30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଫୁଲୁଛି ଦୟା, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା 

ଫୁଲୁଛି ଦୟା, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା 

କଣାସ :  କଣାସ ବ୍ଲକ୍‌ରେ ପ୍ରବାହିତ ହେଉଥିବା ଦୟାନଦୀ ଓ ତା ଶାଖାନଦୀ ରାଜୁଆ, ମକରା, କାଣିଆ, ଲୁଣାରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । କଣାସଠାରେ ଦୟାନଦୀର ବିପଦ ସଙ୍କେତ ୩.୯୯ ମି. ଥିବାବେଳେ ଏହା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡିଛି । ଦୟାନଦୀର ଗଡମାଟିଆପଡା ଏବଂ ତିରିମଲ୍ଲ ନିକଟରେ ହୋଇଥିବା ଘାଇ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ମାଟିଆପଡା ଠାରେ ହୋଇଥିବା ଘାଇ ଯୋଗୁଁ ପାଣ୍ଡିଆକେରା ପଞ୍ଚାୟତର ନୂଆସାହି, ଗଡମାଟିଆପଡା, ବଗିପଡା, ଘରଛିଆ, ପାଣ୍ଡିଆକେରା, ଶିମିଳିପାଟଣା, ବେହେଣ୍ଟା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗଡବଡପୁଟ ପଞ୍ଚାୟତର ଗଡବଡପୁଟ, ବୀରକେଶରପୁର, ବାରଦା, ବାଦଲପୁର, ତିଗିରିଆ, ଡେଲାଙ୍ଗ  ଚାରିପଡା, ଜୋରକଣି, ପାଣ୍ଡିଆବିରୀ  ଗ୍ରାମ ବୁଡିରହିଛି । ପ୍ରତ୍ୟେକ ଗ୍ରାମର ଦାଣ୍ଡରେ ୫ଫୁଟ୍‌ରୁ ଊର୍ଦ୍ଧ୍ୱ ଜଳସ୍ରୋତ ଛୁଟିଥିବା ବେଳେ ଘରେ ଗରେ ୩ରୁ ୪ ଫୁଟ୍ ଉଚ୍ଚର ପାଣି ପଶିଛି ।  ୩ଦିନ ହେଲା ବନ୍ୟାକ୍ଳିଷ୍ଟ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗକରୁଛନ୍ତି । ବନ୍ୟାକ୍ଳିଷ୍ଟ ଲୋକଙ୍କ ଘରେ ୩ଦିନ ହେଲା ଚୁଲି ଜଳୁନାହିଁ । ପ୍ରଶାସନ ପକ୍ଷରୁ ଚୂଡା, ଗୁଡ, ପାଣିବୋଲ ଯୋଗାଇ ଦିଆଯାଇଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ମାଟିଆପଡାଠାରେ ହୋଇଥିବା ଘାଇ ଯୋଗୁ ନୂଆସାହି, ଗଡମାଟିଆପଡା, ଘରଛିଆ ଗ୍ରାମର ଲୋକମାନେ ଘରୁ କୁଟାଖିଅଟିଏ ମଧ୍ୟ ଉଦ୍ଧାର କରିପାରି ନାହାନ୍ତି । ଧାନ, ଚାଉଳ, ବାସନ-କୁସନ, ଲୁଗାପଟା ଏପରିକି ଘରେ ଥିବା ମଟରସାକେଲ୍ ମଧ୍ୟ ଘାଇର ଜଳସ୍ରୋତରେ ଭସିଯାଇଛି । ତ୍ରିଲୋଚନପୁରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତା ଉପରେ ଗଡବଡପୁଟ ନିକଟରେ ୪ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।
ସେହିପରି କଣ୍ଟି ଓ ମାଧିପୁର କାଜ ଦେଇ ୨ଫୁଟ୍‌ରୁ ଊର୍ଦ୍ଧ୍ୱ ବନ୍ୟାଜଳ ୪ଦିନ ହେଲା ନିର୍ଗତ ହେଉଥିବାରୁ ଡେଲାଙ୍ଗ ବ୍ଲକ୍‌ର ୮ଟି ପଞ୍ଚାୟତକୁ ବୁଡାଇ ଆଜି ଡେଲାଙ୍ଗ – କଣାସ ରାସ୍ତାର ବେନୁପଡାଠାରୁ ମୁନିଦା ପର୍ଯ୍ୟନ୍ତ ୨ରୁ ୩ ଫୁଟ୍ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି । ଏହି ଜଳ ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ କଣାସ ବ୍ଲକ୍‌ର ତ୍ରିଲୋଚନପୁର, କଣାସ, ସିରେଇ, ବିଜିପୁର, ଅଣ୍ଡାଳସିଂହ, ବିନ୍ଧଣ, ଗଡସାହି, ଖଣ୍ଡହତା, ଆଳିବାଡ, ଯାମଳଗୋଦା, ଗଡିଶାଗୋଦା ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ବୁଡାଇ ଚିଲିକାରେ ପହଞ୍ଚିବ । ନଦୀଜଳ ବୃଦ୍ଧିପାଉଥିବାରୁ ଏହି ଜଳ ନିଷ୍କାସନ ପାଇଁ ମାସ ମାସ ସମୟ ଲାଗିବାକୁ ଥିବାରୁ ଉକ୍ତ ଅଞ୍ଚଳର ଲୋକମାନଙ୍କ ଦୁର୍ଦ୍ଦଶା  ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking