32.1 C
Bhubaneswar
Saturday, May 4, 2024
Homeଓଡିଶାଅଣାୟତ୍ତ ଡେଙ୍ଗୁ : ରାଜ୍ୟର ୯୦% ରୋଗୀ ରାଜଧାନୀରୁ, ସଂଖ୍ୟା ୪୦୦ ଡେଇଁଲା

ଅଣାୟତ୍ତ ଡେଙ୍ଗୁ : ରାଜ୍ୟର ୯୦% ରୋଗୀ ରାଜଧାନୀରୁ, ସଂଖ୍ୟା ୪୦୦ ଡେଇଁଲା

ଭୁବନେଶ୍ୱର : ରାଜଧାନୀରେ ଏବେ ଡେଙ୍ଗୁ କାୟା ମେଲାଇଲାଣି । ସବୁ ଅଞ୍ଚଳରୁ ଏବେ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗୋଟିଏ ପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ନ ଥିବାବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଏବେ ଅଣାୟତ୍ତ ସ୍ଥିତି ଆଡ଼କୁ ମୁହାଁଇଛି । ଏବେ ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳ, ଚିନ୍ତାମଣିଶ୍ୱର ଡେଙ୍ଗୁର ହଟ୍‌ସ୍ପଟ୍ ପାଲଟିଛି। ଏହା ମଧ୍ୟରେ ରାଜ୍ୟରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୭ ଛୁଇଁଥିବାବେଳେ କେବଳ ରାଜଧାନୀରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨୧କୁ ବୃଦ୍ଧିପାଇଛି । ଦୈନିକ ୨୦ ରୁ ୩୦ ମାମଲା ନଜରକୁ ଆସୁଥିବାବେଳେ କ୍ରମଶଃ ଏହା ଅଧିକରୁ ଅଧିକ ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ ଡେଙ୍ଗୁ ସଂକ୍ରମିତଙ୍କ ୯୦% ଆକ୍ରାନ୍ତ କେବଳ ରାଜଧାନୀରୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ତଗତ ତଥ୍ୟରୁ ପ୍ରକାଶ ପାଇଛି । ଏହି ଭିତରେ ଭୁବନେଶ୍ୱର ଅଞ୍ଚଳରୁ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ବିଏମସି ଉତ୍ତର ଜୋନ୍ ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ୧୫ ବର୍ଷର ନାବାଳକ ଚଳିତବର୍ଷ ଡେଙ୍ଗୁରେ ପ୍ରଥମେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ । ସେମାବାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଶୈଳଶ୍ରୀ ବିହାରରେ ମୃତ୍ୟୁବରଣ କରିଥିବା ବାଳକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଅଥବା ଅନ୍ୟକିଛି କାରଣ ରହିଛି ତାହା ଜାଣିବାକୁ ବିଏମସି ପକ୍ଷରୁ ତନାଘନା ଜାରି ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି । ବିଏମ୍‌ସି କମିଶନର ସଞ୍ଜୟ ସିଂହ ମଧ୍ୟ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ନେଇ କୌଣସି ଖବର ନାହିଁ । ଦୈନିକ ସର୍ଭିଲାନ୍ସ ଚାଲିଛି । ସୋମବାର ସୁଦ୍ଧା ବିଏମ୍‌ସି ୪୫୦ରୁ ଅଧିକ ଘରେ ସର୍ଭିଲାନ୍ସ କରିଛି ।

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ଅଧିକ ରହିଛି । ଏବେ ଡେଙ୍ଗୁ ମୃତ୍ୟୁ ନେଇ ଖବର ପ୍ରସାରଣ କରାଯିବା ପରେ ବିଏମ୍‌ସି ମୃତ ବୋଲି ଅଭିଯୋଗ ହୋଇଥିବା ସମ୍ପୃକ୍ତ ନାବାଳକଙ୍କ ଘରକୁ ଯାଇଛି । ତଦନ୍ତ ପରେ ତାହା ଡେଙ୍ଗୁ ଜନିତ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିକଟରୁ ହସ୍ତଗତ ତଥ୍ୟ ମୁତାବକ, ଏଯାବତ୍ ସହରର ପ୍ରାୟ ୪୯୦୧ ଘରକୁ ସର୍ଭେଲାନ୍ସକୁ ଅଣାଯାଇ ପାରିଛି । ଯେଉଁଥିରେ ୨୦୩୫୦ଜଣ ନାଗରିକ ସାମିଲ ହୋଇଛନ୍ତି । ଏଯାବତ୍ ୪୬୯ ସ୍ଥାନରୁ ଲାର୍ଭା ମିଳିସାରିଥିବାବେଳେ ୧୧୩୪ ସ୍ଥାନରେ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଶେଷ କରି ଯେଉଁ ଅଞ୍ଚଳରେ ମାମଲା ଚିହ୍ନଟ ହେଉଛନ୍ତି, ସେଠାରେ ସର୍ଭେଲାନ୍ସ ବଢ଼ାଯାଉଛି । ୬୭ ୱାର୍ଡରେ ନଜର ରଖିବା ପାଇଁ ସେଗୁଡ଼ିକୁ ଭାଗ ଭାଗ କରାଯାଇ ସ୍ୱତନ୍ତ୍ର ନୀରିକ୍ଷଣ ଟିମ୍‌କୁ ଆଲର୍ଟ କରାଯାଇଛି । ଭୁବନେଶ୍ୱର ଅଞ୍ଚଳରେ ପୂର୍ବରୁ ମଧ୍ୟ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବାର ନଜିର ରହିଛି । ହେଲେ ତା’କୁ ରୋକିବା ଦିଗରେ ସେସମୟରେ ବିଏମ୍‌ସି ପର୍ଯ୍ୟାପ୍ତ ପଦେକ୍ଷପ ନେଇଛି । ଫଳସ୍ୱରୁପ ତାର ସଫଳ ମୁକାବିଲା ମଧ୍ୟ କରାଯାଇପାରିଛି । ହେଲେ ବର୍ତ୍ତମାନ କରୋନା ମୁକାବିଲା ସହ ଡେଙ୍ଗୁ ମୁକାବିଲା କରିବା ବିଏମ୍‌ସି ପାଇଁ ବଡ଼ ଆଡ୍ୱାନ ପାଲଟିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking