29.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱାଭିମାନ ଅଞ୍ଚଳରେ ଚାଲିବ ବୋଟ୍ ଆମ୍ବୁଲାନ୍ସ

ସ୍ୱାଭିମାନ ଅଞ୍ଚଳରେ ଚାଲିବ ବୋଟ୍ ଆମ୍ବୁଲାନ୍ସ

ଓଡ଼ିଶାରେ ଦିଶିବନି ମାଓ କାର୍ଯ୍ୟକଳାପ
ଭୁବନେଶ୍ୱର:  ବିଏସ୍‌ଏଫ୍ ପାଇଁ ସାଧାରଣଲୋକେ ଏବେ ନକ୍ସଲଙ୍କ କବଳରୁ ମୁକ୍ତ ହେଉଛନ୍ତି । ଲୋକଙ୍କ ସୁରକ୍ଷା ଓ ସୁବିଧା ପାଇଁ ବିଏସ୍‌ଏଫ୍ ସଦାବେଳେ କାମ କରିଆସୁଛି । ଆସନ୍ତା ସାଧାରଣତନ୍ତ୍ର ଦିବସ ତଥା ଜାନୁଆରୀ ୨୬ ତାରିଖରେ ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ସୁବିଧା ପାଇଁ ବିଏସ୍‌ଏଫ୍ ପକ୍ଷରୁ ଏକ ବୋଟ୍ ଆମ୍ବୁଲାନ୍ସର ଶୁଭାରମ୍ଭ ହେବାକୁ ଯାଉଛି । ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଏହି ବୋଟ୍ କାର୍ଯ୍ୟ କରିବ । ଏହାଦ୍ୱାରା ନଦୀର ଦୁଇପାଶ୍ୱର୍ରେ ରହୁଥିବା ଜନସାଧାରଣ ସହଜରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଓଡ଼ିଶା ବିଏସ୍‌ଏଫ୍ ଆଇଜି ସତିଶ ଚନ୍ଦ୍ର ବୁଡ଼ାକୋଟି  କହିଛନ୍ତି । ବୁଧବାର ଓଡ଼ିଶା ମୁଖ୍ୟାଳୟରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୁଡ଼ାକୋଟି ଏହି ସୂଚନା ଦେଇଛନ୍ତି ।

ଏହି ଅବସରରେ ଆଇଜି ଶ୍ରୀ ବୁଡ଼ାକୋଟି କହିଛନ୍ତି ଯେ ନକ୍ସଲ ଦମନ କ୍ଷେତ୍ରରେ ବିଏସ୍‌ଏଫ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଓଡ଼ିଶାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ହେବାରେ ଲାଗିଛି । ଆଗାମୀ ଦିନରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ଆଉ ଦେଖିବାକୁ ମିଳିବନାହିଁ । ମାଲକାନଗିରିର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ କବଳରୁ ଲୋକମାନେ ମୁକ୍ତ ହୋଇଛନ୍ତି । ଏହି ସେତୁ ଯୋଗୁ ୧୫୧ଗ୍ରାମର ୩୦ହଜାର ଲୋକଙ୍କୁ ମୁଖ୍ୟସ୍ରୋତ ସହ ଯୋଡ଼ା ଯାଇପାରିଛି । ସେହିପରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସେତୁ, ରାସ୍ତା ଓ ଟାୱାର ତିଆରିରେ ରାଜ୍ୟ ସରକାରଙ୍କୁ ବିଏସ୍‌ଏଫ୍ ସହାୟତା କରିଛି ।

ପୂର୍ବରୁ ଗଞ୍ଜେଇ ଚାଷ ହେଉଥିବା ଜମିରେ ଏବେ ପନିପରିବା, ଚାଉଳ ଚାଷ ହେଉଛି । ସେହିପରି ମାଲକାନଗିରି ଜିଲ୍ଲାରେ ୨୦୧୮ରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବା ପରେ ଲୋକମାନେ ସହଜରେ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି । ନିକଟରେ ସ୍ୱାଭିମାନ ଅଞ୍ଚଳ ବଡ଼ପଦାରେ ୫୦ଶଯ୍ୟା ବିଶିଷ୍ଟ ଆଇସିୟୁ  ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏହାସହ ବିଏସ୍‌ଏଫ୍ ସହଯୋଗରେ ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଟାୱାର ଲଗାଯାଇଛି । ଯାହାଦ୍ୱାରା ଲୋକମାନେ ବାହାର ଦୁନିଆ ସହ ସହଜରେ ଯୋଡ଼ି ହୋଇପାରୁଛନ୍ତି । ଏଥିସହ ଟ୍ରାଇବାଲ୍ ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ ଜରିଆରେ ୨୦୧୯-୨୦ରେ ୨୫୦ ଏବଂ ୨୦୨୧-୨୦୨୨ରେ ୧୨୦ଜଣ ଯୁବକଙ୍କୁ ରାଜ୍ୟ ବାହାର ତଥା ରାଞ୍ଚି ଓ ହାଇଦ୍ରାବାଦକୁ ଭ୍ରମଣ କରିବାକୁ ନିଆଯାଇଛି । ୧୧ବର୍ଷର ସେବା ସମୟରେ ବିଏସ୍‌ଏଫ୍‌ର ଏକାଧିକ ଯବାନ ମାଓବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବାବେଳେ ୧୪ଜଣ ସାହସୀ ଅଫିସର ଓ ଯବାନ ସହିଦ ହୋଇଛନ୍ତି ।

କୋରାପୁଟ, ମାଲକାନଗିରିରେ ମାଓବାଦୀଙ୍କ କାର୍ଯ୍ୟକଳାପ ଲଗାତାର ଭାବେ ବୃଦ୍ଧି ହେବାରୁ ୨୦୧୦ରେ ଓଡିଶାରେ ବିଏସ୍‌ଏଫ୍ ମୁତୟନ ହୋଇଥିଲା । ସେତେବେଳେ ୫ଟି ବାଟାଲିଅନ ପ୍ରତିଷ୍ଠା ହୋଇଥିଲା । ଏବେ ଓଡ଼ିଶାରେ ୮ଟି ବାଟାଲିଅନ ହୋଇଗଲାଣି । ବିଏସ୍‌ଏଫ୍ ଏ ପର୍ଯ୍ୟନ୍ତ ୬୩ନକ୍ସଲଙ୍କୁ ଏନ୍‌କାଉଣ୍ଟର କରିଛି । ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ ୨୦୨୧ରେ ନିହତ କରାଯାଇଛି । ଏହାସହ ୭୯୦ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଆନ୍ଧ୍ର-ଓଡିଶା ଓ ଆନ୍ଧ୍ର-ଛତିଶଗଡ଼ ସୀମା ଉପରେ ଏବେବି କିଛି ନକ୍ସଲବାଦୀ ସକ୍ରିୟ ଅଛନ୍ତି । ପ୍ରତିଦିନ ଏସ୍‌ଓଜି ଯବାନଙ୍କ ସହ ବିଏସ୍‌ଏଫ୍ ମିଳିତ ଅପରେସନ ଓଡ଼ିଶାରେ ଜାରି ରଖିଛି । ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ବିଏସ୍‌ଏଫ୍ ଆଇଜିଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନାହାନ୍ତି । ଏମିତିକି କୌଣସି ସ୍ୱତନ୍ତ୍ର ପ୍ରସ୍ତୁତି ସମ୍ପର୍କରେ ସେ ସୂଚନା ଦେଇନାହାନ୍ତି । ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ କୌଣସି ନକ୍ସଲ ଭୟ ନଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking