40.1 C
Bhubaneswar
Saturday, April 27, 2024
Homeଅପରାଧସାମାନ୍ୟ ଝଗଡାରୁ ଜଘନ୍ୟ କାଣ୍ଡ, ୫ ଜଣଙ୍କ ଉପରେ ଡମ୍ଫର ଚଢାଇ ମାରିଦେଲେ

ସାମାନ୍ୟ ଝଗଡାରୁ ଜଘନ୍ୟ କାଣ୍ଡ, ୫ ଜଣଙ୍କ ଉପରେ ଡମ୍ଫର ଚଢାଇ ମାରିଦେଲେ

ଜୟପୁର : ରାଜସ୍ଥାନରେ ଚାଞ୍ଚଲ୍ୟକର ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ କେନ୍ଦ୍ରକରି ୫ ଜଣଙ୍କୁ ଡମ୍ଫର ଚଢାଇ ହତ୍ୟା । ଗଣ୍ଡଗୋଳ ପରେ ସେହି ୫ ଜଣ ଯାକ ଥାନାରେ ଅଭିଯୋଗ କରିବାକୁ ବାଇକରେ ଯାଉଥିଲେ । ବାଟରେ ଅପର ଗୋଷ୍ଠୀର କିଛି ଲୋକେ ସେମାନଙ୍କ ଉପରେ ଡମ୍ଫର ମଡାଇ ଦେଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଝାଲାବାଡ ଜିଲ୍ଲା ପଗାରିୟା ଥାନା ଅଞ୍ଚଳରେ ଏଭଳି ବୀଭତ୍ସ କାଣ୍ଡ ଘଟିଛି, ଯାହାକି ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ଗତକାଲି ବିଳମ୍ବିତ ରାତିରେ ପଗାରିୟା ଥାନା ଅନ୍ତର୍ଗତ ବିନାୟଗା ଗାଁରେ କୌଣସି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ଏହି ଝଗଡା କ୍ରମଶଃ ଉଗ୍ର ରୂପ ନେଇଥିଲା । ଏହାପରେ ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ୫ ଜଣ ବ୍ୟକ୍ତି ଥାନାରେ ଅଭିଯୋଗ କରିବାକୁ ଦୁଇଟି ବାଇକରେ ଯାଉଥିଲେ । ଏହି ସମୟରେ ଅପରଗୋଷ୍ଠୀର କିଛି ଲୋକେ ଡମ୍ଫରରେ ସେମାନଙ୍କ ପିଛା କରିଥିଲେ ଏବଂ ଅଧାବାଟରେ ସମସ୍ତଙ୍କ ଉପରେ ଡମ୍ଫର ଚଢାଇ ବୀଭତ୍ସ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ ।

ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ କ’ଣ ପାଇଁ ଦୁଇ ଗୋଷ୍ଠୀ ଭିତରେ ଝଗଡା ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମୃତକମାନଙ୍କ ମଧ୍ୟରେ ଦୁଇ ଭାଇ ଥିବା ଜଣାପଡିଛି । ଏହି ଘଟଣା ନେଇ ସମଗ୍ର ଗାଁରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏବେ ଗାଁରେ ବହୁସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ କୁଆଡେ ଫେରାର୍ ହୋଇଯାଇଛନ୍ତି । ରାଜସ୍ଥାନ ସୀମାକୁ ଲାଗି ଥିବା ମଧ୍ୟପ୍ରଦେଶକୁ ପଳାୟନ କରିଥିବା ଅନୁମାନ କରାଯାଉଥିବାରୁ ସେମାନଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ ପୋଲିସ ଟିମ୍ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking