28.1 C
Bhubaneswar
Saturday, April 27, 2024
Homeଓଡିଶାବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ୍‌

ବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ୍‌

କଟକ : ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଗୁରୁବାର ବିସିସିଆଇ ଶତ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଛି । ଅର୍ଥାତ୍‌ ପ୍ରାୟ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀରେ ମ୍ୟାଚ ହୋଇପାରିବ । ତଥାପି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ଓସିଏ (ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌) କାର୍ଯ୍ୟକର୍ତ୍ତାଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ ସେ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ବାରବାଟୀରେ ବର୍ଷାରୁ ପିଚ୍‌କୁ ସୁରକ୍ଷା ଦେବା ପାଇଁ ‘ହୋଭର କଭର୍‌’ର ବ୍ୟବସ୍ଥା କରାଯାଇଛି । ଯାହା ଆସନ୍ତା ଜୁନ ୧୦ ତାରିଖ ସୁଦ୍ଧା କଟକରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

କଟକ ମ୍ୟାଚ ବେଳକୁ ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇସାରିଥିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି । ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚି ସାରିଥିବ । ତେଣୁ ଜୁନ୍‌ ୧୨ରେ ହେବାକୁ ଥିବା ବାରବାଟୀ ଟି-ଟ୍ୱେଣ୍ଟିକୁ ନେଇ ଅନିଶ୍ଚିତତା ଦେଖାଦେଇପାରେ । ପ୍ରାୟ ୨ ବର୍ଷ ଅନ୍ତରରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମୁକାବିଲା ବର୍ଷାରେ ଧୋଇ ହୋଇନଯିବ ସେ ସମ୍ଭାବନାକୁ ଅଣଦେଖା କରାଯାଇନପାରେ । ତେଣୁ ଏ ଆଶଙ୍କାକୁ ନେଇ ଦର୍ଶକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । କିନ୍ତୁ ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଏ ଦିଗରେ ଦମ୍ଭୋକ୍ତି ପ୍ରକାଶ କରିଛି । ବର୍ଷା ହେଲେ ବି ମ୍ୟାଚ ହେବାରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇପାରେ । କାରଣ ଏଥର ବାରବାଟୀ ମ୍ୟାଚ ‘ସ୍ୟାଣ୍ଡ୍‌ ବେସ୍‌ ଫିଲ୍ଡ’ ବା ବାଲି ଭିତ୍ତିଭୂମି ଉପରେ ନିର୍ମିତ ପଡ଼ିଆରେ ଖେଳାଯିବ । ଗତ ଦୁଇବର୍ଷ ଭିତରେ ଷ୍ଟାଡିୟମ୍‌ ପଡିଆର ପୁନରୁଦ୍ଧାର କରାଯାଇଛି । ପୂର୍ବରୁ ମାଟି ଉପରେ ଛିଡ଼ା ହୋଇଥିବା ବାରବାଟୀ ଷ୍ଟାଡିୟମ୍‌ ପଡିଆକୁ ଖୋଳାଯାଇ ଏହାକୁ ବାଲିରେ ପୋତାଯାଇଛି । ତେଣୁ ଏଥିରେ ବର୍ଷା ହେଲେ ପାଣି ସବୁକୁ ବାଲି ଶୋଷିନେବ । ଯାହା ଫଳରେ ମ୍ୟାଚ ଘଣ୍ଟାଏ ପୂର୍ବରୁ ବି ଯଦି ବର୍ଷା ଛାଡ଼େ ତେବେ ଖେଳ ହେବା ନେଇ କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇପାରେ ।

ସେହିପରି ବର୍ଷା ଦାଉରୁ ପଡିଆ ଓ ପିଚ୍‌କୁ ସୁରକ୍ଷା ଦେବା ପାଇଁ ଓସିଏ ତରଫରୁ ‘ହୋଭର କଭର୍‌’ ମଗାଯାଇଛି । ଏହି କଭର୍‌ ସୂକ୍ଷ୍ମ ଫାଇବରର । ଏହାର ବ୍ୟବହାର ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ହୋଇଆସୁଛି । ଭାରତରେ ପୂର୍ବରୁ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ହୋଭର୍‌ କଭର୍‌ ମଗାଯାଇଥିବା ବେଳେ ଓସିଏ ମଧ୍ୟ ଏହାକୁ ଷ୍ଟାଡିୟମ୍‌କୁ ଆଣିବାକୁ ବ୍ୟବସ୍ଥା କରିଛି । ଇଂଲଣ୍ଡର ଏକ କମ୍ପାନୀ ଠାରୁ ଓସିଏ ଏହାକୁ କିଣିଛି । ମ୍ୟାଚ ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୦ ସୁଦ୍ଧା ଏହା କଟକ ଆସି ପହଞ୍ଚିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି । ଏଥିପାଇଁ ଓସିଏ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ହୋଭର କଭର୍‌ ପିଚ୍‌ ସମେତ ପଡ଼ିଆକୁ ବର୍ଷା ଜଳକୁ ସୁରକ୍ଷା ଦେବ ।

ପୂର୍ବରୁ ବାରବାଟୀ ମ୍ୟାଚ ସମୟରେ ବର୍ଷା ହେଲେ ଜରି ପାଲ ଘୋଡାଇ ପିଚ୍‌କୁ ସୁରକ୍ଷା ଦିଆଯାଉଥିଲା । ଏମିତିକି ଆଉଟ୍‌ଫିଲ୍ଡ ଓଦା ହେବାରୁ ବର୍ତ୍ତି ପାରୁନଥିଲା । ଯାହାଫଳରେ ମ୍ୟାଚ ବିଳମ୍ବ ହେଉଥିଲା । ପୂର୍ବରୁ ବର୍ଷା ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ ବାତିଲ୍‌ ହେବାର ମଧ୍ୟ ନଜିର୍‌ ରହିଛି । କିନ୍ତୁ ଏଥର ଯଦି ବର୍ଷା ହୁଏ ତେବେ ମ୍ୟାଚ୍‌ ବାତିଲ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking