28.1 C
Bhubaneswar
Saturday, April 27, 2024
Homeଓଡିଶାଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା : ଏବେ ବି ଫେସବୁକ୍‌ରୁ ଚାଟିଂ କରୁଛନ୍ତି ମାୟାବିନୀ

ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲା : ଏବେ ବି ଫେସବୁକ୍‌ରୁ ଚାଟିଂ କରୁଛନ୍ତି ମାୟାବିନୀ

ଭୁବନେଶ୍ୱର: ଯାହା ସନ୍ଦେହ କରାଯାଉଥିଲା ସେଇଆ ହିଁ ବାହାରିଲା । ଶେଷରେ ଚାନ୍ଦିପୁର ଡିଆର୍‌ଡିଓ ଆଇଟିଆର୍‌ରୁ ତଥ୍ୟ ଲିକ୍ ମାମଲାରେ ପାକିସ୍ତାନର ଲିଙ୍କ୍ ସାମ୍ନାକୁ ଆସିଲା । ଗିରଫ ଅଭିଯୁକ୍ତଙ୍କ ପାଖକୁ ଆସିଥିବା ଫେସବୁକ୍ ମେସେଜ୍ ପାକିସ୍ତାନରୁ ହିଁ ଅପରେଟ୍ କରାଯାଇଛି । ଏମିତିକି ସନ୍ଦିଗ୍ଧ ମାୟାବିନୀଙ୍କ ୭ଟି ଆକାଉଣ୍ଟରୁ ୪ଟି ଆକାଉଣ୍ଟ ପାକିସ୍ତାନରୁ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି । ତେବେ ୩ଟି ଆକାଉଣ୍ଟ ପାକିସ୍ତାନ ଇସଲାମାବାଦ୍‌ରୁ ଅପରେଟ୍ ହୋଇଥିବାବେଳେ ଗୋଟିଏ ଆକାଉଣ୍ଟ ରାୱାଲପିଣ୍ଡିରୁ ଅପରେଟ୍ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ମାୟାବିନୀ ନିଜର ପରିଚୟ ଗୋପନ ରଖିବା ପାଇଁ ପ୍ରୋକ୍ସି ଆଇପି(ଇଣ୍ଟରନେଟ୍ ପ୍ରୋଟୋକଲ୍‌) ଆଡ୍ରେସ୍ ବ୍ୟବହାର କରିଥିଲେ ।

ଯାହାଦ୍ୱାରା ସେ ତାଙ୍କର ଉପସ୍ଥିତି ଗୋଟିଏ ଦେଶରୁ ଅନ୍ୟଦେଶରେ ଥିବା ଦେଖାଇପାରିଥିଲେ । ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରକୃତ ସତ ବାହାର କରିଛି । ମାୟାବିନୀ ଜଣକ ପାକିସ୍ତାନରେ ଥାଇ ପ୍ରୋକ୍ସି ଆଇପି ଆଡ୍ରେସ୍ ବ୍ୟବହାର କରି ଅଭିଯୁକ୍ତଙ୍କ ସହ ଚାଟିଂ କରୁଥିଲେ । ବିଶେଷକରି ଧରାନପଡ଼ିବା ପାଇଁ ଏହି ଉପାୟ ଆପଣାଇଥିଲେ । ସେ ଭାରତ ସମେତ ଜର୍ମାନୀ, ଆମେରିକା, ବ୍ରିଟେନ୍‌ର ପ୍ରୋକ୍ସି ଆଇପି ଆଡ୍ରେସ୍ ବ୍ୟବହାର କରୁଥିଲେ । ଏମିତିକି ସମ୍ପୃକ୍ତ ମାୟାବିନୀ ମହିଳାଙ୍କ କେତୋଟି ଆକାଉଣ୍ଟ ଏବେ ସକ୍ରିୟ ରହିଛି । ଏହି ଆକାଉଣ୍ଟ ଜରିଆରେ ସେ ଲୋକଙ୍କ ସହ ଚାଟିଂ କରୁଛନ୍ତି । ଖାଲି ଏତିକି ନୁହେଁ, ସେମାନଙ୍କୁ ନିଜ ହନିଟ୍ରାପ୍‌ରେ ଫସାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ମାୟାବିନୀର ଫେସବୁକ୍ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ତଦନ୍ତକାରୀ ଟିମ୍ ଫେସବୁକ୍ ସମେତ ‘ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌’ର ସାହାଯ୍ୟ ନେଇଛି ।

ମାୟାବିନୀ ତାଙ୍କ ଫେସବୁକ୍ ଚାଟିଂରୁ ଅନେକ ମେସେଜ୍ ଡିଲିଟ୍ କରିଦେଇଥିବା ଟେକ୍‌ନିକାଲି ଯାଞ୍ଚରୁ ଜଣାପଡ଼ିଛି । ଏମିତିକି ମାୟାବିନୀ ପାକିସ୍ତାନରେ ରହି ସେଠାରୁ ଚାଟ୍ କରୁଥିବାର ମଧ୍ୟ କିଛି ପ୍ରମାଣ ମିଳିଛି । ଡିଲିଟ୍ ହୋଇଥିବା କିଛି ଚାଟ୍ ହିଷ୍ଟ୍ରିକୁ ରିକୋଭରି କରାଯାଇଛି। ସେଥିରେ ଡିଆରଡିଓର କିଛି ତଥ୍ୟ ସେୟାର କରାଯାଇଛି । ଏସମ୍ପର୍କିତ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ଗିରଫ ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତେବେ ମାୟାବିନୀ ଫେସବୁକ ପାକିସ୍ତାନରୁ ଅପରେଟ୍ କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ବି ତାଙ୍କ ପରିଚୟ ମିଳିପାରିନାହିଁ । ସମ୍ପୃକ୍ତ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଧରିବା ପାଇଁ ଚେଷ୍ଟା କରୁଥିଲେ ବି ଟେର୍ ପାଉନି । ସୂଚନା ଅନୁଯାୟୀ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାୱାଲପିଣ୍ଡି ଠାରେ ପାକିସ୍ତାନ ସେନାର ଅଫିସ୍ ରହିଛି । ସେନାର ଗୁଇନ୍ଦା ସଂସ୍ଥା ଚାନ୍ଦିପୁରରୁ ତଥ୍ୟ ଚୋରି କରିବା ପାଇଁ ଏଭଳି ଉପାୟ ଆପଣାଇଛି ।

ସେହିପରି ଇସଲାମାବାଦ୍‌ରେ ଆଇଏସ୍‌ଆଇର ମୁଖ୍ୟାଳୟ ରହିଛି । ତେଣୁ ଏଠାରୁ କେହି ଏହି ଫେସବୁକ୍ ଅପରେଟ୍ କରୁଥିବା ଜଣାପଡ଼ିଛି । ପାକିସ୍ତାନ ଭାରତ ସହ ଯୁଦ୍ଧ କରିବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇରହୁଛି । ଏଥିପାଇଁ ଭାରତର କ୍ଷେପଣାସ୍ତ୍ର, ପ୍ରତିରକ୍ଷା ସମ୍ପର୍କିତ ଗବେଷଣା ତଥ୍ୟ ଚୋରି କରିବାକୁ ଉଦ୍ୟମ କରୁଛି । ଏନେଇ ପାକିସ୍ତାନ ତା’ର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସକ୍ରିୟ କରି ଏଭଳି କାମରେ ଲଗାଉଛି । ହନିଟ୍ରାପ କରି ଡିଆର୍‌ଡିଓ ଅଧିକାରୀ ଓ କର୍ମଚାରୀଙ୍କୁ ଫସାଇ ତଥ୍ୟ ଚୋରି କରିନେଉଛି । ପୂର୍ବରୁ ପାକିସ୍ତାନ ଆଇଏସ୍‌ଆଇ ଡିଆର୍‌ଡିଓର ଜଣେ ଇଞ୍ଜିନିୟରଙ୍କୁ ହନିଟ୍ରାପରେ ଫସାଇଥିଲା । ତାଙ୍କ ଠାରୁ କ୍ଷେପଣାସ୍ତ୍ର ‘ପୃଥ୍ୱୀ’ ସମ୍ପର୍କିତ ତଥ୍ୟ ଚୋରି କରି ନେଇଥିବା ସନ୍ଦେହ କରାଯାଉଛି । ଏଭଳି କରିବା ପାଇଁ ପ୍ରୋକ୍ସି ଆଇପି ଆଡ୍ରେସ୍ ଅଧିକା ବ୍ୟବହାର କରାଯାଉଛି । ଏହି ଆଇପି ଆଡ୍ରେସ୍ ଅତି ସହଜରେ ଇଣ୍ଟରନେଟ୍‌ରେ ଉପଲବ୍ଧ ରହୁଛି । ଏମିତିକି କେତେକ ସଂସ୍ଥା ଏଭଳି ସେବା ଯୋଗାଉଥିବା ଦେଖିବାକୁ ମିଳିଛି । ଏହି ଆଡ୍ରେସ୍ ଜରିଆରେ ଜଣେ ଅତି ସହଜରେ ଅନ୍ୟଜଣଙ୍କୁ ଠକିପାରିବ ।

ଆଇପି ଆଡ୍ରେସ୍ କହିବାକୁ ଗଲେ , ଆମ ଘରର ଠିକଣା ଯେମିତି ରହିଛି । ସେଭଳି ଇଣ୍ଟରନେଟ୍ ବ୍ୟବହାର ବେଳେ ଆମକୁ ଏକ ଆଇପି ଆଡ୍ରେସ୍ ମିଳେ । ଏହି ଆଡ୍ରେସ୍ ନେଇ ସର୍ଭିସ୍ ପ୍ରୋଭାଇଡର୍ ସଂସ୍ଥା ପାଖକୁ ଗଲେ, ସେ ୟୁଜର କିଏ, ତା’ର ସ୍ଥିତି ଓ ଠିକଣା ସମ୍ପର୍କରେ ସୂଚନା ଦେଇଦେବେ । ହେଲେ ଆମେ ଯଦି ‘ପ୍ରୋକ୍ସି’ ଆଇପି ଆଡ୍ରେସ୍ ବ୍ୟବହାର କରିବା, ତା’ହେଲେ ଆମ ଠିକଣା ସମ୍ପର୍କରେ ଠିକ୍ ସୂଚନା ମିଳିପାରିବ ନାହିଁ । ଉଲ୍ଲେଖଯୋଗ୍ୟ, ଆଇଟିଆର୍ ତଥ୍ୟ ଲିକ୍ ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବସନ୍ତ ବେହେରା, ଶେଖ୍ ମୁସାଫି, ତାପସ ରଞ୍ଜନ ନାୟକ, ହେମନ୍ତ କୁମାର ମିସ୍ତ୍ରୀ ଓ ସଚିନ୍ କୁମାର ଛେତା । କ୍ରାଇମବ୍ରାଞ୍ଚ ଏମାନଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବାରୁ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking