28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକ୍ୟାବିନେଟ୍ ସଂପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା: ନୀତୀଶଙ୍କୁ ଗୃହ, ଆରଜେଡିକୁ ସିଂହଭାଗ!

କ୍ୟାବିନେଟ୍ ସଂପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା: ନୀତୀଶଙ୍କୁ ଗୃହ, ଆରଜେଡିକୁ ସିଂହଭାଗ!

ପାଟନା : ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ଇତିମଧ୍ୟରେ ଏନ୍‌ଡିଏରୁ ଓହରି ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଓ କଂଗ୍ରେସ ଭଳି ୭ଟି ଦଳ ସହ ମହାମେଣ୍ଟରେ ସାମିଲ ହୋଇଛି । ବୁଧବାର ନୀତୀଶ ଓ ତେଜସ୍ୱୀ ଯାଦବ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିସାରିଥିବାବେଳେ ବର୍ତ୍ତମାନ କ୍ୟାବିନେଟ୍ ଗଠନ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଗଷ୍ଟ ୨୪ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପରେ କ୍ୟାବିନେଟ୍ ସଂପ୍ରସାରିତ ହେବ ବୋଲି ନୀତୀଶ ଘୋଷଣା କରିସାରିଛନ୍ତି । ପୂର୍ବଥର ଭଳି ନୀତୀଶ ନିଜ ପାଖରେ ଗୃହ ମନ୍ତ୍ରଣାଳୟ ରଖିବେ ବୋଲି ଜଣାପଡିଛି ।

ଫଳରେ ପୁଲିସ ବାହିନୀ ତାଙ୍କ ଅକ୍ତିଆରରେ ରହିବ । ଏହାବ୍ୟତୀତ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିଭାଗ ମଧ୍ୟ ସେ ନିଜ ପାଖରେ ରଖିପାରନ୍ତି । ତେବେ ୭୫ ବିଧାୟକଙ୍କ ସହ ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଥିବା ଆରଜେଡିକୁ କ୍ୟାବିନେଟ୍‌ରେ ସିଂହଭାଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲ ଆଶାବ୍ୟକ୍ତ କରିଛନ୍ତି । ପୂର୍ବ ସରକାରରେ ବିଜେପି ବିଧାୟକଙ୍କୁ ମିଳିଥିବା ଅର୍ଥ, ସ୍ୱାସ୍ଥ୍ୟ ଓ ସଡକ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଝୁଲାକୁ ଯିବ ବୋଲି ଅନୁମାନ କରାଯାଉଛି । ମହାମେଣ୍ଟ ଗଠନ ପରେ ତିନି ପ୍ରମୁଖ ଦଳ ମଧ୍ୟରେ ଭିତିରିଆ ବୁଝାମଣା ହୋଇଥିବା କୁହାଯାଉଛି ।

ତଦନୁଯାୟୀ ସଂପ୍ରସାରଣ ପ୍ରକ୍ରିୟାରେ ୩୫ ମନ୍ତ୍ରୀଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରୁ ଆରଜେଡିକୁ ୧୬ରୁ ୨୦, ଜେଡିୟୁ ଭାଗରେ ୧୧ରୁ ୧୩ ଏବଂ କଂଗ୍ରେସ ଭାଗରେ ୨ରୁ ୪ ମନ୍ତ୍ରୀପଦ ମିଳିପାରେ ବୋଲି ଆକଳନ କରାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝିଙ୍କ ହାମ୍ (ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା)କୁ ଗୋଟିଏ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି । ଅପରପକ୍ଷରେ ବାଚସ୍ପତି ପଦରେ ଆରଜେଡି ବିଧାୟକଙ୍କୁ ଅବସ୍ଥାପିତ କରାଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking