ସୁପର୍ ଲିଗ୍ କ୍ୱାର୍ଟର୍ ଫାଇନାଲ୍ରେ ଭାରତ
ତ୍ରିନିଦାଦ: ସ୍ଥାନୀୟ ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏକ ଗ୍ରୁପ୍-ବି’ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ୧୭୪ ରନ୍ରେ ହରାଇ ଭାରତ ଚଳିତ ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ର ସୁପର୍ ଲିଗ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି । ଭାରତ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ଆୟର୍ଲାଣ୍ଡ ଆଗରେ ୩୦୮ ରନ୍ର ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ହରନୁର୍ ସିଂହ ୮୮ ଓ ଅଙ୍ଗକୃଷ ରଘୁବଂଶୀ ୭୯ ରନ୍ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଲକ୍ଷ୍ୟର ପିଛାକରି ଆୟର୍ଲାଣ୍ଡ ୧୩୩ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଭାରତ ପକ୍ଷରୁ କୌଶଳ ତାମ୍ବେ, ଅନିବେଶ ଗୌତମ ଓ ଗର୍ବ ସାଙ୍ଗୱାନ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଲକ୍ଷ୍ୟର ପିଛା କରୁଥିବା ଆୟର୍ଲାଣ୍ଡର ଆରମ୍ଭ ବହୁତ ଖରାପ ଥିଲା । ୭ ଓଭର୍ ମଧ୍ୟରେ ମାତ୍ର ୧୭ ରନ୍ରେ ଟିମ୍ର ୩ ଜଣ ଟପ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ । ପ୍ରାରମ୍ଭିକ ଧକ୍କା ପରେ କ୍ୟାପ୍ଟେନ୍ ଟିମ୍ ଟେକ୍ଟର (୧୫), ଜୋଶୁଆ କକ୍ସ (୨୮) ଓ ସ୍କଟ୍ ମ୍ୟାକ୍ବେଥ୍ (୩୨) ଆୟର୍ଲାଣ୍ଡ ଇନିଂସ୍ ସମ୍ଭାଳିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ବୋଲର୍ଙ୍କ ଆଗରେ ବେଶୀ ସମୟ ତିଷ୍ଠିପାରି ନଥିଲେ ଏବଂ ପୂରା ଟିମ୍ ୬୬ ବଲ୍ ପୂର୍ବରୁ ଅଲ୍ଆଉଟ୍ ହୋଇଯାଇଥିଲା ।
ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭର୍ରେ ୫ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା । ହର୍ନୁର୍ ଓ ରଘୁବଂଶୀଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୧୬୪ ରନ୍ର ଶତକୀୟ ପାର୍ଟନର୍ଶିପ୍ ହୋଇଥିଲା । ଏମାନଙ୍କ ବ୍ୟତୀତ ରାଜ୍ ବାୱା ୪୨, କାମଚଳା କ୍ୟାପ୍ଟେନ୍ ନିଶାନ୍ତ ସିନ୍ଧୁ ୩୬, ରାଜବର୍ଦ୍ଧନ ହଙ୍ଗାରଗେକର୍ ଅପରାଜିତ ୩୯ ରନ୍ କରିଥିଲେ ।
ଆୟର୍ଲାଣ୍ଡ ପକ୍ଷରୁ ମୁଜାମିଲ୍ ଶେରଜାଦ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ନିୟମିତ କ୍ୟାପ୍ଟେନ୍ ୟଶ୍ ଧୁଲ୍ ଓ ଭାଇସ୍ କ୍ୟାପ୍ଟେନ୍ ଶେଖ୍ ରଶିଦ୍ଙ୍କ ବ୍ୟତୀତ ଅନ୍ୟ ୪ଜଣ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଧୁଲ୍ ବାଦ୍ ପଡ଼ିବାରୁ ନିଶାନ୍ତ ସିନ୍ଧୁ ଟିମ୍ର ନେତୃତ୍ୱ ନେଇଥିଲେ। ଭାରତର ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଜାନୁଆରୀ ୨୨ରେ ଉଗାଣ୍ଡା ବିପକ୍ଷରେ ହେବ ।