24.1 C
Bhubaneswar
Thursday, May 9, 2024
Homeଓଡିଶାଇଓଡବ୍ଲ୍ୟୁ ପଞ୍ଝାରେ ନକଲି କିରାଣୀ : ହୋଟେଲ୍ ବିକ୍ରି ନା'ରେ ୫୦ଲକ୍ଷ ଠକେଇ

ଇଓଡବ୍ଲ୍ୟୁ ପଞ୍ଝାରେ ନକଲି କିରାଣୀ : ହୋଟେଲ୍ ବିକ୍ରି ନା’ରେ ୫୦ଲକ୍ଷ ଠକେଇ

ଭୁବନେଶ୍ୱର: ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ ପରିଚୟ ଦେଇଥିଲେ । ପୁରୀରେ ଥିବା ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲକୁ ବିକ୍ରି କରିଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ବକ୍ସିବଜାର ଅଞ୍ଚଳର ଅନିକେଶ ସାହୁ । ଏନେଇ ଇଓଡବ୍ଲ୍ୟୁ ପୁଲିସ କେସ୍ ନଂ ୧୩/୨୧ରେ ଏକ ମାମଲା ରୁଜୁକରି ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୂର୍ବରୁ ଆଇଟିଡିସିର ସଦସ୍ୟ ପରିଚୟ ଦେଇଥିବା କଟକର ବାବା ବିଜୟାନନ୍ଦ ଚୌଧୁରୀ ଏବଂ ଓଟିଡିସିର ପୂର୍ବତନ ଯନ୍ତ୍ରୀ ଚନ୍ଦନ ଆକାଶକୁ ଇଓଡବ୍ଲ୍ୟୁ ଠକେଇ ମାମଲାରେ ଗିରଫ କରିଥିଲା । ଏହି ଅଭିଯୁକ୍ତଙ୍କ ସହ ମିଶି ଅନିକେଶ ଏଭଳି ଠକେଇ କରିଛି । ଏହି ମାମଲାର ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ନେଇ ଇଓଡବ୍ଲ୍ୟୁ ଜାଣିବାକୁ ପାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ, ପୁରୀର ତପନ କୁମାର ମହାନ୍ତି ନାମକ ବ୍ୟକ୍ତି ଅଣ୍ଡା ଏବଂ ଚିକେନ୍ ହୋଲ୍‌ସେଲ୍ ବ୍ୟବସାୟ କରନ୍ତି । ୨୦୨୦ଜାନୁଆରୀ ମାସରେ ପୂର୍ବରୁ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଚନ୍ଦନ ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ କହି ତପନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ପରେ ଚନ୍ଦନ ଅଭିଯୁକ୍ତ ଅନିକେଶ ସାହୁଙ୍କୁ ଆଇଟିଡିସିର କିରାଣୀ ପରିଚୟ ଦେଇ ତପନଙ୍କୁ ଦେଖାକରାଇଥିଲେ । ଏହାସହ ଅନିକେଶ ବିଭିନ୍ନ ସରକାରୀ ପ୍ରକଳ୍ପର ଠିକାଦାର ବୋଲି ତପନଙ୍କୁ କହିଥିଲେ । ପରେ ପୁରୀରେ ଥିବା ଆଇଟିଡିସିର ହୋଟେଲ୍ ନୀଳାଚଳ ଅଶୋକକୁ କିଣିବା ପାଇଁ ତପନଙ୍କ ସହ ଡିଲ୍ କରିଥିଲେ । ୩କୋଟିର ଲାଞ୍ଚ ସହ ମୋଟ୍ ୧୫ କୋଟିର ଡିଲ୍ ହୋଇଥିଲା । ଫେବୃଆରୀ ୨୦୨୦ରେ ଅଭିଯୁକ୍ତମାନେ ଆଇନଗତ ଚୁକ୍ତି କରିବା ସହ ଚନ୍ଦନ ଆଇଟିଡିସିର କର୍ତ୍ତୃପକ୍ଷଙ୍କ ନକଲ କରି ଦସ୍ତଖତ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତପନଙ୍କ ଠାରୁ ୫୦ଲକ୍ଷ ଟଙ୍କା ଦୁଇଟି ଆକାରରେ ନେଇଥିଲେ । ସେମାନେ ତପନଙ୍କୁ ଦିଲ୍ଲୀର ଆଇଟିଡିସିର ବ୍ୟାଙ୍କ ଆକାଉଣ୍ଟ ନାମରେ ୨୦ଲକ୍ଷ ଟଙ୍କା ଜମା କରିବାକୁ କହିଥିବାବେଳେ ୩୦ ଲକ୍ଷ ଟଙ୍କା ନଗଦ ନେଇଥିଲେ ।

ପରେ ଆଇଟିଡିସି ସହ କୌଣସି ଯୋଗାଯୋଗ ନହେବାରୁ ତପନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ଅଭିଯୁକ୍ତମାନଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ସେମାନେ ଟଙ୍କା ଫେରାଇନଥିଲେ । ଏଭଳି ଠକେଇ ଶିକାର ହେବା ଜାଣିବାରୁ ତପନ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ହସ୍ପିଟାଲରେ ଆଡ଼ମିସନ ହୋଇଥିଲେ । ବର୍ତ୍ତମାନ ସେ ପକ୍ଷାଗାତର ଶିକାର ହୋଇ ଶଯ୍ୟାଶାୟୀ ଅଛନ୍ତି । ଏନେଇ ତାଙ୍କ ସ୍ତ୍ରୀ ବିଜୟିନୀ ମହାନ୍ତି ଇଓଡବ୍ଲ୍ୟୁରେ ଗତ ୨୧ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଇଓଡବ୍ଲୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଅନିକେଶକୁ କଟକରୁ ଉଠାଇ ଆଣିଥିଲା । ତାକୁ ଜେରା କରିବାରୁ ସବୁ ସତ ମାନିଥିଲା । ଅନିକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking