26.1 C
Bhubaneswar
Wednesday, May 8, 2024
Homeଓଡିଶାଉଦ୍‌ଘାଟନର ବର୍ଷେ ପରେ ବି ହେଉନି ଜଳଯୋଗାଣ : ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ୱାର୍ଡବାସୀ

ଉଦ୍‌ଘାଟନର ବର୍ଷେ ପରେ ବି ହେଉନି ଜଳଯୋଗାଣ : ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ୱାର୍ଡବାସୀ

ବାଙ୍କୀ : ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପାଦଦେଶରେ ଅବସ୍ଥିତ ବାଙ୍କୀ ଏନଏସି ୧୧ନମ୍ବର ୱାର୍ଡରେ ୨ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବାସ କରୁଛନ୍ତି । ଏହି ୱାର୍ଡଟି ଏନଏସି କାର୍ଯ୍ୟାଳୟର ପଛପାଖ ପଶ୍ଚିମ ପାଶ୍ୱର୍ରେ ଅବସ୍ଥିତ । ବାଙ୍କୀ ଏନଏସି ୬୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା ଗଠନ ହୋଇଥିଲେ ମଧ୍ୟ ଏହି ଅଞ୍ଚଳର ଅଧିବାସୀମାନେ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏନଏସିର ୧୧ନମ୍ବର ୱାର୍ଡର ଜନସାଧାରଣମାନଙ୍କୁ ଏପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟଜଳ ଟୋପାଏ ମିଳୁନାହିଁ । ସେମାନଙ୍କ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇନାହିଁ । ଫଳରେ ସେମାନେ କୂଅ ପାଣି ବ୍ୟବହାର କରି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତିି । ସହରାଞ୍ଚଳରେ ସମସ୍ତ ପରିବାରକୁ ସ୍ୱଚ୍ଛ ପାନୀୟଜଳ ଯୋଗାଣର ବ୍ୟବସ୍ଥା ଥିଲେ ମଧ୍ୟ ବାଙ୍କୀ ଏନ୍‌ଏସି ଅଞ୍ଚଳରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧ନମ୍ବର ୱାର୍ଡବାସୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଦୀପ ତଳ ଅନ୍ଧାର ଭଳି ଏନ୍‌ଏସି କାର୍ଯ୍ୟାଳୟ ପଛପଟେ ଏହି ୱାର୍ଡ ଅବସ୍ଥିତ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ହୋଇପାରିନାହିଁ । ଚର୍ଚ୍ଚିକା ମନ୍ଦିର ମଣ୍ଡପଠାରେ ଏଥି ପାଇଁ ଦୀର୍ଘବର୍ଷ ଧରି ଗୋଟିଏ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ ହୋଇ ଗତବର୍ଷ ତତ୍କାଳୀନ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । କିନ୍ତୁ ଭାଗ୍ୟର ବିଷୟ ଏପର୍ଯ୍ୟନ୍ତ ଏହି ପାଣିଟାଙ୍କିକୁ ଜଳ ଯୋଗାଣର ବ୍ୟବସ୍ଥା ହୋଇନାହିଁ କିମ୍ବା ୧୧ନମ୍ବର ୱାର୍ଡରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ବିଛାଯାଇନାହିଁ । ଏହା ସହିତ ବାଙ୍କୀ ଏନ୍‌ଏସି ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଏବଂ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ଦୋକାନ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହେବା ଫଳରେ ଜନସାଧାରଣ ଚାଲିକରି ଯିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ୧୦ ଓ ୧୧ ନମ୍ବର ୱାର୍ଡରେ ଥିବା ଡ୍ରେନ୍‌ଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଗଲାଣି । ତା’ର ମରାମତି କାର୍ଯ୍ୟ ମଧ୍ୟ କରାଯାଉନାହିଁ କିମ୍ବା ଡ୍ରେନ୍‌ଗୁଡ଼ିକ ସଫା କରାଯାଉ ନଥିବାରୁ ଗନ୍ଧରେ ନାକ ଫାଟିଯାଉଛି । ୧୦ନମ୍ବର ୱାର୍ଡରେ ୨ଟି ଷ୍ଟାଣ୍ଡ୍ ପୋଷ୍ଟ ଥିଲେ ବି ତାହା ଭାଙ୍ଗି ଯାଇଛି । ସେଠାରୁ ଡ୍ରେନ୍‌ଭିତରେ ଥିବା ପାଇପ୍ ରୁ ଜନସାଧାରଣ ଜଳ ଆଣି ବ୍ୟବହାର କରୁଥିବା ଦେଖାଯାଉଛି । ତୁରନ୍ତ ଏଥିପ୍ରତି ବାଙ୍କୀ ଏନ୍‌ଏସି ଓ ବାଙ୍କୀ ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ୧୧ନମ୍ବର ୱାର୍ଡ ବାସିନ୍ଦା ଆଡ୍‌ଭୋକେଟ ସନ୍ତୋଷ କୁମାର ରଣା ଓ ଶରତ ଚନ୍ଦ୍ର ମହାପାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ସହାକାରୀ ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କୁ ପଚାରିବାରେ ସେ କହିଲେ ଯେ ପାଇପ୍ ବିଛାଯିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ଏହା ପରେ ଜଳଯୋଗାଣର ବ୍ୟବସ୍ଥା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking