ମୁମ୍ବାଇ: ଆଇପିଏଲ୍ ୨୦୨୪ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୯ ରନ୍ରେ ଜିତିନେଇଥିଲା । ତେବେ ମ୍ୟାଚ୍ ପରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟ୍କା ଲାଗିଛି । ଏହି ମ୍ୟାଚ୍ରେ ମନ୍ଥର ବୋଲିଂ କାରଣରୁ ହାର୍ଦ୍ଦିକଙ୍କୁ ବିସିସିଆଇ ୧୨ ଲକ୍ଷ ଟଙ୍କା ଜୋରିମାନା କରିଛି । ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି, ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅଧୀନରେ ଏହା ଚଳିତ ସିଜନ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଅପରାଧ ହୋଇଥିବାରୁ କ୍ୟାପ୍ଟେନ୍ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା କରାଯାଉଛି । ଏହା ପୂର୍ବରୁ ଏହି କାରଣ ଯୋଗୁଁ କେକେଆର୍ କ୍ୟାପ୍ଟେନ୍ ଶ୍ରେୟସ୍ ଆୟର୍, ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମ୍ସନ୍, ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍ଙ୍କ ଦଣ୍ଡିତ କରାଯାଇଛି ।