30.1 C
Bhubaneswar
Monday, May 6, 2024
Homeଓଡିଶାସୁନ୍ଦରଗଡ଼ରେ ଆନ୍ଦୋଳନରତ ମହିଳାଙ୍କ ଗିରଫଦାରୀକୁ ସିପିଆଇର ନିନ୍ଦା

ସୁନ୍ଦରଗଡ଼ରେ ଆନ୍ଦୋଳନରତ ମହିଳାଙ୍କ ଗିରଫଦାରୀକୁ ସିପିଆଇର ନିନ୍ଦା

ଭୁବନେଶ୍ୱର:ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅନ୍ତର୍ଗତ ବାଙ୍କିବାହାଲ ଟପରିଆ ଅଞ୍ଚଳର କନ୍ଦାଧୂଡ଼ାଠାରେ ମହାନଦୀ କୋଲ୍ ଫିଲ୍‌ଡର (ଏମସିଏଲ) କୋଇଲା ପରିବହନ ଫଳରେ ସର୍ବସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ଓ ପରିବେଶ ପ୍ରଦୂଷଣ ବିରୋଧରେ ଆନ୍ଦୋଳନରତ ୨୪ଜଣ ମହିଳାଙ୍କ ଗିରଫଦାରୀ ଓ ଥାନାରେ ଶିଶୁମାନଙ୍କ ଅଟକ ଘଟଣାକୁ ସିପିଆଇ ନିନ୍ଦା କରିଛି ।
ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଏକ ପ୍ରେସ୍ ବିବୃତିରେ କହିଛନ୍ତି– ଏହି ଆନ୍ଦୋଳନର ନେତା ରାଜେନ୍ଦ୍ର ନାୟକଙ୍କ ସମେତ ଶତାଧିକ ପୁରୁଷ ଓ ମହିଳାଙ୍କୁ ଗତମାସରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ପୂର୍ବରୁ ହେମଗିରି ପୋଲିସ ଗିରଫ କରିଥିଲା । ଏକମାସ ନ ବିତୁଣୁ ସିପିଆଇର ଜିଲ୍ଲା ପରିଷଦ ସଭ୍ୟା ପୂରବୀ ନାୟକଙ୍କ ସମେତ ୨୪ଜଣ ଆନ୍ଦୋଳନକାରୀ ମହିଳାଙ୍କୁ ଗିରଫ କରିବା ପ୍ରତିଶୋଧ ପରାୟଣ ମାନସିକତାର ପରିଚୟ ଦିଏ ।
ଘଟଣାରୁ ପ୍ରକାଶ ଯେ, ବାଙ୍କିବାହାଲ-ଟପରିଆ ରାସ୍ତାରେ ୧୩ଟି ଗାଁ ମଝିରେ ପ୍ରତିଦିନ ହଜାର ହଜାର କୋଇଲା ବୋଝେଇ ଟ୍ରକ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଯାତାୟାତ କରିବା ଫଳରେ ପିଲାମାନେ ନିରାପଦରେ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ନ ପାରିବା ସହିତ ସାଧାରଣ ଜୀବନଯାତ୍ରାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ରାଜ୍ୟ ମାନବିକ ଅଧିକାର କମିଶନ ଏହି କୋଇଲା ପରିବହନକୁ ବିକଳ୍ପ ରାସ୍ତାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ଓଡ଼ିଶା ହାଇକୋର୍ଟ ଏମସିଏଲ ସ୍ୱତନ୍ତ୍ର କୋଇଲା କରିଡର ନିର୍ମାଣ କରିବା ପାଇଁ ମଧ୍ୟ ୨୦୧୮ରୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ମାତ୍ର ଏହା ସତ୍ତ୍ୱେ ୧୩ଟି ଗାଁ ମଝିରେ ପ୍ରତିଦିନ ହଜାର ହଜାର ଟ୍ରକ ଚାଲିଛି । ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଲେ ସେମାନଙ୍କୁ ବାରମ୍ବାର ଗିରଫ କରି ଜେଲ୍‌କୁ ପଠାଯାଉଛି ।
ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କୋଇଲା ଠିକାଦାରମାନଙ୍କ ପୃଷ୍ଠପୋଷକତା ନ କରି ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ସିପିଆଇ ରାଜ୍ୟ ସମ୍ପାଦକ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking