38.1 C
Bhubaneswar
Friday, April 26, 2024
Homeଓଡିଶା୭ ବର୍ଷ ପରେ ବି ମମତାଙ୍କ ସନ୍ଧାନ ମିଳୁନି

୭ ବର୍ଷ ପରେ ବି ମମତାଙ୍କ ସନ୍ଧାନ ମିଳୁନି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ମମତା ନାୟକ ନିଖୋଜ ହେବା ଘଟଣାକୁ ଇତି ମଧ୍ୟରେ ୭ ବର୍ଷ ପୂରିଲାଣି । ୨୦୧୪ ସାଧରଣ ନିର୍ବାଚନ  ବେଳେ ମମତା ନିଖୋଜ ହୋଇଥିଲେ । ଇତି ମଧ୍ୟରେ ଗୋଟିଏ ପଞ୍ଚାୟତ ନିର୍ବାଚନ ଯାଇ ଆଉ ଗୋଟିଏ ପଞ୍ଚାୟତ ନିର୍ବାଚନ ଆସିଛି । କିନ୍ତୁ ନିଖୋଜ ମମତାଙ୍କର କୌଣସି ପତ୍ତା ମିଳିନାହିଁ କିମ୍ବା ତାଙ୍କୁ ଖୋଜିବା ଦିଗରେ ପୁଲିସ ବିଶେଷ କିଛି ପଦକ୍ଷେପ ନେଇ ନାହିଁ । ଅପରପକ୍ଷେ ଦୋଷୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୁଲିସ ଓ ପ୍ରଶାସନ ମିଶି ଉଦ୍ୟମ କରିଛନ୍ତି ବୋଲି ଜିଲ୍ଲା ପାଣ ସମାଜ କଲ୍ୟାଣ ସମିତି ଅଭିଯୋଗ କରିଛି । ପାଣ ସମାଜର ଅଭିଯୋଗ ଅନୁଯାୟୀ, ଏହି ଘଟଣାର ତଦନ୍ତ ହୋଇଥିଲେ ବି ତଦନ୍ତ ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅଧିକନ୍ତୁ ଏହି ଘଟଣାରେ ସଂପୃକ୍ତ ଥିବା ଅଧିକାରୀଙ୍କୁ ଜାଣିଶୁଣି ତଦନ୍ତ ପରିସର ବାହାରେ ରଖାଯାଇଛି ବୋଲି ପାଣ ସମାଜ କନ୍ଧମାଳ ଡିଏସପି କୃଷ୍ନପ୍ରସାଦ ପଟ୍ଟନାୟକଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ମମତା ନାୟକ ଗତ ୨୦୧୪ ସାଧାରଣ ନିର୍ବାଚନ ବେଳେ ଏପ୍ରିଲ ୯ ତାରିଖ ଦିନ ନିର୍ବାଚନ କାର୍ଯ୍ୟ ନିର୍ବାହ କରିବା ପାଇଁ ସୁବଳୟା ଯାଇଥିଲେ । ତେବେ ସେ ସେଠାରୁ ଆଉ ଫେରି ନ ଥିଲେ କିମ୍ବା ତାଙ୍କର କୌଣସି ଖବର ମିଳିନଥିଲା । ଏ ନେଇ ପରିବାର ପକ୍ଷରୁ ଥାନାରେ ଏତାଲା ଦିଆଯିବା ସହ ଫୁଲବାଣୀଠାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ବହୁ ବିଳମ୍ବରେ ଏହାର ତଦନ୍ତ ହୋଇଥିଲେ ବି ମମତାଙ୍କୁ ଖୋଜି ଆଣିବା କିମ୍ବା ସନ୍ଦିଗ୍ଧ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପରିବାର ସମେତ ଜିଲ୍ଲା ପାଣ ସମାଜ ଅଭିଯୋଗ କରି ଆସୁଛନ୍ତି । ଏ ନେଇ ପୁଣି ସହ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର  ପ୍ରଦାନ କରାଯାଇଛି । ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପାଣ ସମାଜ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସମାଜର ନଗର ସଭାପତି ତ୍ରିନାଥ ମାଝୀ ଓ ସଂପାଦକ ପଙ୍କଜ ବେହେରା ପ୍ରକାଶ କରିଛନ୍ତି । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାଣ ସମାଜ କଲ୍ୟାଣ କମିଟିର କର୍ମକର୍ତ୍ତାଙ୍କ ସମେତ ନିଖୋଜ ମମତାଙ୍କ ମାଆ ପ୍ରଭାସିନି ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking