରହିଥିବା ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଛି । ପରବର୍ତ୍ତି ସମୟରେ ପୁଣିଥରେ ଆଲୋଚନା ପାଇଁ ନିଷ୍ପତି ନିଆଯାଇଛି । ୧୦୦ ବର୍ଷର ଗାଁ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନଥିବା, ପିଇବା ପାଣି ପାଇଁ ଚୁଆ ଭରସା ସହିତ ଗ୍ରାମରେ ପୂର୍ବ ପୁରୁଷରୁ ଥିବା ଜମିଜମା ସମସ୍ୟାକୁ ନେଇ ଅନୁଷ୍ଠିତ ହୋଇଥିଲା ବୈଠକ । ନିଜ ନିଜ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ମଧ୍ୟ ସମସ୍ତେ ଏକମତ ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ପ୍ରଶାସନର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଦାରିଙ୍ଗବାଡ଼ି ବ୍ଳକରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ‘ଜାଗୃତି’ର କର୍ମକର୍ତ୍ତା ଓ ଅନ୍ୟମାନେ ସାମିଲ୍ ହୋଇଥିଲେ ।  କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡ଼ି ବ୍ଳକର ବାଡ଼ାବାଙ୍ଗା ପଞ୍ଚାୟତର ପିଅବାଡ଼ି ହେଉଛି ଏକ ରାଜସ୍ୱ ଗ୍ରାମ । ପୂର୍ବରୁ ଉକ୍ତ ଗ୍ରାମର ବହୁ ପରିବାର ବସବାସ କରୁଥିଲେ ।

ତେବେ ୭୦ ଦଶକରେ ଗ୍ରାମରେ ଅନେକ ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିିବା ବେଳେ ଏନେଇ ଗ୍ରାମର ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସେମାନଙ୍କର ବିଶ୍ୱାସ ଥିଲା ଯେ, ଗ୍ରାମରେ ତାଙ୍କ ଦେବତାମାନଙ୍କର କୋପଦୃଷ୍ଟି ଯୋଗୁଁ ଗ୍ରାମବାସୀ ବିଭିନ୍ନ ସମୟରେ ରୋଗରେ ପଡ଼ି ଜୀବନ ଯାଉଛି । ଏଥିରେ ଭୟଭୀତ ହୋଇ ସେଠାରେ ଥିବା ପରିବାର ଗୁଡ଼ିକ ନିଜ ଗାଁ ଛାଡ଼ି ନିକଟସ୍ଥ ସିଆଙ୍ଗବାଲି, ରାଜେନପଙ୍ଗା, ଜଙ୍ଗଲ ଘର, କାକେଡ଼ାବାଡ଼ି, ରୁକାନବାଡି, ପେଟେଡ଼ାବାଡ଼ି ଭଳି ଗ୍ରାମମାନଙ୍କରେ ଆସି ବସତି ସ୍ଥାପନ କରିଥିଲେ । କାଳକ୍ରମେ ୧୦୭୦ ମସିହା ଠାରୁ ୭୫ ମସିହା ମଧ୍ୟରେ ପିଅବାଡ଼ି ଗ୍ରାମ ସଂପୂର୍ଣ୍ଣ ଖାଲି ହୋଇଥିଲା ।

ଗାଁରେ ଥିବା ଘରଦ୍ୱାରା ସବୁ ଭାଙ୍ଗିରୁଜି ଯିବା ସହିତ ସେଠାରେ ଥିବା ଗ୍ରମବାସୀଙ୍କ ଚାଷ ଜମିଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିରହିଥିଲା। ଭୟରେ ଗ୍ରାମର ଅଧିବାସୀ କେହି ମଧ୍ୟ ପାଦ ମାଡୁନଥିବା ବେଳେ ୮୦ ଦଶକରେ ଶ୍ରୀନିକେତା ଓ ରୁକାନବାଡ଼ି ଗ୍ରାମର ନୂତନ ୩୦ ପରିବାର ପୁଣିଥରେ ପିଅବାଡ଼ି ଗ୍ରାମରେ ଯାଇ ବସତି ଆରମ୍ଭ କରିଥିଲେ । ୩୦ ପରିବାର ମଧ୍ୟରୁ ୨୮ ପରିବାର ହେଉଛନ୍ତି ଅନୂସୂଚିତ ଜାତି ଓ ୨ ଟି ପରିବାର ହେଉଛନ୍ତି ଅନୂସୂଚିତ ଜନଜାତି । ସେଠାରେ ସେମାନେ ବସତି ସ୍ଥାପନ କରିବା ସହିତ ବିଭିନ୍ନ ସ୍ଥାନରେ ଚାଷବାସ ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଗ୍ରାମରେ ପ୍ରାୟ ସମସ୍ତ ପରିବାର ଆବେଦନ କରିଥିଲେ ମଧ୍ୟ କେବଳ ୨ଟି ଆଦିବାସୀ ପରିବାର ଏଥିରୁ ଉପକୃତ ହୋଇ ଶିରୋନାମା ପାଇଥିଲେ । ସେହି ସମୟରେ ଅନ୍ୟମାନଙ୍କୁ ସରକାରୀ ନିୟମ ପ୍ରକାର ମିଳିପାରିନଥିବା ବେଳେ ୨୦୦୯ ମସିହାରେ ଜଙ୍ଗଲ ଜମି କମିଟି ମାଧ୍ୟମରେ ମଧ୍ୟ ଅନେକ ଆବେଦନ କରିଥିଲେ । କିନ୍ତୁ ତାହା ମଧ୍ୟ ସଫଳ ହୋଇ ପାରିନଥିଲା ।

ଆଉ କେତେକ ଅଧିବାସୀ ପୁଣିଥରେ ୨୦୧୦ ମସିହାରେ ସେମାନଙ୍କ ଗ୍ରାମକୁ ଫେରିଥିଲେ । କିନ୍ତୁ ୮୦ ଦଶକରେ ଉକ୍ତ ଗ୍ରାମକୁ ଯାଇ ବସବାସ ଆରମ୍ଭ କରିଥିବା ୩୦ ପରିବାର ଇତି ମଧ୍ୟରେ ବହୁ ଅନାବାଦି ଯାଗାରେ ଘରଦ୍ୱାରା କରିବା ସହିତ ଖାଲିପଡ଼ିଥିବା ଜମିରେ ଚାଷବାସ ଆରମ୍ଭ କରି ପରିବାର ପୋଷଣ କରୁଛନ୍ତି । ତେବେ ପୂର୍ବରୁ ଥିବା ଗ୍ରାମବାସୀ ପୁଣିଥରେ ଗ୍ରାମକୁ ଫେରିବା ବେଳେ ସେମାନଙ୍କ ଜମି ବାଡ଼ିରେ ଅନ୍ୟମାନେ ଚାଷ କରିବା ସହିତ କେତେକଙ୍କ ଜାଗାରେ ମଧ୍ୟ ଅନ୍ୟମାନେ ଘରତିଆରି କରି ରହୁଛନ୍ତି । ଏହାକୁ ନେଇ ଗତ କିଛିବର୍ଷ ହେଲା ବର୍ତ୍ତମାନର ଅଧିବାସୀ ଓ ପୂର୍ବରୁ ରହୁଥିବା ଅଧିବାସୀଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିବା ଆରମ୍ଭ ହୋଇଥିଲା ।

ତେବେ ଦୀର୍ଘବର୍ଷ ଧରି ପୁରୁଣା ଓ ନୂଆ ଅଧିବାସୀଙ୍କ ମଧ୍ୟରେ ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ ଦୀର୍ଘ ୫୦ ବର୍ଷ ପରେ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ ସମୟଧରି ଆଲୋଚନାରେ ଅନେକ ସମସ୍ୟାର ସମାଧାନ ହୋଇଥିବାର ଜଣାଯାଇଛି । ତେବେ ୧୦୦ ବର୍ଷର ପିଅବାଡ଼ି ଗ୍ରାମକୁ ଆଜି ପର୍ଯ୍ୟନ୍ତ ଗମନା ଗମନର କୌଣସି ପ୍ରକାର ସୁବିଧା ନଥିବା ବେଳେ ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ଏହିସବୁ ସମସ୍ୟା ଉପରେ ଆଲୋଚନା କରାଯାଇ ବହୁ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ ଅଞ୍ଚଳର ସମସ୍ୟା ନେଇ ଉଭୟ ପୁରୁଣା ଓ ନୂଆ ଅଧିବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ ପାଇଁ ମଧ୍ୟ ନିଷ୍ପତି ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking