28.1 C
Bhubaneswar
Friday, April 26, 2024
Homeଓଡିଶାଧାନରେ ସାଆରା ରୋଗ : ଚିନ୍ତାରେ ଚାଷୀ

ଧାନରେ ସାଆରା ରୋଗ : ଚିନ୍ତାରେ ଚାଷୀ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ବିଭିନ୍ନ ପଞ୍ଚାୟତର ଧାନ କ୍ଷେତରେ ବ୍ୟାପିଛି ସାଆରା ରୋଗ । କୃଷି ବିଜ୍ଞାନ ଭାଷାରେ ଫଲ୍ସ ସ୍ପଟ ବୋଲି କୁହାଯାଉଥିବା ଏହି ରୋଗକୁ ନେଇ ଚାଷୀ ଏବେ ଚିନ୍ତାରେ । ଏହି ରୋଗ ପାଇଁ କେଣ୍ଡାରେ ଥିବା ଧାନ ନୀଳରଙ୍ଗ ଧାରଣ କରିବା ସହ ଫୁଲ ଫୁଟିବା ଭଳିହେଉଛି । ଆଉ ଧାନଗଡ଼ିକ ହାତକୁ ଆଣିଲେ ଝଡ଼ି ପଡ଼ିବା ସହ ପାଉଁଶ ଭଳି ଚୂନା ହୋଇଯାଉଛି । ଧାନକେଣ୍ଡାରେ ପ୍ରାୟତଃ ୨୦ରୁ ୩୦ ଶତକଡ଼ା ଏହି ରୋଗ ଦେଖାଦେଇଛି । ଯାହା ଧାନ ଅମଳ ଓ ଧାନର ମାନକୁ ନେଇ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।
ଏହି ରୋଗ ସମ୍ପର୍କରେ କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କୁହନ୍ତି ଯେ, କାଜୁଆଲ ଅର୍ଗାନିଜିମ୍ ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଧାନ ଫସଲରେ ଏହି ରୋଗ ହେଲେ ଧାନର ଗୁଣାବତ୍ତା (ମାନ) ଓ ଅମଳ ଉପରେ ଏହା ପ୍ରଭାବ ପକାଇବ । ସାଧାରଣତଃ ବିହନ ବିଶୋଧନ କରାଯାଇ ନ ଥିବାରୁ ଏହି ରୋଗ ବ୍ୟାପିଥିବା ଶ୍ରୀ ମିଶ୍ର କହିଛନ୍ତି । ତେବେ ଜମିର ପରିମାଣ ଅନୁସାରେ କ୍ଷେତରେ କାର୍ବେଡାଜିମ୍ -୫୦ ଔଷଧ ସିଞ୍ଚନ କରି ଧାନ ଫସଲରୁ ସାଆରା ରୋଗ ମୁକ୍ତ କରାଯାଇପାରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । କିନ୍ତୁ ଚାଷୀ ଏବେ ନିରୂପାୟ । କାରଣ ଧାନ ୭୫ ଭାଗ ପାଚି ସାରିଥିବାବେଳେ ଫସଲ ଅମଳ ସମୟ ହେଲାଣି । ବିଶେଷକରି ଯେଉଁ ଜମିରେ ପାରମ୍ପରିକ ବିହନ ବ୍ୟବହାର କାରାଯାଇଛି ସେ ଜମିରେ ଏହି ରୋଗ ଅଧିକ ବ୍ୟାପିଥିବା ଦେଖିବାକୁ ମିଳୁଛି । ଚାଷୀଙ୍କ ପାଇଁ ଆଉ ଏକ ସମାସ୍ୟା ହେଲା ବିହନ ସମସ୍ୟା । ସାଧାରଣତଃ ଚାଷୀମାନେ ଧାନ ଅମଳ କରିବା ସମୟରେ ଆସନ୍ତା ବର୍ଷ ପାଇଁ ଏହି ଧାନରୁ ବିହନ ସଂଗ୍ରହ କରି ରଖିଥାନ୍ତି । କିନ୍ତୁ ଏହା ଆଉ ସମ୍ଭବ ନୁହେଁ । କାରଣ ଏହା ବିହନ ପାଇଁ ଉପଯୁକ୍ତ ନୁହେଁ କିମ୍ବା ଏହି ଧାନକୁ ବିହନ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ । କାରଣ ଧାନଚାଷ ପାଇଁ ବ୍ଲକର ଅଧିକାଶଂ ଚାଷୀ ଏବେବି ପାରମ୍ପାରିକ ବିହନ ଉପରେ ନିର୍ଭରଶୀଳ । କାରଣ ସରକାରୀସ୍ତରରେ ଚାଷୀମାନଙ୍କୁ ଯେଉଁ ବିହନ ଯୋଗାଇ ଦିଆଯାଇଥାଏ ତାହା ପର୍ଯ୍ୟାପ୍ତ ହୁଏ ନାହିଁ । ଏପରିକି ଚାଷୀମାନେ ଆବଶ୍ୟକ କରୁଥିବା ବିହନ କେତେବେଳେ ମିଳେ ନାହିଁ ତ ଆଉ କେତେବେଳେ ଚାଷୀମାନଙ୍କୁ ଠିକ୍ ସମୟରେ ମିଳିପାରେ ନାହିଁ । ୨୦୧୯ ଖରିଫ ଧାନ ଚାଷ ସମୟରେ ଚାଷୀମାନେ ଆବଶ୍ୟକ କରୁଥିବା ଶାରଦଧାନ ବିହନ ପର୍ଯ୍ୟାପ୍ତ ନଥିଲା । ଯାହା ଫଳରେ ଚାଷୀମାନେ ଖୋଲାବଜାରରୁ ଆଣି ଓ ପାରମ୍ପରିକ ବିହନରେ ଚାଷ କାର୍ଯ୍ୟକୁ ଆଗେଇ ନେଇଥିଲେ । ମାର୍ଶାଘାଇ ବ୍ଲକରେ ମୋଟ ୧୧ହଜାର ୮୪୦ ହେକ୍ଟର ଚାଷଜମି ରହିଥିବା ବେଳେ ପାଖାପାଖି ୮ହଜାର ୬୧୩ ହେକ୍ଟର ଜମିରେ ଧାନ ଚାଷକରାଯାଇଥାଏ । ପ୍ରଥମତଃ ବିଳମ୍ବିତ ମୌସୁମୀ ପାଇଁ ଚାଷ କାର୍ଯ୍ୟ ବିଳମ୍ବହୋଇଥିଲା ଓ ପରବର୍ତ୍ତୀ ସମୟରେ ଗତ ଅକ୍ଟୋବର ମାସରେ ଘଟିଥିଲା ବାତ୍ୟା ବୁଲ୍‌ବୁଲ୍ । ବାତ୍ୟା ବୁଲ୍‌ବୁଲ୍ ଯେଉଁ ସମୟରେ ହୋଇଥିଲା ତାହାଥିଲା ଧାନର ଥୋଢ ସମୟ । ବର୍ଷା ଓ ପବନ ପାଇଁ ଧାନ ଲୋଟିଥିଲା କ୍ଷେତରେ । ବାତ୍ୟା ଦାଉରୁ ଯାହା କିଛି ରକ୍ଷା ପାଇଯାଇଥିଲା ବର୍ତ୍ତମାନର ଏହି ସାଆରା ରୋଗ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking