28.1 C
Bhubaneswar
Saturday, April 27, 2024
Homeଓଡିଶାବିଜେଡି - ସିପି ମୁହାଁମୁହିଁ

ବିଜେଡି – ସିପି ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଦ୍ୱୈତନଗରୀର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବେ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି । ବିଜେଡି ବନାମ କମିଶନର ବିବାଦ ତୀବ୍ରତର ହେଉଥିବା କୁହାଯାଉଛି । କମିଶନରଙ୍କ ପଦକ୍ଷେପ ଓ ମତକୁ ନେଇ ବିଜେଡି ମୁଖପାତ୍ର ସମାଲୋଚନା କରିବା ଫଳରେ ଉଭୟ ପକ୍ଷଙ୍କ ଭିତରେ ମତପାର୍ଥକ୍ୟ ସୃଷ୍ଟି ହୋଇଛି । ପରସ୍ପରର ମତକୁ ବିରୋଧ କରିବାରେ ଲାଗିଛନ୍ତି । ଏସପିଓ ନିଯୁକ୍ତି ସମୟରେ କମିଶନର ଯେଉଁ ମତ ରଖିଥିଲେ ତାକୁ ବିଜେଡି ମୁଖପାତ୍ର ବିରୋଧ କରିବାରୁ କମିଶନର ପାଲଟା ଜବାବ ରଖିଛନ୍ତି । ଫଳରେ କମିଶନରଙ୍କ ପାଇଁ ଏହି ଘଟଣା ଆଗକୁ ବିବାଦ ବଢ଼ାଉଛି କି କମାଉଛି ତାହା ଦେଖିବା କଥା । କାରଣ ବିଜେଡି ମୁଖପାତ୍ର କହିବା ଅର୍ଥ ଦଳ ବା ସରକାରଙ୍କ କଥା ବୋଲି ଧରାଯାଇଥାଏ । ଏଣୁ ସୁଧାଂଶୁଙ୍କ ପାଇଁ ସମସ୍ୟା ଆସିପାରେ ବୋଲି କୁହାଯାଉଛି । କିନ୍ତୁ ସୁଧାଂଶୁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ମହିଳା ଗୋଷ୍ଠୀ ତାଙ୍କ ସପକ୍ଷରେ ଯିବେ । ଏଥିନେଇ ଯଦି ତାଙ୍କ ବିରୋଧରେ ସରକାର କିଛି ପଦକ୍ଷେପ ନେବାକୁ ଚାହାଁନ୍ତି ତେବେ ଅଡୁଆରେ ପଡ଼ିବାର ସମ୍ଭାବନା ରହିଛି ।
କମିଶନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ଅବସରର ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଚାକିରିଠୁ ଆରମ୍ଭ କରି ରାସ୍ତାଘାଟ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିର୍ଯାତନା, ଦୁଷ୍କର୍ମ ଓ ଅପମାନିତ ହେବାର ଦେଖାଯାଉଛି । କିନ୍ତୁ ଅନେକ କଥା ମହିଳାମାନେ ଆଗକୁ ଆସି କହୁନାହାଁନ୍ତି । ଅଳ୍ପ କିଛି କଥା ପଦାକୁ ଆସୁଛି । ସେଥିପାଇଁ କମିଶନର ନୂଆ ପଦକ୍ଷେପ ନେଇ ମହିଳା ଏସପିଓ ନିଯୁକ୍ତ କରିଛନ୍ତି । ଏମାନେ କେବଳ ମହିଳାମାନଙ୍କ କଥା ଅନୁଧ୍ୟାନ କରିବେ । ଏପରି କି ସେମାନଙ୍କୁ ପୁଲିସ କ୍ଷମତା ମଧ୍ୟ କିଛି ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ କମିଶନର ଆଉ ପାଦେ ଆଗକୁ ଯାଇ ପୁରୁଷମାନଙ୍କୁ ଆକ୍ଷେପ କଲାଭଳି କିଛି ଟିପ୍ପଣି ଦେଇଥିଲେ । ଏଥିରେ କମିଶନର କହିଥିଲେ, ମହିଳାମାନେ କେବଳ ରୋଷେଇ ଘରେ ସୀମିତ ହୋଇ ରହିବେନି, ବାହାରକୁ ଆସିବେ । ଲିଙ୍ଗଭିତ୍ତିକ ସମ୍ବେଦନଶୀଳ ପୁଲିସ ବ୍ୟବସ୍ଥାରେ ମହିଳାଙ୍କୁ ସମାନ ଅଧିକାର ଦିଆଯିବା ନେଇ ସେ ଯୁକ୍ତି ବାଢ଼ିଥିଲେ । ତେଣୁ ପୁଅମାନେ ରୋଷେଇ ଶିଖିବା ଆବଶ୍ୟକ । ଯେଉଁ ପୁଅ ପିଲା ରୋଷେଇ ଶିଖି ନାହାଁନ୍ତି ସେମାନଙ୍କୁ ବିବାହ କରିବାକୁ ଯୁବତୀମାନେ ମନା କରିବା ଦରକାର ବୋଲି କମିଶନର କହିଥିଲେ ।
ଏହାକୁ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ତୀବ୍ର ବିରୋଧ କରିଛନ୍ତି । ଉଭୟ ମହିଳା ଏସପିଓ ନିଯୁକ୍ତି ଓ ପୁଅମାନେ ରୋଷେଇ ଶିଖିବା ଦରକାର କଥାକୁ ବିରୋଧ କରି ଶ୍ରୀ ମହାନ୍ତି ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁଠାରେ ଲିଙ୍ଗ ଭିତ୍ତିକ ସମାନତାର ପ୍ରଶ୍ନ ଉଠୁଛି ସେଠାରେ ପୁରୁଷଙ୍କୁ ଗୌଣ କରା ନ ଯାଉ । ୨୪୬ ମହିଳା ଏସପିଓଙ୍କ ସହିତ ୫୦ ଯୁବକଙ୍କୁ ଏସପିଓ ନିଯୁକ୍ତି ଦିଆଯିବା କଥା । ସମାଜର ଉତ୍‌ଥାନ ପାଇଁ ମହିଳାଙ୍କ ପ୍ରତି ଘଟୁଥିବା ହିଂସାକୁ ରୋକିବା କ୍ଷେତ୍ରରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ପୁରୁଷ ଏସପିଓ ମଧ୍ୟ ମହିଳାଙ୍କ ସହିତ ମିଶି ଏ ଦିଗରେ କାର୍ଯ୍ୟ କରିବେ । ଫଳରେ ଏହି ଯୋଜନାର ଅଧିକ ସ୍ୱଚ୍ଛତା ରହିବ ବୋଲି ସେ କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେଉଁ ଯୁବକ ରୋଷେଇ ଜାଣି ନାହାଁନ୍ତି ସେମାନଙ୍କୁ ଝିଅମାନେ ବିବାହ ନ କରିବା ଲାଗି ଯେପରି ମନ୍ତବ୍ୟ ଦେଇଛନ୍ତି ସେଥିରେ ଯୁବକଙ୍କ ବିବାହର ଏକ ମାପଦଣ୍ଡ ଧାର୍ଯ୍ୟ କରାଯାଇଛି । ମୁଁ ରୋଷେଇ ଜାଣିନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ମୁଁ ମହିଳାଙ୍କୁ ସମ୍ମାନ ଦିଏନାହିଁ । ଏହି ବାର୍ତ୍ତା ସମାଜରେ ଏକ ଭାରସାମ୍ୟ ଆଣିବା ବଦଳରେ ବିବାହଜନ ସୃଷ୍ଟି କରିବ । ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପାଇଁ ଅନେକ ନିୟମ କରାଯାଇଛି । ହେଲେ ପୁଲିସ ଦୁର୍ବ୍ୟବହା ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ବୋଲି ସେ କହିଛନ୍ତି ।
ଏହାର ଜବାବରେ କମିଶନର କହିଛନ୍ତି, ଆଦିମ କାଳରୁ ପୁରୁଷମାନେ ରୋଷେଇ ସମ୍ପର୍କରେ ଜାଣିଛନ୍ତି । କିନ୍ତୁ ମହିଳାଙ୍କୁ ହେୟଜ୍ଞାନ କରାଯିବା ଫଳରେ ଅନେକ ଅପରାଧ ସୃଷ୍ଟି ହେଉଛି ।
ଏହିପରି ବିଜେଡି ଓ କମିଶନରଙ୍କ ଭିତରେ ଟକରାଟକରି ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking