33.1 C
Bhubaneswar
Saturday, April 27, 2024
Homeଖେଳଅଷ୍ଟ୍ରେଲିଆନ୍ ଓପନ୍‌ : ସଂଘର୍ଷପୂର୍ଣ୍ଣ ବିଜୟ ସହ ତୃତୀୟ ରାଉଣ୍ଡ୍‌ରେ ମେଦ୍‌ଭେଦେଭ୍‌

ଅଷ୍ଟ୍ରେଲିଆନ୍ ଓପନ୍‌ : ସଂଘର୍ଷପୂର୍ଣ୍ଣ ବିଜୟ ସହ ତୃତୀୟ ରାଉଣ୍ଡ୍‌ରେ ମେଦ୍‌ଭେଦେଭ୍‌

ଆଣ୍ଡି ମରେ, ରାଡୁକାନୁ ଓ ମୁଜୁରୁଜା ବିଦା
ମେଲ୍‌ବଣ୍ଣ:  ବିଶ୍ୱର ଦୁଇ ନମ୍ବର ଖେଳାଳି ରୁଷିଆର ଦାନିଲ୍ ମେଦ୍‌ଭେଦେଭ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ ହୋଇ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିବା ବେଳେ ପୂର୍ବତନ ବିଶ୍ୱ ନମ୍ବର ଏକ ଆଣ୍ଡି ମରେ, ଗାର୍ବାଇନ୍ ମୁଗୁରୁଜା ଓ ଏମ୍ମା ରାଡୁକାନୁ ପରାଜୟ ସହ ଗୁରୁବାର ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ରୁ ବାଦ୍ ପଡ଼ିଛନ୍ତି । ସଂଘର୍ଷପୂର୍ଣ୍ଣ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ମେଦ୍‌ଭେଦେଭ୍ ସ୍ଥାନୀୟ ଖେଳାଳି ନିକ୍ କିର୍ଗିଓଜ୍‌ଙ୍କୁ ୭-୬(୧), ୬-୪, ୪-୬, ୬-୨ରେ ହରାଇ ଦେଇଛନ୍ତି । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ପ୍ରେରିତ କିର୍ଗିଓଜ୍ ତୃତୀୟ ସେଟ୍‌ରେ ରୁଷୀୟ ଖେଳାଳିଙ୍କ ସର୍ଭିସ୍ ବ୍ରେକ୍ କରି ମ୍ୟାଚ୍‌କୁ ୪ର୍ଥ ସେଟ୍‌କୁ ନେଇ ଯାଇଥିଲେ ।

ତେବେ ନୋଭାକ୍ ଜୋକୋଭିଚ୍‌ଙ୍କ ନିର୍ବାସନ ପରେ ଟୁର୍ଣ୍ଣାମେଣ୍ଟ୍‌ର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଭାବେ ଅବତୀର୍ଣ୍ଣ ମେଦ୍‌ଭେଦେଭ୍ ଶୀଘ୍ର ନିୟନ୍ତ୍ରଣ ହାସଲ କରି ଚତୁର୍ଥ ସେଟ୍‌ରେ ଡବଲ୍ ବ୍ରେକ୍ ସହ ବିଜୟ ହାସଲ କରିଥିଲେ । ପରବର୍ତ୍ତୀ ରାଉଣ୍ଡ୍‌ରେ ସେ ନେଦରଲାଣ୍ଡ୍‌ସର ବୋଟିକ୍ ଭାନ୍ ଡି ଜାଣ୍ଡ୍‌ସ୍କଲ୍‌ପଙ୍କୁ ଭେଟିବେ । ସେହିପରି ଚତୁର୍ଥ ସିଡ୍ ଷ୍ଟେଫାନୋସ୍ ସିତ୍‌ସିପାସ୍ ମଧ୍ୟ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌୍‌ରେ ସେବାଷ୍ଟିଆନ୍ ବାଏଜ୍‌ଙ୍କୁ ୭-୬(୧), ୬-୭(୫), ୬-୩, ୬-୪ରେ ହରାଇଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିବା ଗତ ବର୍ଷର ସେମିଫାଇନାଲିଷ୍ଟ୍ ତଥା ଫ୍ରେଞ୍ଚ୍ ଓପନ୍ ରନର୍ସଅପ୍ ସିତ୍‌ସିପାସ୍ ବିଶ୍ୱ ନଂ ୨୬ ଖେଳାଳି ଗ୍ରିଗୋର୍ ଦିମିତୋଭ୍ ଓ ବେନୋିଟ୍ ପେୟାର୍‌ଙ୍କ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ ।

ତେବେ ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଚାରି ଥରର ଫାଇନାଲିଷ୍ଟ ମରେ ଜାପାନୀ କ୍ୱାଲିଫାୟର୍ ତାରୋ ଦାନିଏଲ୍‌ଙ୍କଠାରୁ ୬-୪, ୬-୪, ୬-୪ ସିଧା ସେଟ୍‌ରେ ହାରି ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛନ୍ତି । ପ୍ରଥମ ଥର ପାଇଁ ଗ୍ରାଣ୍ଡ୍‌ସ୍ଲାମ୍ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିବା ତାରୋ ଷ୍ଟିଭ୍ ଜନ୍‌ସନ୍ ଓ ଜାନିକ୍ ସିନର୍‌ଙ୍କ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ । ୨୦୧୭ ପରେ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଖେଳୁଥିବା ମରେ ପ୍ରଥମ ରାଉଣ୍ଡ୍‌ରେ ନିକୋଲୋଜ୍ ବାସିଲାଶିଭିଲିଙ୍କୁ ହରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚମ ସିଡ୍ ଆନ୍ଦ୍ରେ ରୁବ୍‌ଲେଭ୍‌, ମାରିନ୍ ସିଲିଚ୍‌, ୨୪ତମ ସିଡ୍ ଡାନ୍ ଇଭାନ୍ସ ଓ ମାକ୍ସିମ୍ କ୍ରେସି ପରବର୍ତ୍ତୀ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ମହିଳା ବର୍ଗରେ ତୃତୀୟ ସିଡ୍ ଗାରବାଇନ୍ ମୁଗୁରୁଜା ଓ ଷଷ୍ଠ ସିଡ୍ ଏନେଟ୍ କୋଣ୍ଟାଭିଟା ସିଧା ସେଟ୍‌ରେ ହାରି ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ମୁଗୁରୁଜା ଥରେ ବି ବ୍ରେକ୍ ପଏଣ୍ଟ ହାସଲ ସ୍ଥିତିରେ ପହଞ୍ଚିପାରି ନଥିଲେ ଏବଂ ଲଗାତାର ତ୍ରୁଟି କରିଥିଲେ । ଫଳରେ ଏଲାଇଜ୍ କନେଟ୍ ତାଙ୍କୁ ୬-୨, ୬-୩ରେ ହରାଇ ଦେଇଥିଲେ । ମହିଳା ବର୍ଗରେ ବାଦ୍ ପଡ଼ିବାରେ ମୁଗୁରୁଜା ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି । ଏହା ପୂର୍ବରୁ ଡେନ୍‌କାର୍ମର ୧୯ ବର୍ଷୀୟରା ଖେଳାଳି କ୍ଲାରା ଟାସନ୍ ୬-୨, ୬-୩ରେ କୋଣ୍ଟାଭିଟ୍‌ଙ୍କୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଟାସନ୍ ତୃତୀୟ ରାଉଣ୍ଡ୍‌ରେ ୨୦୧୯ ସେମିଫାଇନାଲିଷ୍ଟ ଡେନିଲି କଲିନ୍ସଙ୍କୁ ଭେଟିବେ ।

ଅନ୍ୟ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ସପ୍ତମ ସିଡ୍ ଓ ୨୦୨୦ ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ଇଗା ସ୍ୱିଆଟେକ୍ ରେଭେକା ପିଟରସନ୍‌ଙ୍କୁ ୬-୨, ୬-୨ରେ ଏବଂ ୩୧ତମ ସିଡ୍ ମାର୍କେଟା ୱାଣ୍ଡ୍ରୋସୋଭା ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କୁ ୬-୨, ୭-୫ରେ ପରାଜିତ କରି ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ତେବେ ୟୁଏସ୍ ଓପନ୍ ଚାମ୍ପିଅନ୍ ବ୍ରିଟେନ୍ ଟିନ୍‌ଏଜର୍ ଏମ୍ମା ରାଡୁକାନୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଡାନ୍‌କା କୋଭିନିଚ୍ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ରାଡୁକାନୁଙ୍କୁ ୬-୪, ୪-୬,୬-୩ରେ ହରାଇ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ମେଜର୍ ଟୁର୍ଣ୍ଣାମେଣ୍ଟ୍‌ର ମୁଖ୍ୟ ଡ୍ର’ରେ ସାମିଲ ରାଡୁକାନୁ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୨୦୧୭ ୟୁଏସ୍ ଓପନ୍ ଚାମ୍ପିଅନ୍ ସ୍ଲେଆନ୍ ଷ୍ଟିଫେନ୍ସଙ୍କୁ ହରାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking