25.1 C
Bhubaneswar
Thursday, May 9, 2024
Homeଓଡିଶାଜଳାନ୍ତକ ଟିକାକରଣ ଅଭିଯାନ: ପ୍ରଥମ ଦିନରେ ୧୦୦ କୁକୁରଙ୍କୁ ଟିକା

ଜଳାନ୍ତକ ଟିକାକରଣ ଅଭିଯାନ: ପ୍ରଥମ ଦିନରେ ୧୦୦ କୁକୁରଙ୍କୁ ଟିକା

ଭୁବନେଶ୍ୱର: ଓଡ଼ିଶା ପଶୁ ଚିକିତ୍ସା ସେବା ସଂଘ(ଓଭିଏସ୍‌ଏ) ପକ୍ଷରୁ ଆଜି ଗୃହପାଳିତ ପଶୁ ଓ ବୁଲା କୁକୁରଙ୍କ ପାଇଁ ସ୍ୱତନ୍ତ୍ର ଜଳାନ୍ତକ ଟିକାକରଣ କାର୍ଯ୍ୟକ୍ରମ ହୋଇଛି । ଟିକାକରଣର ପ୍ରଥମ ଦିନରେ ୧୦୦ଟି ପୋଷା ଓ ବୁଲା କୁକୁରଙ୍କୁ ଟିକା ଦିଆଯାଇଛି । ଆସନ୍ତା ଦୁଇ ଦିନ ଭିତରେ ୩୦୦ ବୁଲା କୁକୁରଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଗତ ୨୮ ତାରିଖରେ ହୋଇଥିବା ବିଶ୍ୱ ଜଳାନ୍ତକ ଦିବସ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଜିଲ୍ଲାରେ ଟିକାକରଣ ଅଭିଯାନ ହୋଇଛି । ଆଜି ରାଜଧାନୀର ୟୁନିଟ୍‌-୮ସ୍ଥିତ ପାସପୋର୍ଟ ଅଫିସ୍ ପାଖ ବିବର୍ତନଠାରେ ଟିକାକରଣ ଶିବିର କରାଯାଇଥିଲା । ସମାଜସେବୀ ତଥା ପ୍ରତିଷ୍ଠିତ ଓଲିଉଡ୍ ତାରକା ସବ୍ୟସାଚୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଓଭିଏସ୍‌ଏ\’ର ଏକ ଟି-ସାର୍ଟକୁ ମଧ୍ୟ ସେ ଉନ୍ମୋଚନ କରିଥିଲେ । ଏହି ଅବସରରେ ପଶୁ ଡାକ୍ତରଙ୍କ ସେବା ମନୋଭାବକୁ ସେ ପ୍ରଂଶସା କରିଥିଲେ । ପଶୁ ଡାକ୍ତରମାନେ କଥା କହି ପାରୁନଥିବା ଜୀବଙ୍କ ପ୍ରତି ସମ୍ବେଦନଶୀଳ ହୋଇ ନିଷ୍ଠାପର ଭାବେ ଚିକିତ୍ସା କରୁଛନ୍ତି । ଖାଲି ସେତିକି ନୁହେଁ, ସେମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁ ପଶୁଙ୍କଠାରୁ ମଣିଷଙ୍କୁ ସଂକ୍ରମିତ ହେଉଥିବା ଅନେକ ରୋଗକୁ ଏଡାଇ ଦିଆ ଯାଇପାରୁଛି । ଏଥିପାଇଁ ସମସ୍ତ ଡାକ୍ତରଙ୍କୁ ସେ ପ୍ରଶଂସା କରିଥିଲେ । ପଶୁଙ୍କ ସେବା ପାଇଁ ସେ ଓଭିଏସ୍‌ଏ ସହ ମିଶି କାମ କରିବାକୁ ମଧ୍ୟ ଇଚ୍ଛାପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ମେଡିକାଲ ସେବା ସଂଘର ସଭାପତି ଡା. ନାରାୟଣ ରାଉତ ମଧ୍ୟ ରାଜ୍ୟରୁ ଜଳାନ୍ତକ ଦୂରୀକରଣ ପାଇଁ ଓଭିଏସ୍‌ଏକୁ ସହଯୋଗ କରିବେ ବୋଲି କହିଥିଲେ । ପଶୁପାଳନ ଓ ପଶୁ ସେବା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରତାପ କିଶୋର ଖମାରୀ ସମସ୍ତ ପଶୁ ଡାକ୍ତରମାନେ କରୁଥିବା କଠିନ କାମକୁ ପ୍ରଂଶସା କରିଥିଲେ । ଅନ୍ୟପକ୍ଷରେ ଓଡ଼ିଶା ଭେଟେରିନାରୀ ସର୍ଭିସ୍ କ୍ୟାଡରକୁ ଏଣ୍ଟ୍ରି ଲେଭଲ୍‌ରେ ଗ୍ରୁପ୍‌-ଏରେ ରଖିବାକୁ ସଂଘ ଦୀର୍ଘ ଦିନ ଦାବି କରୁଥିଲା । ଏହାକୁ ରାଜ୍ୟ ସରକାର ପୂରଣ କରିଛନ୍ତି । ସଂଘର ସଭାପତି ଡା. ଯଦୁନାଥ ପରିଡା, ସାଧାରଣ ସମ୍ପାଦକ ଡା. ମଦନମୋହନ ମହାପାତ୍ର ଓ ଉପସଭାପତି ଡା. ଶଙ୍କର୍ଷଣ ମାହୁନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜର ସାମାଜିକ ଦାୟିତ୍ୱବୋଧ ତୁଲାଇବାକୁ ଓଭିଏସ୍‌ଏ ମାଗଣାରେ ଏହି ଟିକାକରଣ କାର୍ଯ୍ୟକ୍ରମ କରୁଛି । ଓଭିଏସ୍‌ଏର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଡା. ସଞ୍ଜିବନୀ ପଟେଲ, ଡା. ରଶ୍ମିରଞ୍ଜନ ଦାସ, ଡା. ସିମ୍ଫୋନୀ ମହାନ୍ତି, ଡା. ଶୈଳେଶ ମହାନ୍ତି, ଡା. ରଞ୍ଜନ ସେଠୀ, ଡା. ଭବାନୀ ବେହେରା, ଡା. ରୋଶ୍‌ନୀ ବୁଦ୍ଧ, ଡା. ଲିକେଶ କାନୁନ୍‌ଗୋ, ଡା. ବିମଳ ଚୌଧୁରୀ ଓ ଡା. ପାର୍ଥ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking