32.1 C
Bhubaneswar
Saturday, May 18, 2024
Homeଓଡିଶା ଏମ୍‌ସିସି ନେଇ ଇସିଆଇଙ୍କ କଡ଼ା ଆଭିମୁଖ୍ୟ

 ଏମ୍‌ସିସି ନେଇ ଇସିଆଇଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି (ଏମ୍‌ସିସି)ର ଅନୁପାଳନ ଉପରେ ଭାରତ ନିର୍ବାଚନ ଆୟୋଗଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, ଆର୍ôଥକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ନିଷେଧାଦେଶ ଜାରି ହୋଇଛି । ସମସ୍ତ ରାଜନୈତିକ ଦଳକୁ ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା ପଞ୍ଜୀକରଣ ବନ୍ଦ୍ କରିବାକୁ ହେବ । ଏଥିରେ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚଳିତ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଏମ୍‌ସିସିର ଅନୁପାଳନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତ ନିର୍ବାଚନ ଆୟୋଗ ନିିର୍ଦ୍ଦେଶନାମାରେ ସୂଚିତ କରିଛନ୍ତି ଯେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, କୌଣସି ପ୍ରକାର ଆର୍ôଥକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକୁ ଭାରତ ନିର୍ବାଚନ ଆୟୋଗ ନିଷିଦ୍ଧ କରିଛନ୍ତି । ଏପ୍ରକାର ଏମ୍‌ସିସିର ଉଲ୍ଲଙ୍ଘନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ସମସ୍ତ ରାଜନୈତିକ ଦଳକୁ ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା,ପଞ୍ଜୀକରଣ ବନ୍ଦ କରବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ଭାରତ ନିର୍ବାଚନ ଆୟୋଗ ଗମ୍ଭୀର ଦୃଷ୍ଟି ଦେଇଛନ୍ତି । ଲୋକପ୍ରତିନିଧି ଅଧିନିୟମର ଧାରା ୧୨୩ (୧) ଅନୁଯାୟୀ ଏହା ଏକପ୍ରକାର ପ୍ରରୋଚନା ଯାହା ଦୁର୍ନୀତି ଅନ୍ତର୍ଭୁକ୍ତ ।
ଶ୍ରୀ ଧଳ କହିଛନ୍ତି ଯେ ସମସ୍ତ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ଭାରତ ନିର୍ବାଚନ ଆୟୋଗ କୌଣସି ବିଜ୍ଞାପନ, ସର୍ଭେ, ଆପ୍ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଆଇନଗତ ସର୍ବେକ୍ଷଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ମଧ୍ୟରେ ସୀମାକୁ ଅସ୍ପ୍ୱଷ୍ଟ କରୁଥିବା କାର୍ଯ୍ୟକଳାପଗୁଡ଼ିକୁ ଆୟୋଗ ଧ୍ୟାନକୁ ନେଇଛନ୍ତି, ଯାହା ଛଦ୍ମ ଭାବରେ ଆଇନଗତ ସର୍ଭେ ମାଧ୍ୟମରେ ନିର୍ବାଚନରେ ଲାଭ ହାସଲ ପାଇଁ କରାଯାଉଅଛି । ଏଣୁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଯୋଜନାର ଲାଭ ଉଠାଇବା ପାଇଁ ପଂଜୀକରଣ କରିବାକୁ ମିସ୍ କଲ୍ କିମ୍ବା ଫୋନ୍ କଲ୍ କରିବାକୁ କୁହାଯିବା, ଏକ ଗ୍ୟାରେଣ୍ଟି, କାର୍ଡକୁ ସୂଚନା ପତ୍ର ଭାବେ ପ୍ରଦାନ କରି ଭୋଟର ବିବରଣୀ ସଂଗ୍ରହ (ବ୍ୟକ୍ତିଗତ ବିବରଣୀ, ବୁଥ୍ ନଂ, ନିର୍ବାଚନ କ୍ଷେତ୍ର ନଂ ଇତ୍ୟାଦି) କରାଯିବା, ସାମାଜିକ-ଅର୍ଥନୈତିକ ସର୍ଭେ ନାମରେ ଚାଲୁଥିବା ସରକାରୀ ଯୋଜନାର ଲାଭ ବିସ୍ତାର କରିବାକୁ ଯାଇ ଫର୍ମ ବଣ୍ଟନ କରାଯିବା ଏବଂ ଭୋଟର ବିବରଣୀ ସଂଗ୍ରହ କରାଯିବା, ରାଜନୈତିକ ଦଳମାନେ ଭୋଟରଙ୍କ ସବିଶେଷ ସୂଚନା ପାଇବାକୁ ପ୍ରାର୍ଥୀମାନେ ୱେବ୍ ପ୍ଲାଟଫର୍ମ, ଆପସ୍‌କୁ ପ୍ରୋତ୍ସାହିତ କରିବା (ବ୍ୟକ୍ତିଗତ ଫାଇଦା କିମ୍ବା ଭୋଟରଙ୍କ ପସନ୍ଦ ପ୍ରକାଶ କରିବା ପାଇଁ ଏଥିରେ ବିକଳ୍ପ ଥାଇପାରେ କିମ୍ବା ନଥାଇ ପାରେ), ଖବରକାଗଜ ବିଜ୍ଞାପନ, ଲିଖିତ ଫର୍ମ ମାଧ୍ୟମରେ ସାଂପ୍ରତିକ ଲାଭ ଯୋଜନାରେ ପଂଜୀକରଣ ପାଇଁ ଭୋଟର୍ ବିବରଣୀ ସଂଗ୍ରହ କରାଯିବାକୁ ଆୟୋଗ ପକ୍ଷରୁ ବାରଣ କରାଯାଇଛି । ଶ୍ରୀ ଧଳ କହିଛନ୍ତି ଯେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନର ଉପରୋକ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଭାରତ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି କ୍ଷେତ୍ରରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହୁଏ ତେବେ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଏହା ଉପରେ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking