40.1 C
Bhubaneswar
Thursday, April 25, 2024
Homeଓଡିଶାଏଣିକି +୨ ପରୀକ୍ଷା ପରିଚାଳନାରେ ହେବ ସଂସ୍କାର

ଏଣିକି +୨ ପରୀକ୍ଷା ପରିଚାଳନାରେ ହେବ ସଂସ୍କାର

ଆରମ୍ଭହେବ ‘ରିମୋଟ ଆକ୍ସସେସ୍ କନେକ୍ଟିଭିଟି’
ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର ଆଣିବା ସହ ମାନବସମ୍ବଳ ଓ ଅଯଥା ଆର୍ôଥକ ଅପଚୟକୁ ରୋକିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ନୂଆ ତରିକା ଆପଣେଇଛି । କରୋନା ଯୋଗୁଁ ଯେଉଁ ସମସ୍ୟା ଲାଗି ରହିଛି ଯଦି ସେଥିରେ ସୁଧାର ଆସେ ତେବେ ୨୦୨୨-୨୩ ଯୁକ୍ତଦୁଇ ପରୀକ୍ଷାରେ ଗଣ ଶିକ୍ଷା ବିଭାଗ ରାଜ୍ୟରେ ପ୍ରଥମଥର ପାଇଁ ‘ରିମୋଟ ଆକ୍ସସେସ୍ କନେକ୍ଟିଭିଟି’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଯାହାଫଳରେ ଯୁକ୍ତଦୁଇ ପରୀକ୍ଷାରେ ସଂସ୍କାର ଆସିବା ସହ କପି ରୋକାଯାଇ ପାରିବ ବୋଲି ବିଭାଗ ଯୁକ୍ତି ବାଢ଼ିଛି । ଏହି ବ୍ୟବସ୍ଥାରେ ସର୍ବାଧିକ ସଂସ୍କାର ଆସିବା ସହ ପରୀକ୍ଷାରେ ମଧ୍ୟ ସର୍ବାଧିକ ସ୍ୱଚ୍ଛତା ରହିବ ବୋଲି ଜଣାପଡ଼ିଛି ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ୨୦୬୦ଟି ଜୁନିୟର କଲେଜ ଏବଂ ୨୧୪ଟି ଧନ୍ଦାମୂଳକ ଶିକ୍ଷା କଲେଜ ରହିଛି । ଆଗକୁ ପରୀକ୍ଷା ପରିଚାଳନାରେ ବ୍ୟାପକ ସଂସ୍କାର ଆଣିବା ଲାଗି ପରୀକ୍ଷାକେନ୍ଦ୍ରରେ ସିସି ଟିଭି, ଚତୁଃସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା, ହବ୍ କେନ୍ଦ୍ର, ପ୍ରଶ୍ନପତ୍ର ସୁରକ୍ଷା ଲାଗି ପ୍ରତିବର୍ଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଏନେଇ ମଧ୍ୟ ୩୦ରୁ ୩୫ଲକ୍ଷ ଟଙ୍କା ବ୍ୟୟ ହେଉଛି । ବିଶେଷକରି ପରୀକ୍ଷାକେନ୍ଦ୍ର ଗୁଡିକରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଲାଗି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପରୀକ୍ଷାକେନ୍ଦ୍ରରେ କପି ଯେପରି ରୋକାଯାଇପାରିବ ଏବଂ ରାଜ୍ୟରେ ଜିରୋ ରେଜଲ୍ଟ ମିଶନ ସଫଳ ହେବ ସେଥିପାଇଁ ଚଳିତବର୍ଷ ବିଭାଗ କଡ଼ାପଦକ୍ଷେପ ଗ୍ରହଣ କରାଯାଇଛି ।

ସେଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ କରାଯିବା ସହ ରାଜ୍ୟର ସବୁ ପରୀକ୍ଷାକେନ୍ଦ୍ରଗୁଡିକର ସ୍ଥିତି କେବଳ ଗୋଟିଏ ସ୍ଥାନରେ ବସି ଅନୁଧ୍ୟାନ କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପରିଷଦର ଅଧିକାରୀଙ୍କ ସମେତ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଗୋଟିଏ ସ୍ଥାନରେ ବସି ସବୁ ପରୀକ୍ଷାକେନ୍ଦ୍ରର ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ । ‘ରିମୋଟ ଆକ୍ସସେସ୍ କନେକ୍ଟିଭିଟି’ ବ୍ୟବସ୍ଥା ଯଦି କାର୍ଯ୍ୟକାରୀ ହୁଏ ତେବେ ଏହା ଦେଶରେ ମଧ୍ୟ ପ୍ରଥମ ବ୍ୟବସ୍ଥା ଭାବେ ମାନ୍ୟତା ହାସଲ କରିବ । ଏହି ବ୍ୟବସ୍ଥାରେ +୨ ପରିଷଦ କାର୍ଯ୍ୟାଳୟ ପରିସରରେ ୨୫୦ଟି ମନିଟର ରଖାଯିବ । ସମସ୍ତ ପରୀକ୍ଷାକେନ୍ଦ୍ରଗୁଡିକରେ ସିସି କ୍ୟାମେରା ଥିବାବେଳେ ସେସବୁର ଆଇଡି ପାର୍ସ ୱାର୍ଡ ପରିଷଦ ପାଖରେ ରଖାଯିବ ।

୨୫୦ଟି ମନିଟର ମାଧ୍ୟମରେ ୧୦୫୦ଟି ପରୀକ୍ଷାକେନ୍ଦ୍ରର ସମ୍ପୂର୍ଣ୍ଣ କାର୍ଯ୍ୟ ଅଧିକାରୀମାନେ ଗୋଟିଏ ଯାଗାରେ ଦେଖିପାରିବେ । ଏହାଦ୍ୱାରା ପୂର୍ବରୁ ଅଧିକାରୀମାନଙ୍କ ସ୍କ୍ୱାର୍ଡ ବାବଦରେ ଏବଂ ଗାଡି ଲାଗି ଯେଉଁ ସବୁ ଅର୍ଥ ବ୍ୟୟ ହେଉଥିଲା ତାହା ରୋକାଯିବା ସହ ପରୀକ୍ଷାର ସିଧାପ୍ରସାରଣକୁ ଅଧିକାରୀମାନେ ତଦାରଖ କରିବେ । ଏହାବ୍ୟତୀତ ଯେଉଁସବୁ କଲେଜରେ ସିସି କ୍ୟାମେରା ନଥିବ ସମ୍ପୃକ୍ତ କଲେଜକୁ ପରୀକ୍ଷାକେନ୍ଦ୍ରରୁ ବାଦ୍ ଦିଆଯିବ । ସେହିଭଳି ପରୀକ୍ଷା ଚାଲିବା ସମୟରେ ଯଦି କୌଣସି କଲେଜର ସିସି କ୍ୟାମେରା ବନ୍ଦ ହୋଇଯାଏ କିମ୍ବା ତ୍ରୁଟି ପରିଲିଖିତ ହୁଏ ତେବେ ସମ୍ପୃକ୍ତ କେନ୍ଦ୍ରର ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ‘ରିମୋଟ ଆକ୍ସସେସ୍ କନେକ୍ଟିଭିଟି’ ବ୍ୟବସ୍ଥା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ମଧ୍ୟ ଏକ ଟେକ୍ନିକାଲ କମିଟି ଗଠନ କରାଯିବ । କମିଟିର ୪ଜଣ ଟେକ୍ନିସିଆନ୍ ପରୀକ୍ଷା ଆରମ୍ଭ ସମୟରେ ପରିଷଦରେ ଉପସ୍ଥିତ ରହିବେ । ତେବେ ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଶ୍ରେଣୀରେ ପରୀକ୍ଷାର ଯାଞ୍ଚ କରାଯିବା ସହ ସମସ୍ତ କ୍ଲିପ୍ ରେକଡିଂ ମଧ୍ୟ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking