34.1 C
Bhubaneswar
Saturday, May 18, 2024
Homeଓଡିଶାଆଦର୍ଶ ଆଚରଣବିଧି ନେଇ କଠୋର ହେଲେ ସିଇଓ; ୪୪୯ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆଦର୍ଶ ଆଚରଣବିଧି ନେଇ କଠୋର ହେଲେ ସିଇଓ; ୪୪୯ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଦର୍ଶ ଆଚରଣବିଧି ଲାଗୁ ନେଇ କଠୋର ହୋଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଅଭିଯୋଗ ଅଧାରରେ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୪ ମାର୍ଚ୍ଚ ୧୬ରୁ ମେ’ ୨ ମଧ୍ୟରେ ସର୍ବମୋଟ୍ ୫୪୮ ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଛି । ଏହା ମଧ୍ୟରୁ ୪୪୯ ଅଭିଯୋଗ ଉପରେ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି । ଅବଶିଷ୍ଟ ୯୯ ଅଭିଯୋଗ ଉପରେ ଚାଲିଛି ତର୍ଜମା । ଏହାପରେ ଜରୁରୀ ପଦକ୍ଷେପ ନିଆଯିବ ।  ଶୁକ୍ରବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି ଯେ ଦେଶରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହେବା ପରଠାରୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟକୁ ଏହାର ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅନେକ ଆପତ୍ତି ଅଭିଯୋଗ ଆସିଅଛି । ଏହି ଅଭିଯୋଗଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

 ଶ୍ରୀ ଧଳ କହିଛନ୍ତି ଯେ ଦେଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଗତ ମାର୍ଚ୍ଚ ୧୬ରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଓଡ଼ିଶାରେ ଲୋକସଭା ଓ ବିଧାନସଭା ଉଭୟ ନିର୍ବାଚନ ପାଇଁ ସେହି ଦିନରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଦର୍ଶ ଆଚରଣ ବିଧି ସମୟରେ ରାଜନୈତିକ ଦଳମାନଙ୍କ ଆଚରଣ, ରାଜନୈତିକ ସଭା, ରାଲି, ନିର୍ବାଚନୀ ଇସ୍ତାହାର (ମ୍ୟାନିଫେଷ୍ଟୋ), ମତଦାନ ଦିବସ, ମତଦାନ କେନ୍ଦ୍ର, କ୍ଷମତାସୀନ ଦଳଙ୍କ କାର୍ଯ୍ୟକଳାପ ଆଦି ବିଷୟରେ ବ୍ୟବହାର ନିର୍ଦ୍ଦିଷ୍ଟ କରାଯାଇଛି । କୌଣସି ସ୍ତର ଓ ବ୍ୟକ୍ତିଙ୍କ ଦ୍ୱାରା ଏହାର ଉଲ୍ଲଂଘନ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣଙ୍କ ତରଫରୁ ଅଭିଯୋଗ କରାଯାଉଛି । କିଛି କ୍ଷେତ୍ରରେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏହି ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ଆସିଛି । ବର୍ତ୍ତମାନସୁଦ୍ଧା ୪୪୯ ଅଭିଯୋଗ ଉପରେ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ।

 ଶ୍ରୀ ଧଳ କହିଛନ୍ତି ଯେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଅନୁପାଳନ ସହ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରାଥମିକତା ରହିଛି । ଏହି ବିଧିର ଉଲ୍ଲଂଘନ ପ୍ରତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଶୂନ୍ୟ ସହନଶୀଳତା ରହିଛି । ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶୃଙ୍ଖଳାଯୁକ୍ତ ନର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଗୌରବ । ସେଥି ପାଇଁ ନିର୍ବାଚନ ହେଉଛି ଆମର ଜାତୀୟ ମହୋତ୍ସବ । ମତଦାନ ଦ୍ୱାରା ସମସ୍ତେ ଏହି ମହୋତ୍ସବରେ ସାମିଲ ହେବା ଉଚିତ । ଏହା ବ୍ୟତୀତ ସି-ଭିଜିଲ୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ବହୁସଂଖ୍ୟକ ଅଭିଯୋଗ ଆଣୁଛନ୍ତି ଓ ଶୀଘ୍ର ସେସବୁର ସମାଧାନ ମଧ୍ୟ କରାଯାଉଛି । ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ଏକ ଶୃଙ୍ଖଳାପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରାଯାଉଛି । ସମସ୍ତ ମତଦାତା ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking