29.1 C
Bhubaneswar
Monday, May 6, 2024
Homeଖେଳ୪ ରନ୍‌ରେ ହାରିଲା ଗୁଜରାଟ; ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

୪ ରନ୍‌ରେ ହାରିଲା ଗୁଜରାଟ; ଦିଲ୍ଲୀ କ୍ୟାପିଟାଲ୍ସର ଚତୁର୍ଥ ବିଜୟ

ନୂଆଦିଲ୍ଲୀ: କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ଓ ଅକ୍ଷର ପଟେଲ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶକୀୟ ଇନିଂସ୍ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ହରାଇ ଚଳିତ ଆଇପିଏଲ୍ ସିଜନ୍‌ରେ ଚତୁର୍ଥ ବିଜୟ ହାସଲ କରିଛି । ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ସିଜନ୍‌ର ୪୦ତମ ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା । ଜବାବରେ ଗୁଜରାଟ ଟାଇଟନ୍ସ ୮ ୱିକେଟ୍ ବିନିମୟରେ ୨୨୦ ରନ୍ କରିବାକୁ ସଫଳ ହୋଇଥିଲା । ଏହା ଚଳିତ ସିଜନ୍‌ରେ ଦିଲ୍ଲୀର ଏହା ୯ଟି ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହୋଇଥିବା ବେଳେ ଟିମ୍ ୮ ପଏଣ୍ଟ୍ ସହ ଟେବଲ୍‌ର ଷଷ୍ଠ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍‌ରେ ଗୁଜରାଟର ଏହା ପଞ୍ଚମ ପରାଜୟ । ଏହା ସହିତ ଟିମ୍ ଗୋଟିଏ ସ୍ଥାନ ତଳକୁ ଖସି ଟେବଲ୍‌ର ସପ୍ତମ ସ୍ଥାନରେ ପହଞ୍ଚିଛି । ଦିଲ୍ଲୀର ଏହି ବିଜୟ ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ କ୍ଷତି ହୋଇଛି । ମୁମ୍ବାଇ ସପ୍ତମରୁ ଅଷ୍ଟମ ସ୍ଥାନକୁ ଖସିଆସିଛି ।

୨୨୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ଜାଏଣ୍ଟ୍‌ସ ଦ୍ୱିତୀୟ ଓଭର୍‌ରେ କ୍ୟାରିୟର୍‌ର ୧୦୦ତମ ମ୍ୟାଚ୍ ଖେଳିଥିବା କ୍ୟାପ୍‌ଟେନ୍ ଶୁବମନ ଗିଲ୍‌(୬)ଙ୍କୁ ହରାଇଥିଲା । ଗିଲ୍‌ଙ୍କ ଆଉଟ୍ ପରେ ଇମ୍ପାକ୍ଟ ପ୍ଲେୟର୍ ଭାବେ କ୍ରିଜ୍‌କୁ ଆସିଥିବା ସାଇ ସୁଦର୍ଶନ ଓପ୍ନର୍ ରିଦ୍ଧିମାନ ସାହାଙ୍କ ସହ ୪ର୍ଥ ଓଭର୍‌ରେ ଟିମ୍‌ର ସ୍କୋର୍ ୫୦ ରନ୍‌ରେ ପହଞ୍ଚାଇଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୮୨ ରନ୍‌ର ଭାଗୀଦାରୀ ହୋଇଥିଲା । ସାହାଙ୍କୁ ଅକ୍ଷର ପଟେଲ୍‌ଙ୍କ ହାତରେ କ୍ୟାଚ୍ କରାଇ କୁଲଦୀପ୍ ଯାଦବ ଏହି ଯୋଡ଼ି ଭାଙ୍ଗିଥିଲେ । ସାହା ୨୫ ବଲ୍‌ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୩୯ ରନ୍ କରିଥିଲେ । ଏହାପରେ ଅଜମତୁଲ୍ଲାହ ଓମରଜାଇ (୧) ଅକ୍ଷର ପଟେଲ୍‌ଙ୍କ ଶିକାର ହୋଇଥିଲେ ।

ସ୍କୋର୍ ୧୨୭ ରନ୍ ଥିବାବେଳେ ୬୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ସାଇ ସୁଦର୍ଶନଙ୍କୁ ଇମ୍ପାକ୍ଟ ପ୍ଲେୟର୍ ରଶିଖ୍ ସଲାମ୍ ଆଉଟ୍ କରିଥିଲେ । ସାଇ ସୁଦର୍ଶନଙ୍କ ୩୯ ବଲ୍‌ର ଇନିଂସ୍‌ରେ ୭ ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଏହାପରେ ଶାହରୁଖ୍ ଖାନ୍ (୮)ଙ୍କୁ ରସିଖ୍ ୱିକେଟ୍ ପଛରେ ପନ୍ତ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ । ରାହୁଲ ତେୱତିଆ ମାତ୍ର ୪ ରନ୍ କରି କୁଲଦୀପ୍ ଯାଦବଙ୍କ ଶିକାର ହୋଇଥିଲେ । ୨୦ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଡେଭିଡ୍ ମିଲର୍ ୨୩ ବଲ୍‌ରେ ୬ ଚୌକା ଓ ୩ ଛକା ସହାୟତାରେ ବିସ୍ଫୋରକ ୫୫ ରନ୍ କରିଥିବା ବେଳେ ମୁକେଶ କୁମାରଙ୍କ ବଲ୍‌ରେ ରସିଖ୍ ସଲାମ୍‌ଙ୍କ ଦ୍ୱାରା କ୍ୟାଚ୍ ହୋଇ ଫେରିଥିଲେ । ଆର୍ ସାଇ କିଶୋର ୧୩ ରନ୍ କରି ରସିଖ୍‌ଙ୍କ ତୃତୀୟ ଶିକାର ହୋଇଥିଲେ ।

ଶେଷ ଆଡ଼କୁ ରଶିଦ୍ ଖାନ୍ ଧୂଆଁଧାର ବ୍ୟାଟିଂ କରି ୧୧ ବଲ୍‌ରୁ ୨୧ ରନ୍ କରିଥିଲେ । ଅନ୍ତିମ ଓଭର୍‌ରେ ବିଜୟ ପାଇଁ ୧୯ ରନ୍ ଆବଶ୍ୟକ ଥିବାବେଳେ ମୁକେଶ କୁମାରଙ୍କ ପ୍ରଥମ ଦୁଇଟି ବଲ୍‌ରେ ଲଗାତାର ଚୌକା ଏବଂ ପଞ୍ଚମ ବଲ୍‌ରେ ଛକା ମାରିଥିଲେ ମଧ୍ୟ ରଶିଦ୍ ଟିମ୍‌କୁ ବିଜୟ ଦେଇପାରି ନଥିଲେ । ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ ମାତ୍ର ୪୪ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା । ଚତୁର୍ଥ ଓଭର୍‌ର ଦ୍ୱିତୀୟ ଓ ପଞ୍ଚମ ବଲ୍‌ରେ ସନ୍ଦୀପ ୱାରିୟର୍ ଯଥାକ୍ରମେ ଜ୍ୟାକ୍ ଫ୍ରେଜର୍‌-ମ୍ୟାକ୍‌ଗର୍କ (୨୩) ଏବଂ ପୃଥ୍ୱୀ ଶ’ (୧୧)ଙ୍କୁ ଆଉଟ୍ କରିଥିଲେ । ଏହାପରେ ସନ୍ଦୀପ ଷଷ୍ଠ ଓଭର୍‌ରେ ଶାଇ ହୋପ୍‌(୫)ଙ୍କୁ ପ୍ୟାଭିଲିୟନ୍ ଫେରାଇ ଦିଲ୍ଲୀର ଶୀର୍ଷ ତିନିଜଣ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ତେବେ ଅକ୍ଷର ପଟେଲ୍ ଓ କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ଇନିଂସ୍ ସମ୍ଭାଳି ଚତୁର୍ଥ ୱିକେଟ୍ ପାଇଁ ୧୧୩ ରନ୍‌ର ଭାଗୀଦାରି କରି ଟିମ୍‌କୁ ଏହି ସଂକଟରୁ ବାହାର କରିଥିଲେ ।

ତେବେ ଅକ୍ଷର ପଟେଲ୍ ୪୩ ବଲ୍‌ରେ ୫ ଚୌକା ଓ ୪ ଛକା ସହ ୬୬ ରନ୍ କରିଥିବା ବେଳେ ନୁର୍ ଅହମ୍ମଦ ତାଙ୍କୁ ସାଇ କିଶୋରଙ୍କ ହାତରେ କ୍ୟାଚ୍ କରାଇ ଫେରାଇଥିଲେ । ଏହା ପୂର୍ବରୁ ଅକ୍ଷର ୧୫ତମ ଓଭର୍‌ର ଶେଷ ବଲ୍‌ରେ ରଶିଦ୍ ଖାନ୍‌ଙ୍କୁ ଛକା ମାରି ଆଇପିଏଲ୍ କ୍ୟାରିୟର୍‌ର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ଅକ୍ଷରଙ୍କ ଆଉଟ୍ ପରେ କ୍ରିଜ୍‌କୁ ଆସିଥିବା ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କ ସହ ପନ୍ତ୍ ୬୩ ରନ୍‌ର ଭାଗୀଦାରି କରି ଦିଲ୍ଲୀର ସ୍କୋର୍ ୪ ୱିକେଟ୍ ବିନିମୟରେ ୨୨୪ ରନ୍‌ରେ ପହଞ୍ଚାଇଥିଲେ । ୧୮ତମ ଓଭର୍‌ରେ ମୋହିତ ଶର୍ମାଙ୍କୁ ଛକା ମାରି ଚଳିତ ସିଜନ୍‌ର ତୃତୀୟ ତଥା ଆଇପିଏଲ୍ କ୍ୟାରିୟର୍‌ର ୧୮ତମ ଅର୍ଦ୍ଧଶତକ ପୂରଣ କରିଥିବା ପନ୍ତ୍ ଇନିଂସ୍‌ର ଅନ୍ତିମ ଓଭର୍‌ରେ ମୋହିତ ଶର୍ମାଙ୍କ ବଲ୍‌ରେ ଚାରିଟି ଛକା ଓ ଗୋଟିଏ ଚୌକା ମାରିଥିଲେ । ଏହି ଓଭର୍‌ରେ ୩୧ ରନ୍ ହୋଇଥିଲା । ପନ୍ତ୍ ୪୩ ବଲ୍‌ରେ ୫ ଚୌକା ଓ ୮ ଛକା ସହାୟତାରେ ୮୮ ରନ୍ କରି ଷ୍ଟବ୍ସ (୨୬)ଙ୍କ ସହିତ ଅପରାଜିତ ରହିଥିଲେ । ଗୁଜରାଟ ପକ୍ଷରୁ ସନ୍ଦୀପ୍ ଶର୍ମା ସର୍ବାଧିକ ତିନିଟି ୱିକେଟ୍ ନେଇଥିବା ବେଳେ ନୁର୍ ଅହମଦ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking