33.1 C
Bhubaneswar
Saturday, April 27, 2024
Homeଓଡିଶାଲୋୟର ସୁକତେଲ ପ୍ରକଳ୍ପ ପାଇଁ ବୈଠକ: ୨୦୧୩ ଆଇନର ସମକକ୍ଷ କ୍ଷତିପୁରଣ ସହ ତୁରନ୍ତ ପ୍ରକଳ୍ପ...

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବୈଠକ: ୨୦୧୩ ଆଇନର ସମକକ୍ଷ କ୍ଷତିପୁରଣ ସହ ତୁରନ୍ତ ପ୍ରକଳ୍ପ ଆରମ୍ଭ କରାଯାଉ- ନରସିଂହ

ବଲାଙ୍ଗିର: ଆଜି ଭୁବନେଶ୍ୱରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବଲାଙ୍ଗିରର ଜିବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦାବି ମୁତାବକ ଏହି ବୈଠକରେ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବ୍ୟତିତ ଜଳସେଚନ ବିଭାଗର ମନ୍ତ୍ରୀ ରଘୁ ନନ୍ଦନ ଦାଶ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିଲେ । ପୂର୍ବରୁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣ ଯେମିତି ସୁରୁଖୁରୁରେ ହେବ ସେ ଉପରେ ଏକ ବୈଠକ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସେଥିରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପ୍ରକଳ୍ପର କାମ ଯେପରି ଠିକ୍ ରେ ହେବ ଏବଂ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ପ୍ରତ୍ୟେକ ଲୋକ ଯେପରି ଭୂମି ଅଧିଗ୍ରହଣ ୨୦୧୩ ଆଇନ ସମକକ୍ଷ ଯେପରି କ୍ଷତିପୂରଣ ପାଇବେ ତାର ସମସ୍ତ ଦାୟିତ୍ୱ ବିଧାୟକ ନରସିଂହ ମିଶ୍ରଙ୍କୁ ଦିଆଯାଇଥିଲା । କିନ୍ତୁ ବିଧାୟକ ଶ୍ରୀ ମିଶ୍ରଙ୍କୁ କେବଳ ଦାୟିତ୍ୱ ଦେଇ ସରକାର କାମ ଆରମ୍ଭ କରିବା ପାଇଁ ଦରକାର ହେଉଥିବା ଅର୍ଥ ତଥା କ୍ଷତିପୂରଣ ରାଶି, ବିସ୍ଥାପିତଙ୍କ ଥଇଥାନ ଏ ସବୁ ଉପରେ ମୋଟେ ଧ୍ୟାନ ଦେଇନଥିଲେ । ଆହୁରି ମଧ୍ୟ ପ୍ରକଳ୍ପ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ କାମ ଚାଲୁ ନ ଥିବାରୁ ପ୍ରକଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମନରେ ଧିରେ ଧିରେ ଅସନ୍ତୋଷ ଦାନ ବାନ୍ଧୁଥିଲା ।
ଏଥି ପାଇଁ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ୟମ କ୍ରମେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଶ୍ରୀ ମିଶ୍ର ଦାବି ଜଣାଇଥିଲେ ଯେ ଯେହେତୁ ୨୦୧୩ ଭୂମି ଅଧିଗ୍ରହଣ ଆଇନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ତେଣୁ ବର୍ତ୍ତମାନ ପ୍ରକଳ୍ପ ପାଇଁ କ୍ଷତି ସହୁଥିବା ବିସ୍ଥାପିତଙ୍କୁ ସରକାର ୨୦୧୩ ଭୂମି ଅଧିଗ୍ରହଣ ଆଇନ ସମକକ୍ଷ କ୍ଷତିପୁରଣ ପ୍ରଦାନ କରୁ ଏବଂ ଯେତେ ଶିଘ୍ର ହେବ ପ୍ରକଳ୍ପ କାମ ଆରମ୍ଭ କରୁ । ସେ ଆହୁରି ମଧ୍ୟ କହିଥିଲେ ପ୍ରକଳ୍ପକୁ ବିଳମ୍ବ କରିବା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଲୋକଙ୍କ ମନ ଭିତରେ ଏକ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଛି । ଜଳସେଚନ ବିିହିନ ବଲାଙ୍ଗିର ଜିଲ୍ଲାର ଲୋକଙ୍କ ପାଇଁ ଲୋୟର ସୁକତେଲ ପ୍ରକଳ୍ପ ନିହାତି ଦରକାର । ତେଣୁ ସରକାର ଏ ଦିଗରେ ସକରାତ୍ମକ ଚିନ୍ତାଧାରା ଗ୍ରହଣ କରୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ବୈଠକରେ ଉପସ୍ଥିତ ଥିବା ବାଚସ୍ପତି, ଜଳସେଚନ ମନ୍ତ୍ରୀ ଉପରୋକ୍ତ ଦାବିକୁ ବହୁ ଶିଘ୍ର ସରକାରଙ୍କ ଆଗରେ ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେବା ସହ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ତତ୍ପରତା ସହ କାମ କରିବେ ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ବିଭାଗିୟ ସଚିବ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking