28.1 C
Bhubaneswar
Saturday, April 27, 2024
Homeଓଡିଶାରାଜଧାନୀର ଘରେ ଘରେ ଜ୍ୱର : ପାର୍ବଣରେ ଚିନ୍ତା ବଢ଼ାଇଲାଣି ଥଣ୍ଡା, କାଶ, ବେମାର

ରାଜଧାନୀର ଘରେ ଘରେ ଜ୍ୱର : ପାର୍ବଣରେ ଚିନ୍ତା ବଢ଼ାଇଲାଣି ଥଣ୍ଡା, କାଶ, ବେମାର

ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଛି ପାର୍ବଣ ଗାଇଡ୍‌ଲାଇନ୍ । ବିଶେଷ କରି ଦୈତନଗରୀ କଟକ-ଭୁବନେଶ୍ୱରରେ ସଂକ୍ରମଣ ହାର ଅଧିକ ଥିବାରୁ ପୁନଃ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ହେଲେ କଟକଣାକୁ କାହାରି ବି ଖାତିର ନାହିଁ, ପାର୍ବଣରେ ହାଟ ବଜାରରେ ଅହେତୁକ ଭିଡ଼ ତଥା ଗହଳି ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ନିଦ ହଜାଇ ଦେଇଛି । ପୁଣି ଏବେ ଘରେ ଘରେ ଜ୍ୱର, କାଶ, ଥଣ୍ଡା ପରି ରୋଗ ନଜରକୁ ଆସୁଛି । ମେଡ଼ିକାଲକୁ ଆସୁଥିବା ୧୦୦ ରୋଗୀରୁ ପ୍ରାୟ ୭୦ ଜଣ ଜ୍ୱରାରେ ପିଡ଼ୀତ ହେଉଥିବା ଜଣାପଡ଼ିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପ୍ରଦତ୍ତ ତଥ୍ୟ ମୂତାବକ, ଭୁବନେଶ୍ୱରରେ ଏବେ ପୁଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଛି ।

କିଛି ଦିନ ଡେଙ୍ଗୁ ସଂକ୍ରମଣ ଥମିଥିଲା, ହେଲେ ଏବେ ପୁଣି ଥରେ ଏହା ବଢ଼ିଛି ବୋଲି ଦୈନିକ ନମୁନା ପରୀକ୍ଷଣ ତଥ୍ୟରୁ ପ୍ରକାଶ ପାଇଛି। ଜ୍ୱରରେ ପିଡ଼ୀତ ରୋଗୀଙ୍କ ନମୁନା ପରୀକ୍ଷଣ କରିବା ପରେ ୧୦୦ରୁ ପ୍ରାୟ ୧୫ ଜଣ ଡେଙ୍ଗୁରେ ପିଡ଼ୀତ ହେଉଛନ୍ତି । ସେହିପରି ବାକି ୮୫ ଜଣ ଭାଇରାଲ୍ ଫିଭର, ଟାଇଫଏଡ୍‌, ମ୍ୟାଲେରିଆ ଓ କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ବିଶେଷ କରି ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିବା କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ପ୍ରକାଶ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଦୈନିକ ହସ୍ପିଟାଲରେ ୪ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି । ଯାହାର ମୁଖ୍ୟ ଭାଗ ଅର୍ଥାତ୍ ୭୦% ରୋଗୀ ଜ୍ୱର ତଥା ତତ୍‌ସମ୍ବନ୍ଧୀୟ ରୋଗ ଦ୍ୱାରା ପିଡ଼ୀତ ଥିବା ନଜରକୁ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ନିକଟରେ ରାଜ୍ୟ ତଥା ରାଜଧାନୀ ଭୁବନେଶ୍ୱରରେ ବଷା ପରିମାଣ ବଢ଼ିବା ସହ ପାଗ ପରିବର୍ତ୍ତନ ହୋଇଛି । ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା ମଶା ବଂଶ ବୃଦ୍ଧିରେ ସହାୟକ ହୋଇଛି । ଯାହାଦ୍ୱାରା ମ୍ୟାଲେରିଆ ଜ୍ୱର ବାଣ୍ଟୁଥିବା ମାଇଏନୋଫିଲିସ୍ ମଶା ଓ ଡେଙ୍ଗୁ ବଢ଼ାଉଥିବା ଏଡ଼ିସ୍ ମଶା ନିଜ ବଂଶ ବିସ୍ତର କରିଛନ୍ତି । ସେହିପରି ପାର୍ବଣରେ ହାଟ ବଜାରରେ ଅହେତୁକ ଗହଳି ମଧ୍ୟ ନଜରକୁ ଆସିଛି ।

ଭୁବନେଶ୍ୱରରେ ଅଧିକାଂଶ କରୋନା ସଂକ୍ରମିତ ଲକ୍ଷଣହୀନ ଥିବାରୁ ସଂକ୍ରମଣ ବଢ଼ିବା ନେଇ ମଧ୍ୟ ଆଶଙ୍କା ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ବିଏମ୍‌ସି ପୁଣିଥରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସହରରେ ନିଜ ସର୍ଭେଲାନ୍ସ ବଢ଼ାଇବାକୁ ପରାମର୍ଶ ପ୍ରକାଶ ପାଇଛି । ତେବେ ପୂର୍ବ ବର୍ଷଗୁଡ଼ିକରେ ସାଧାରଣତଃ ଜୁଲାଇରୁ ସେପ୍ଟେମ୍ବର ଯାଏଁ ଭୁବନେଶ୍ୱରରେ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବାର ନଜିର ରହିଛି । ହେଲେ ଚଳିତବର୍ଷ ଅକ୍ଟୋବର ତୃତୀୟ ସପ୍ତାହ ଯାଏ ଲଗାଣ ବର୍ଷା ହେବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking